Latest Odisha News

BREAKING NEWS

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା, ସଜେଇ ହୋଇଛି ଯୋରନ୍ଦା ମହିମାଗାଦୀ ପୀଠ

ଢେଙ୍କାନାଳ: ଆଜି ମାଘ ଶୁକ୍ଳ ଚତୁର୍ଦ୍ଦଶୀ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦୀ ପୀଠ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ଏଥିପାଇଁ ପୀଠକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ମହିମା ସାଧୁସନ୍ଥମାନେ ଆସି ପହଞ୍ଚିଛନ୍ତି ।

ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ସାରାବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜଳିବ ବିଶାଳକାୟ ଝ।ଡବତୀ ।

ମହିମା ସତ୍ୟ ଧର୍ମ ସମାଜର ମୁଖ୍ୟ ବାବା ନିତ୍ୟାନନ୍ଦ ଦାସଙ୍କ ସୂଚନାକ୍ରମେ, ଚଳିତ ବର୍ଷ ୨୨ ତାରିଖ ଅର୍ଥାତ୍ ଆଜି ଉଭୟ ତ୍ରୟୋଦଶୀ ଓ ଚତୁର୍ଦଶୀ ପଡୁଥିବାରୁ ମହିମା ପରମ୍ପରା ମୁତାବକ ୨୨ ତାରିଖରେ ପ୍ରଭୁ ପୂର୍ଣ୍ଣିମା ଓ ୨୩ ତାରିଖରେ ଗୁରୁପୂର୍ଣିମା ବା ଅଗ୍ନିଉତ୍ସବକୁ ପାଳନ କରାଯିବ । ଏଠାରେ ମହିମା ସାଧୁ ମାନେ ଭଜନ କୀର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଫଳରେ ସମଗ୍ର ଦେଶ ବ୍ୟାପି ମହିମା ସାଧୁ ସନ୍ୟାସୀ, ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମା ଗାଦିକୁ ଛୁଟି ଆସୁଥିବା ଦେଖିବାକୁ ମିଳୁଛି ।

ଏହି ଯୋରନ୍ଦା ମେଳାରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାବେଳେ, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତି ଚାଲିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.