Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶିଳାଲେଖର କଥା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀକୁ ବିଭିନ୍ନ ଗବେଷକ ବିଭିନ୍ନ ଭାବରେ ଉପସ୍ଥାପନା କରିଛନ୍ତି ରାମଚନ୍ଦ୍ର ମିଶ୍ରଙ୍କ “ପୁରୁଷୋତ୍ତମ କ୍ଷେତ୍ର “ପୁସ୍ତକରେ ପ୍ରଦତ୍ତ ତଥ୍ୟ ଅନୁସାରେ ଶ୍ରୀମନ୍ଦିର ଏକ ପଞ୍ଚ ପୀଢ଼ ରେଖ ଦେଉଳ ଏହାର ବିମାନ ବା ମୂଖ୍ୟ ଦେଉଳ ର ଉଚ୍ଚତା ୨୧୪ଫୁଟ ୮ଇଞ୍ଚ କିନ୍ତୁ ମନ୍ଦିରଟି ଭୂମି ସମତଳଠାରୁ ପ୍ରାୟ ୨୦ ଫୁଟ ଉଚ୍ଚାରେ ରହିଥିବାରୁ, ଏହାର ପ୍ରକୃତ ଉଚ୍ଚତା ୧୯୪ ଫୁଟ ଅଟେ। ଏହାର ଭୂମିଟି ଚତୁଃଷ୍କୋଣୀ ବା ଚାରିକୋଣିଆ। ଏହି ଚାରିକୋଣିଆ ଭୂମି ଉପରେ ଥିବା ବିମାନଟି ମୁଖ୍ୟତଃ ତିନି ଭାଗରେ ବିଭକ୍ତ ଯଥା ବାଡ଼, ଗଣ୍ଡି ଓ ମସ୍ତକ। ପିଷ୍ଟ ବା ଭୂମି ଉପରେ ରହିଛି ବାଡ଼ ଓ ଏହି ବାଡ଼କୁ ଆଧାର କରି ନିର୍ମିତ୍ତ ହୋଇଛି ଗଣ୍ଡି ବା ଶିଖର ଓ ଶେଷରେ ରହିଛି ମସ୍ତକ। ପ୍ରତ୍ୟେକ ଅଂଶ ୫ ଭାଗରେ ବିଭକ୍ତ ହୋଇଛି। ଯଥା:- ଭୂମି :- ଖୁର, କୁମ୍ଭ, ପଟା, କଣି ଓ ବସନ୍ତ ୨ ବାଡ଼ :-ପାହାଚ, ତଳ ଜଙ୍ଘା, ବନ୍ଧନା, ଉପର ଜଙ୍ଘା, ଓ ବରଣ୍ଡ ୩ ଗଣ୍ଡି :-ରାହା, ଅନୁରଥ, (ଦୁଇ ପାଖରେ )ଓ କୋଣିକ (୨ଟି )
୪ ମସ୍ତକ :-ବେକି, ଅମଳକ ଶିଳା, ଖପୁରି, କଳସ ଓ ଚକ୍ର।
ସେହିପରି ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ମତ ହେଲା ସମଗ୍ର ଶ୍ରୀମନ୍ଦିରଟି ଦୁଇ ପ୍ରକାର ଅଙ୍ଗରେ ନିର୍ମିତ। ଯଥା : ପୁରୁଷାଙ୍ଗ ଓ ପ୍ରାସାଦାଙ୍ଗ। ପୁରୁଷାଙ୍ଗରେ ଥାଏ ପୀଠ, ପାଦ ଭାଗ, ଦଣ୍ଡ ଜଙ୍ଘ, ଗୁଳ୍ପ, ଜଙ୍ଘ, କଟି,ଉଦର, ହୃଦୟ, ସ୍କନ୍ଧ, କଣ୍ଠ, ମୁଖ, କପାଳ, ଶୀର୍ଷ, ଓ ବ୍ରହ୍ମ ରନ୍ଦ୍ର। ପ୍ରାସାଦାଙ୍ଗରେ ରହିଥଏ ପାଦ ପୀଠ, ପାଦ ଭାଗ, ନିମ୍ନ ଜଙ୍ଘା, ବନ୍ଧନା, ଉର୍ଦ୍ୱ ଜଙ୍ଘ, ବାଡ଼ାନ୍ତ, ଗର୍ଭ, ରାହା, ବିସମ, କଣ୍ଠ, ଅମଳକୀ, ଖର୍ପର, କଳସ, ଆୟୁଧ।

ଏହି ବିଶ୍ଲେଷଣକୁ ଅନୁଧ୍ୟାନ କଲେ ଜଣାଯାଏ ଶ୍ରୀମନ୍ଦିର ଗଠନ ଶୈଳୀ ଏକ ପୂର୍ଣ୍ଣାଙ୍ଗ ମାନବର ଗଠନ ଶୈଳୀ ଠାରୁ ଭିନ୍ନ ନୁହେଁ। ସେ ଯାହା ହେଉ ଭିନ୍ନ ଭିନ୍ନ ଗବେଷଣା ଭିନ୍ନ ଭିନ୍ନ ମତ ଦେଲେ ମଧ୍ୟ ଶ୍ରୀମନ୍ଦିର ଯେ ଉତ୍କଳୀୟ ଶିଳ୍ପ କଳାର ଏକ ଉତ୍କୃଷ୍ଟ ନିଦର୍ଶନ ତାହା ସର୍ବାଦୌ ଗ୍ରହଣୀୟ। ଏହାର ଆଉ ବିଷଦ ଆଲୋଚନା ନକରି ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀମନ୍ଦିର ଭିତରେ ଥିବା କିଛି ଶିଳାଲେଖର କଥା ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀର।

ପ୍ରାଣୀର ଭଲ ମନ୍ଦ ବାଣୀ
ମରଣ କାଳେ ତାହା ଜାଣି।
ମନ ତୋହର ନିଜ ଗୁରୁ
ଉଦ୍ଧବ କେତେ ତୁ ପଚାରୁ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.