ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯିଏ ନିଜ ଇଚ୍ଛାରେ ରୁପାୟିତ ହେବାକୁ ଲୀଳା ରଚିଛନ୍ତି। ତାଙ୍କ ପାଇଁ ସବୁ ଅଘଟଣା ବି ଏକ ଘଟଣା ପାଲଟେ। ସବୁ ବିଚିତ୍ରତା, ସାମାନ୍ୟ ହୋଇ ବୈଚିତ୍ରମୟ ହୋଇଯାଏ। ସବୁ ଅସମ୍ଭବ ବି ସମ୍ଭାବନାର ନୂତନ ଦିଗ ସୃଷ୍ଟି କରେ। ବର୍ତ୍ତମାନ ଘଟିବାକୁ ଯାଉଥିବା ସୃଷ୍ଟିର ଏକ ବିରଳ ଘଟଣା ମଧ୍ୟ, ବିଚିତ୍ର ଭାବର ସମ୍ଭାବନା ନେଇ କିଛି ଅସମ୍ଭବ ଓ ଆଚମ୍ବିତ ପ୍ରକାଶର ଅବତାରଣ କରିବ, ଏଥିରେ ସନ୍ଦେହ ନାହିଁ। ତେଣୁ ଵିଧିର ବିଧାନ ହେଉ ବା ରାଣୀ ଗୁଣ୍ଡିଚାଙ୍କର ଅଦମନିୟ ଇଚ୍ଛା ଓ ଅନୁରୋଧ ହେଉ। ରାଜା ଇନ୍ଦ୍ରଦ୍ୟୁମ୍ନ ବାଧ୍ୟ୍ୟହୋଇ ନିବୁଜ କୋଠରୀର ଦ୍ୱାର ଖୋଲି ଦେଲେ। ଭିତରେ ଥିଲା ଅପେକ୍ଷିତ ଆଶ୍ଚର୍ଯ୍ୟ ଓ ଅଲୌକିକ ପ୍ରକାଶର ଛବି। ପ୍ରକାଶମାନ ହୋଇଥିଲା ଚତୁର୍ଦ୍ଧା ବିଗ୍ରହ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ, ଶିଳ୍ପୀ ହୋଇଥିଲେ ଅଦୃଶ୍ୟ। ଏ ଅପୂର୍ବ ରୂପ ଦେଖି ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦୁଃଖ ଓ ଅନୁଶୋଚନାରେ ମ୍ରିୟମାଣ ହେଲେ। କିନ୍ତୁ ସହସା ଶୂନ୍ୟବାଣୀ ହେଲା “ହେ ରାଜନ ଶୋକ ତ୍ୟାଗ କର, କଳିଯୁଗରେ ମୋର ଏହି ରୂପ ହେବ। ଏବେ ତୁମେ ଏକ କାର୍ଯ୍ୟ ସମ୍ପାଦନ କର। ମୂର୍ତ୍ତିଙ୍କୁ ପାଟବସ୍ତ୍ର ଦ୍ୱାରା ଆଚ୍ଛାଦିତ କରାଅ, ଚିତ୍ରକାର ଡକାଇ ଏହାଙ୍କୁ ସ୍ବ ସ୍ବ ବର୍ଣ୍ଣରେ ଚିତ୍ରିତ କର। ଏହା ତ ସ୍କନ୍ଦ ପୁରାଣ କହିଲା କିନ୍ତୁ ସାରଳା ମହାଭାରତ କହିଲା ଅନ୍ୟ କଥା। ଏଥିରେ ସ୍ୱୟଂ ଶ୍ରୀକୃଷ୍ଣ ଜରା ଶବରଙ୍କୁ ଆଦେଶ ଦେଲେ ।
“କୃଷ୍ଣ ବୋଇଲେ ଇନ୍ଦ୍ରଦ୍ୟୁମ୍ନ ଙ୍କୁ ଘେନିଯାଅ,କାଲି ପ୍ରଭାତେ ରୋହିଣୀ କୁଣ୍ଡ ଜଗିଥାଅ,ରୋହିଣୀ କୁଣ୍ଡରେ ଆମ୍ଭେ କାୟା ଯେ ବିସ୍ତାରୁ, ୟେ ପିଣ୍ଡ ଗୋଟିକ କାଳେ ହୋଇବକି ଦାରୁ ।”
ଜାରା ଶବର ଓ ଇନ୍ଦ୍ରଦ୍ୟୁମ୍ନ ନୀଳାଚଳରେ ରୋହିଣୀ କୁଣ୍ଡ ମଧ୍ୟରେ ଭାସମାନ ବ୍ରହ୍ମଦାରୁ ପାଇଲେ। ଛଦ୍ମବେଶରେ ବିଶ୍ୱକର୍ମା ଆସି ମିଥୁନ ମାସ ପଞ୍ଚମୀ ତିଥି ଶ୍ରବଣl ନକ୍ଷତ୍ର ଗୁରୁବାର ଦିନ ମୂର୍ତ୍ତି ନିର୍ମାଣ ଆରମ୍ଭ କଲେ। ଏଠିବି ନିବୁଜ କୋଠରୀ ଭିତରେ ନିର୍ମାଣ କାର୍ଯ୍ୟ ଚାଲିଲା, ପନ୍ଦର ଦିନ ପରେ ଅଧର୍ଯ୍ୟ ହୋଇ ରାଜା ଦ୍ୱାର ଫିଟାଇଲେ ଓ ସିଂହାସନ ଉପରେ ତ୍ରିମୁର୍ତ୍ତି ଶିବ, ବ୍ରହ୍ମl ଓ ବିଷ୍ଣୁ ସ୍ୱୟଂ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ସ୍ୱରୂପରେ ବିରାଜିତ ଅଛନ୍ତି। ଆସନ୍ତୁ ଶିଶୁ କୃଷ୍ଣ ଦାସ ବିରଚିତ “ଦେଉଳ ତୋଳା “ଗ୍ରନ୍ଥ କଥା ଆଲୋଚନା କରିବା, ଏଠାରେ ସ୍ୱୟଂ ନୀଳମାଧବ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନରେ କହିଲେ “ହେ ରାଜନ, ମୁଁ ମୋ ନିଜ ସ୍ୱରୂପ ବଦଳାଇ ବାଙ୍କୀ ମୁହାଣ ନିକଟରେ ବ୍ରହ୍ମଦାରୁ ରୂପେ ପ୍ରକଟ ହୋଇଛ। ତୁମ୍ଭେ ସେହି ଦାରୁଙ୍କୁ ଅଣାଇ ମୂର୍ତ୍ତି ନିର୍ମାଣ କର “ଏଠାରେ ମଧ୍ୟ ସେହି ଏକ ପ୍ରକାର ବିଷୟ କିନ୍ତୁ ନିର୍ମାଣ ସ୍ଥାନ ଯଜ୍ଞ ମଣ୍ଡପ ନୁହେଁ, ଶଙ୍ଖନାଭି ମଣ୍ଡଳର ନୀଳପର୍ବତ ଉପରେ ନିର୍ମିତ୍ତ ନୂତନ ମନ୍ଦିର ହେଉଛି ନିର୍ମାଣ ସ୍ଥଳୀ ।ପନ୍ଦର ଦିନ ପରେ ସିଂହାସନ ଉପରେ ସେହି ଅସମ୍ପୂର୍ଣ୍ଣ ଚାରି ମୂର୍ତ୍ତି ଦେଖି ରାଜା ରାଣୀ ଶୋକ ଓ ଅନୁଶୋନାରେ ମ୍ରିୟମାଣ, ରାତ୍ରିରେ ସ୍ବପ୍ନlଦେଶ “ଠାକୁର ବୋଇଲେ ରାଜା ହୋଇଲୁ କି ବାଇ, କଳିଯୁଗେ ବସିବୁ ବଉଧ ରୂପ ହୋଇ, ତୋହ କାର୍ଯ୍ୟ ଥିଲେ ରାଜା ଯୋଗାଇବୁ ଏତେ, ଦୟଣାରେ ହାତଗୋଡ଼ ଭିଆଇଣ ମୋତେ ।”
ସେ ଯାହା ହେଉ ଲୀଳାମୟ ଠାକୁର ତାଙ୍କର ସ୍ୱଇଚ୍ଛା ରେ ଯେ ଏଭଳି ଅଦ୍ଭୁତ ରୂପ ଧାରଣ କରିଛନ୍ତି ଏହା ସମସ୍ତ ବର୍ଣନା ର ଆଧାର ଅଟେ। ପ୍ରଭୁଙ୍କର ପ୍ରକଟ ଲୀଳା ସମ୍ପାଦନ ହେବା ପରେ ପୁଣି କେଉଁ ଲୀଳା ହେଉଛି ତାହା ଜାଣିବା ଆଗାମୀ ଅଧ୍ୟାୟରେ। ଏବେ ଆରାଧନା “ଉପଚାରଂଶ୍ଚ ତାନ ସର୍ବାନ ଦାତ୍ତୁଂ ଚ ତରସା ମୁନେ, ସଗୁଣଂ ବ୍ରହ୍ମଣ ରୂପଂ ଭାବାୟିତ୍ୱାତ୍ମ୍ମଜୋତ୍ତମ “ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.