Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ: ଶ୍ରୀମନ୍ଦିର ଶିଳ୍ପକଳା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା 

ଜୟ ଜଗନ୍ନାଥ। ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଶିଳ୍ପ କଳାର ଆଲୋଚନା ପ୍ରସଙ୍ଗରେ ଆମେ ଅନେକ କିଛି ବିଷୟରେ ଆଲୋଚନା କରିସାରିଲେଣି। ତଥାପି ଗୋଟିଏ କଥା ମନେ ରଖିବାକୁ ହେବ ଏହା ଶହ ଶହ ଶିଳ୍ପୀଙ୍କ ଶହ ଶହ ବର୍ଷର ସାଧନା। କାରଣ ଇତିହାସ କହେ ରାଜା ଚୋଡ଼ଗଙ୍ଗ ଦେବ ୧୧୪୭ ଖ୍ରୀଷ୍ଟାବ୍ଦରେ ମୁର୍ତ୍ୟୁ ବରଣ କରିଥିଲେ। ସେତେବେଳେ ଶ୍ରୀମନ୍ଦିର ଅସମ୍ପୂର୍ଣ୍ଣ ଥିଲା, କାରୁକାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହୋଇନଥିଲା। ଇତିହାସ କହେ ଏଥିପାଇଁ ପ୍ରାୟ ୯୧ବର୍ଷ ଲାଗିଥିଲା। ତାମ୍ର ଲେଖରୁ ଜଣାଯାଏ ୧୨୩୦ଖ୍ରୀଷ୍ଟାଦ୍ଧରେ ମହାରାଜା ଅନଙ୍ଗଭୀମ ଦେବ ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ ଓ ସେ ସମୟରେ ମନ୍ଦିର ଗାତ୍ରରେ ସମସ୍ତ ସୁକ୍ଷ୍ମ କାରୁକାର୍ଯ୍ୟ ଶୋଭା ପାଉଥିଲା। ଉତ୍କଳୀୟ ଶିଳ୍ପ କଳାର ପରମ୍ପରା କ୍ରମେ ମୂଖ୍ୟ ମନ୍ଦିର ବା ବିମାନର ବାଡ଼ ପାଞ୍ଚ ଭାଗରେ ବିଭକ୍ତ । ଯଥା ପା ଭାଗ, ତଳ ଜଙ୍ଘା, ମଧ୍ୟ ବନ୍ଧନା, ଉପର ଜଙ୍ଘା ଓ ବରଣ୍ଡ।
ସେହିପରି ପା ଭାଗଟି ପାଞ୍ଚ ଭାଗରେ ବିଭକ୍ତ ଯଥା ଖୁର, ଖୁମ୍ଭ, ପଟା, କାନି ଓ ବସନ୍ତ। ପ୍ରତ୍ୟେକ ଖୁର ଭାଗରେ କିରୀଟି ଆକୃତି ଖୋଦିତ ହୋଇଛି ଓ ସେହି କିରୀଟିର ପ୍ରତି ଠଣାରେ କୌଣସି ରାଜା ବା ରାଜପୁରୁଷ ଗୋଟିଏ ଆସନରେ ବସି କିଛି ଲୋକଙ୍କୁ ଉପଦେଶ ଦେଉଥିବାର ଦୃଶ୍ୟ ଖୋଦିତ ହୋଇଛି। ପ୍ରତି କିରୀଟିର ପାଦ ଦେଶ ରେ ତିନି ଗୋଟି ଛାଞ୍ଚର ପୀଠ ରହିଛି ପା ଭାଗର କୁମ୍ଭରେ କୁମ୍ଭର ଆକୃତି ପାରମ୍ପରିକ ଶୈଳୀରେ ଖୋଦିତ ହୋଇଛି। ପଟ ଭାଗରେ ଧାଡି ଦୃଶ୍ୟ ଅଙ୍କିତ ହୋଇଛି । ଏହି ଧାଡ଼ିରେ ମୁଖ୍ୟତଃ ମଣିଷ, ଗୋରୁ, ହାତୀ, ଘୋଡା ପ୍ରଭୃତି ଧାଡ଼ି ଧାଡ଼ି ହୋଇ ଯାତ୍ରା କରୁଥିବାର ଦୃଶ୍ୟ ରହିଛି। କାନି