ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅମୃତ ଲୀଳା। ରାଜା ଇନ୍ଦ୍ରଦ୍ୟୁମ୍ନ ଅନେକ ଆଶା ନେଇ ନୀଳାଚଳରେ ପାଦ ଦେଲେ । କିନ୍ତୁ ସ୍ୱୟଂ ବିଷ୍ଣୁ ସ୍ୱରୂପ ଶ୍ରୀନୀଳମାଧବଙ୍କ ଦର୍ଶନ ନପାଇ ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼ିଲେ। ଅତି ବିମର୍ଶ ଭାବରେ ନିଜ ଭାଗ୍ୟକୁ ନିନ୍ଦା କରିବା ସମୟରେ ମହର୍ଷି ନାରଦ ପ୍ରକଟ ହୋଇ ତାଙ୍କୁ ଅଶ୍ୱମେଧ ଯଜ୍ଞ କରିବା ପାଇଁ ପରାମର୍ଶ ଦେଲେ। ଆୟୋଜିତ ହେଲା ଯଜ୍ଞ ଓ ମହାସମାରୋହରେ ପାଳିତ ହେଲା ସମସ୍ତ ବିଧି ବିଧାନ। ଯଜ୍ଞ ସ୍ଥଳୀରେ ପ୍ରତିଷ୍ଠିତ ହେଲେ ଆଦି ନୃସିଂହ, ବଛା ସହ ଏକ ଲକ୍ଷ ଗୋମାତା ଦାନ ଉଦ୍ଦଶ୍ୟରେ ଆନୀତ ହୋଇ ଅନତି ଦୂରରେ ରହିଲେ। ଯାହାଙ୍କ ଖୁରା ଘାତରେ ସୃଷ୍ଟି ହେଲା ଏକ ପୁଷ୍କରଣୀ ଯାହା। ଏବେ ଏହା ପଞ୍ଚତୀର୍ଥ ମଧ୍ୟରେ ପରିଗଣିତ ହେଇଛି ଓ ନାମ ତାର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ। ଏଭଳି ଅଦ୍ଭୁତ୍ତ ଯଜ୍ଞ ମହାନିଷ୍ଠାର ସହିତ ସମାପନ ହେବା ପରେ ମହୋଦଧି ତୀରରେ (ବେଲେଶ୍ୱର ମହାଦେବ )ଙ୍କ ନିକଟବର୍ତ୍ତୀ ସ୍ଥାନରେ ଏକ ଅଲୌକିକ ମହାଦାରୁ ଙ୍କର ଆବିର୍ଭାବ ଘଟିଲା । ପୁଣି ନାରଦମୁନିଙ୍କ ଉପଦେଶ ଅନୁସାରେ ଉକ୍ତ ଦାରୁଙ୍କୁ ଆଡମ୍ବର ସହକାରେ ଆଣି ମହାବେଦୀ ଉପରେ ରଖା ଯାଇ ସ୍ୱୟଂ ବିଶ୍ୱକର୍ମାଙ୍କର ଅନନ୍ତ ମହାରଣା ରୂପରେ ସ୍ୱଗତ ପୂର୍ବକ ଚାରୀ ବିଗ୍ରହ ଗଠନ କରାଗଲା। ଆହୁରି କଥିତ ଅଛି ଏହି ଜନ୍ମ ବେଦୀ ବା ଆଡପ ମଣ୍ଡପ ଚାରିପଟେ ବାଡ଼ ଘେରାଇ ନିଭୃତରେ ବିନା ଅନ୍ନ ଜଳ ସ୍ପର୍ଷ କରି ଅନନ୍ତ ମହାରଣା ପ୍ରଭୁଙ୍କର ଏହି ବିଗ୍ରହ ଗଢ଼ିଥିଲେ। କିମ୍ବଦନ୍ତୀ ଅନୁସାରେ ୨୧ଦିନ ପୂର୍ବରୁ ମା ଗୁଣ୍ଡିଚା ଙ୍କ ଅନୁରୋଧ କ୍ରମେ ୧୫ ଦିନରେ ବନ୍ଦ ଦରଜା ଫିଟି ଯିବାରୁ ଦିଅଁ ଏପରି ଅଧା ଗଢ଼ା ରହିଗଲେ। କିନ୍ତୁ ଏହା ସଠିକ ନୁହେଁ ମହାପ୍ରଭୁ ସ୍ୱଇଚ୍ଛାରେ ଏହି ରୂପ ଧାରଣ କରିଥିବାର ପୌରାଣିକ ପ୍ରମାଣ ମିଳେ। ଏହି ବ୍ରହ୍ମଦାରୁ ନିର୍ମିତ୍ତ ଚତୃଧା ମୂର୍ତ୍ତି ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବାର ମଧ୍ୟ ପୌରାଣିକ ପ୍ରମାଣ ମିଳୁଛି। ଆଗାମୀ ଅଧ୍ୟାୟରେ ଏହି ଭବ୍ୟ ମନ୍ଦିର ନିର୍ମାଣ ବିଷୟରେ ଜାଣିବା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।
ପଶୁଙ୍କ ପ୍ରାୟେ ରିପୁଭାବ
କେବେହେଁ କାହିଁ ନ କରିବ
ଏଣୁ ଏ ନର ଦେହ ପାଇ
ଯାବତ ମୃତ୍ୟୁ ନ ଘଟଇ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )