ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରମାତ୍ମା ଶ୍ରୀଜଗନ୍ନାଥ ସମସ୍ତ ଜଗତର ଆଧାର। ଅର୍ଥାତ ସମସ୍ତ ଜଗତରେ ପୁରି ରହିଥିବା ଆତ୍ମ ସତ୍ତାର ମୂଳ ଉତ୍ସ। ସେଥିପାଇଁ ଆତ୍ମା ନିର୍ଲିପ୍ତ, ନିତ୍ୟ, ସ୍ଥିର, ଅପରିବର୍ତନୀୟ ଓ ଅବିନାଶୀ। ମହର୍ଷି ଅଷ୍ଟବକ୍ରଙ୍କ ଅନୁସାରେ “ଆତ୍ମା ଓ ପରମାତ୍ମା ଏକ ଓ ଅଦ୍ଵିତୀୟ (ସ୍ୱରୂପ ବିଚାରରେ )। କିନ୍ତୁ ଆତ୍ମା ଜନ୍ମ ଚକ୍ରରେ ପଡି (ମାୟା ଆବୃତ ହୋଇ ) ସଂସାରର ସୁଖ ଦୁଃଖର ସମ୍ମୁଖୀନ ହୁଏ। ଏହାକୁ ନିବାରଣ କରିବାର ପନ୍ଥା ହେଲା ବାର ଗୋଟି ଶୀଳ (ଉତ୍କୃଷ୍ଟ ଗୁଣର )ଅଭ୍ୟାସ କରିବା ନିହାତି ଆବଶ୍ୟକ। ତାହା ହେଲା, ଧର୍ମ, ସତ୍ୟ, ସଂଯମ, ତପସ୍ୟା, ନମ୍ରତା, କ୍ଷମା, ତ୍ୟାଗ, ଦାନ, ଏକାଗ୍ରତା, ସର୍ବ କଲ୍ୟାଣ ଇଛା ଓ ଆତ୍ମଚେତନା। ଏଭଳି ଗୁଣ ଧାରଣ କରିଥିବା ଆତ୍ମା ନିଶ୍ଚିତ ଭାବେ ପରମାତ୍ମା ତୁଲ୍ୟ। ଆପଣମାନେ କହିବେ ଏ ବାର ଗୋଟି ଈଶ୍ୱରୀୟ ଗୁଣ ଅଭ୍ୟାସ କରିବା ଅତ୍ୟନ୍ତ କଠିନ। ଏହା କେବଳ ମୁନି, ଋଷି, ଓ ଯୋଗୀ ମାନଙ୍କ ପକ୍ଷରେ ସମ୍ଭବ। ମୁଁ ମଧ୍ୟ ଏହା ସ୍ୱୀକାର କରୁଛି, ସେଥିପାଇଁ ତ ସବୁଠାରୁ ସରଳ ଉପାୟ ଆଗରୁ ଆଲୋଚନା କରିଛି। ତାହା ହେଉଛି ସମ୍ପୂର୍ଣ୍ଣ ଶରଣ ନେବା ଓ ଶ୍ରୀଜଗନ୍ନାଥଙ୍କଠାରେ ନିଜ ମନ,ବୁଦ୍ଧି ଓ ବିବେକକୁ ସମ୍ପୂର୍ଣ୍ଣ ଭାବରେ ଅନ୍ତରଙ୍ଗ କରିଦେବା।
ଏଇ ଯେପରି ଭଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ କହିଲେ : “ମଜ୍ୟେବ ମନ ଆଧାତସ୍ୱ ମୟି ବୁଦ୍ଧିଂ ନିବେଶୟ, ନିବସିଷ୍ୟସି ମଜ୍ୟେବ ଅତ ଉର୍ଧ୍ଵଂ ନ ସଂଶୟଃ।” ଅର୍ଥାତ ତୁମେ ମୋଠାରେ ହିଁ ମନ ଲଗାଅ , ମୋଠାରେ ହିଁ ବୁଦ୍ଧି ବିବେକ ଲଗାଅ ତେବେ ତୁମେ ମୋ ପାଖରେ ହିଁ ନିବାସ କରିବ ଏଥିରେ ସଂଶୟ ନାହିଁ । ଭଗବତ ପ୍ରେମରେ ଲିପ୍ତ ମନ ଓ ବୁଦ୍ଧି ସାଂସାରିକ ମାୟା ମୋହରୁ ନିର୍ଲିପ୍ତ ରହେ। ଅନ୍ୟ ଅର୍ଥରେ କହିଲେ ସଂସାର ମଧ୍ୟରେ ରହି ମଧ୍ୟ ସାଂସାରିକ ବିଷୟା ଭୋଗ ପ୍ରତି ଅନାସକ୍ତ ଭାବ ଦେଖାଏ। ଜୀବ ଓ ଶିବ (ବ୍ରହ୍ମ ରୂପୀ )ଏକ ଓ ଅଭିନ୍ନ ଏହି ଦିବ୍ୟ ଜ୍ଞାନ ଲାଭ କରିବା ପାଇଁ ଆତ୍ମ ପ୍ରସ୍ତୁତି ଓ ନିରନ୍ତର ତପସ୍ୟା ଦରକାର। ସେହି ତପସ୍ୟାର ସରଳ ରୂପ ହେଲା ଶ୍ରୀଜଗନ୍ନାଥ (ପରଂବ୍ରହ୍ମ )ଙ୍କୁ ଆପଣାର କରିବା, ତାଙ୍କର ଏକାନ୍ତ ଆପଣାର ହୋଇଯିବା। ଆତ୍ମା ଓ ପରମାତ୍ମାଙ୍କ ସମନ୍ଧ କୁ ସଠିକ ଭାବରେ ବୁଝିପାରିବା, ତାହାହିଁ ଆତ୍ମଜ୍ଞାନ।
ତେଣୁ ଭାଗବତକହେ : “ଯାବତ ନୁହେଁ ଆତ୍ମ ଜ୍ଞାନ, ନ ତୁଟେ ଜନମ ମରଣ। ପୁଣି ଜନମି ପୁଣିମରେ କେବେ ହେଁ ସଂସାର ନସରେ । “ ଏହା ଯଥାର୍ଥ ଯେ ଆତ୍ମ ଜ୍ଞାନ ନହେବା ପର୍ଯ୍ୟନ୍ତ ମଣିଷ ସାଂସାରିକ ମାୟାରେ ବନ୍ଧା ହୋଇ ରହିଥାଏ ଓ ଜନ୍ମ ମରଣ ଚକ୍ରରେ ଘୁରୁଥାଏ। ଏବେ ନିଷ୍ପତି ଆପଣଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ତରଙ୍ଗ ହେବେ ନା ମାୟା ସଂସାରର ସୁଖ ଦୁଃଖରେ ବାନ୍ଧି ହୋଇ ରହିବେ?
କେବଳ ନିଜ ଭକ୍ତଙ୍କ ସହ ଅନ୍ତରଙ୍ଗ ହେବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ନିଜର ନିର୍ଗୁଣ ସ୍ୱରୂପ ତ୍ୟାଗ କରି ନୀଳାଦ୍ରିରେ ସଗୁଣ ସାକାର ସ୍ୱରୂପରେ ବିରାଜିତ ଅଛନ୍ତି। ତାଙ୍କୁ ନିଜର ଆପଣାର କରିନିଅନ୍ତୁ। ଆଉ ଭକ୍ତ ବଳରାମ ଦାସଙ୍କ ପରି ଗାଇ ଉଠନ୍ତୁ ….
“ନାଥ ତୋ ନିର୍ଗୁଣ ନାମ ଅଟଇ,
ମୋହର ମନରୁ ଦଣ୍ଡେ ନ ଯାଇ । ” (ଭାବସମୁଦ୍ର କାବ୍ୟ )ଜୟ ଜଗନ୍ନାଥ
(ଦ. ତ୍ରୀ. ଉବାଚ )
Comments are closed.