ଭାଗଟି ଆଗରୁ ଗୋଜିଆ ହୋଇ ଖୋଦିତ ହୋଇଛି। ସେହିପରି ବସନ୍ତ ଭାଗଟି ମଧ୍ୟ ଧାଡ଼ି ଦୃଶ୍ୟରେ ରୂପାୟନ ହୋଇଛି। ସେମିତି କିରୀଟି ଶୀର୍ଷରୁ ଗୋଟିଏ ସରୁ ପଟି ବସନ୍ତର ଶେଷ ଭାଗ ପର୍ଯ୍ୟନ୍ତ ଲମ୍ବିଛି ଓ ଏଥିରେ ଧଡି କାମ ଓ ମାଳି କାମ ହୋଇଛି। ସେହି ପଟିର ତଳ ଉପର ହୋଇ ଦୁଇଟି କନ୍ୟା ମୂର୍ତ୍ତି ସୁନ୍ଦର ଭାବରେ ଦଣ୍ଡାୟମାନ ହୋଇଛନ୍ତି। ଏଭଳି ଶ୍ରୀମନ୍ଦିରର ପ୍ରତ୍ୟେକ କାରୁକାର୍ଯ୍ୟକୁ ଅନୁଧ୍ୟାନ କଲେ ଜାଣିପାରିବା ଯେ ସମ୍ପୂର୍ଣ୍ଣ ଉତ୍କଳୀୟ ଶିଳ୍ପ କଳା ଆଧାରରେ ଓ ସଠିକ ନିୟମ ପ୍ରକାରରେ ପ୍ରତ୍ୟେକ କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ତାହା ଗୁରୁଙ୍କ ଶିକ୍ଷା ଦାନର ଚିତ୍ର ହେଉ ଅବା ଆଚାର୍ଯ୍ୟମାନଙ୍କ ଧର୍ମ ଉପଦେଶ ପ୍ରଦାନର ଦୃଶ୍ୟ ହେଉ ଅବା ରାଜାଙ୍କ ରାଜ୍ୟ ଶାସନର ଦୃଶ୍ୟ ସମସ୍ତେ ଏଭଳି ଜୀବନ୍ତ ରୂପାୟନ ହୋଇଛନ୍ତି ଯେ ଏହାକୁ ନିରୀକ୍ଷଣ କରିବା ମାତ୍ରେ ସେ ସମୟର ଶାସନ ପଦ୍ଧତି, ସାମାଜିକ ସ୍ଥିତି ଓ ଶିକ୍ଷା ତଥା ଧାର୍ମିକ ସ୍ଥିତି ବିଷୟରେ ବିଶେଷ ଧାରଣା ହୋଇଥାଏ। ଅନୁରାହା ଓ କୋଣକ ପାଗର ପୀଢ଼ ମୁଣ୍ଡି ଗୁଡିକର ପୀଠ, ବାଡ଼ ର ଦ୍ୱାର ବନ୍ଧ ଓ ମସ୍ତକର ପାର୍ଶ୍ୱବର୍ତ୍ତୀ ଉଡ଼ନ୍ତା ବିଦ୍ୟାଧର ମୂର୍ତ୍ତି ବା ଆକୃତି ଖୋଦିତ ହୋଇଛି। ସେହିପରି ପୀଠ ମୁଣ୍ଡିଗୁଡ଼ିକରେ ଶ୍ରୀକୃଷ୍ଣଙ୍କ ଲୀଳା ଓ ଶ୍ରୀବିଷ୍ଣୁଙ୍କ ବିଭିନ୍ନ ଅବତାର ମୂର୍ତ୍ତି ଖୋଦିତ ହୋଇଛି। ସେହିପରି ଦୁଇଗୋଟି ପାଗର ସନ୍ଧିସ୍ଥଳ ଗୁଡିକରେ ଅଳସ କନ୍ୟା ଦଣ୍ଡାୟମାନ ହୋଇଛନ୍ତି । ଆକାରରେ ଏହି ଅଳସ କନ୍ୟାମାନେ ସମଗ୍ର ଜଙ୍ଘା, ପ୍ରଦେଶକୁ ବ୍ୟାପି ରହିଁଛନ୍ତି। ଆଗାମୀ ଅଧ୍ୟାୟରେ ଏହି ଅଳସ କନ୍ୟାମାନଙ୍କ ଵିଷୟରେ ବିସ୍ତୃତ ଭାବେ ଜାଣିବା । ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀର।

ନିରତେ ଚିନ୍ତ ରାମ ହରି
ଭବ ସାଗରୁ ହୁଅ ପାରି।
ପରମ ଦୟାଳୁ ର ଗୁଣ
ସର୍ବ ଭୁତରେ ମିତ୍ର ପଣ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.