Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାମ ସଂକୀର୍ତ୍ତନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମା ଅବା ଭଗବାନଙ୍କ ନାମ ସଂକୀର୍ତ୍ତନର ଉପାଦେୟତା ବିଷୟରେ ଅନେକ ମତ ଦେଖିବାକୁ ମିଳେ। ସେଥିମଧ୍ୟରୁ କବି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ନିଶ୍ଟିତ ଭାବରେ ସମସ୍ତେ ଅନୁଧ୍ୟାନ କରିଥିବେ

“ତୋ ନାମ ସୁଧା ସିନ୍ଧୁ ଜଳେ,

ହଂସର ପ୍ରାୟ ଜ୍ଞାନୀ ଭୋଳେ

ଉଠନ୍ତି ଭ୍ରମି ବୁଡ଼ି ପ୍ରାଣୀ

ତୋହର ନାମ ଓ ଉଚ୍ଚେ ଭଣି

ନିତ୍ୟ ସ୍ମରଣ ତୋ ଚରଣ

ତାହାକୁ ନ ଲାଗେ ମରଣ “(ଭାଗବତ)।

 

ଏହି ଭାବକୁ କବି ଅଚ୍ୟୁତାନନ୍ଦ ଦାସ ନିଜ ଶୂନ୍ୟସଂହିତା ଗ୍ରନ୍ଥରେ ଲେଖିଲେ :

“ନାମକୁ ଭଜିଲେ ସିନା ଗତିମୁକ୍ତି ପାଇ

ପିଣ୍ଡକୁ କାରଣ ନାମ ବିନୁ ଅନ୍ୟ ନାହିଁ ।

ପୁନଶ୍ଚ ଜୀବ ଓ ପରମଙ୍କ ସମ୍ୱନ୍ଧ ବୁଝାଇ ସେହି “ଶୂନ୍ୟ ସଂହିତା “ରେ ଲେଖିଲେ

“ନାମକୁ ଚିହିଁଲେ ଜୀବ ପରମେ ମିଶଇ,

ସୋଲ ଭେଳା ପ୍ରାୟ ଭବ ସିନ୍ଧୁରେ ଭାସଇ

ନାମ ଗୋଟି ଥିଲାକୁ ଯେ କାୟା ହୁଏ ଠୁଳ,

ସଂସାର ରଚନା କରି ସମ୍ପତ୍ତିରେଭୋଳ,

ନାମ ଗଲେ ରୁପ କେହି ନଛୁଇଁବେ ଆଉ, ନାମକୁ ନ ଚିନ୍ହି କିମ୍ପା

ଏଣେ ତେଣେ ଧାଉଁ “ନାମ ତତ୍ତ୍ୱ ଚିହ୍ନିଲେ ଯେ ଚିତ ହେବ ସ୍ଥିର,

ପୁରିଲା କୁମ୍ଭର ପ୍ରାୟେ ମନ ବୁଦ୍ଧି ଧୀର ।

ପ୍ରଥମେ ସେ ନାମ ବିହୀନ ଶରୀର ମୂଲ୍ୟହୀନ ବୋଲି ବର୍ଣନା କ ଲେ, ସେହିପରି ଭଗବାନଙ୍କ ନାମ ମଣିଷ ର ଅଧିର ମନ ସ୍ଥିର କରି ଜୀବକୁ ଜ୍ୟୋତି ବ୍ରହ୍ମ ସନ୍ଧାନ କରିବାର ମାର୍ଗ ଦେଖାଏ, ବା ଜୀବ ଓ ପରମଙ୍କର ଭେଟ କରାଏ। ଜଗନ୍ନାଥଙ୍କ ପରମ ଭକ୍ତ, ଅଦ୍ଭୁତ ସାଧକ ତଥା କଵି ବଳରାମ ଦାସ ତାଙ୍କ ରଚିତ କାବ୍ୟ “ଭାବ ସମୁଦ୍ର “ରେ ଶ୍ରୀଜଗନ୍ନାଥଙ୍କ ନାମ କଳି ଯୁଗରେ, ତିନିପୁରରେ ଶ୍ରେଷ୍ଠ ବୋଲି ସ୍ୱୀକାର କରିଛନ୍ତି। କେବଳ ସେତିକି ନୁହେଁ ଏ ଭବ ବନ୍ଧନ କାଟିବା ପାଇଁ ଅଥବା ଭବସିନ୍ଧୁ ପାରି ହେବାପାଇଁ ଶ୍ରୀଜଗନ୍ନାଥଙ୍କ ନାମ ଏକମାତ୍ର ଆଶ୍ରୟ ବୋଲି କହିଛନ୍ତି ।

 

“ହରି ହୋ -ନାମ ତୋହର ତିନିପୁରେ ସାର,

ତୋ ନାମ ଆଶ୍ରା କରିଛି ଶଙ୍କର,

ହରି ତୋ ନାମ ନିସ୍ତାରଇ ପ୍ରାଣୀ,

ନାମ ଯେ ଭବ ସିନ୍ଧୁ ତରଙ୍ଗିଣି “(ଭlବ ସମୁଦ୍ର )।

 

ଏଠାରେ ଭକ୍ତ କବି ଦୀନକୃଷ୍ଣ ଦାସଙ୍କ ଲେଖାକୁ ବିଚାର କରିବା ସେ ନାମ ଜପ କରୁଥିବା ମାନବଙ୍କୁ ପରମ ତପି କହିଛନ୍ତି।

 

“ମାନବରେ ବିପ୍ର ଶ୍ରେଷ୍ଠ ବିପ୍ରେ ଶ୍ରେଷ୍ଠ ତପୀ,

ତପୀଙ୍କର ଶ୍ରେଷ୍ଠ ଯେହୁ ମୋର ନାମ ଜପି ।”

 

ପୁଣି କହିଲେ :

“ନିରନ୍ତର ନାମ ମୋର କରୁଥାଇ ଜପ,

ତେଣୁ କରି ଅର୍ଜୁନ ଭକତ ମୋର ବାପ,

ଯେତେ ବେଳେ ବୋଲଇ ସେ ରାମ,କୃଷ୍ଣ, ହରି,

ସେହିକ୍ଷଣି ଜିହ୍ୱା ଅଗ୍ରେ ମୋତେ ଜାତ କରି (ନାମ ରତ୍ନ ଗୀତା )।

 

ଏଭଳି ନାମର ମହାତ୍ମ୍ୟ ବର୍ଣ୍ଣନା କରୁଥିଲେ ଶେଷ ହେବନି। ଅନେକ ମହାତ୍ମା, ଯୋଗୀ, ଋଷି, କବି କେବଳ ଏହି ନାମ ମହାତ୍ମା ବର୍ଣ୍ଣନାରେ ଶତମୁଖ ହୋଇଛନ୍ତି । କାରଣ” ନୃସିଂହ ପୁରାଣ” କହେ “ଯଥା ଯଥା ହରେନାମ କୀର୍ତ୍ତୟନ୍ତୀ ସ୍ମ ନାରକଃl, ତଥା ତଥା ହରୌ ଭକ୍ତି ମୁଦବହନ୍ତୋ ଦିବଂ ଯଯୁ ।” ଅର୍ଥାତ ନାମ କୀର୍ତ୍ତନର କୌଣସି ସ୍ଥାନ ନାହିଁ। ନରକରେ ମଧ୍ୟ ନାମ ଜପ କରିଲେ ନରକ ଯନ୍ତ୍ରଣାରୁ ତ୍ରାହି ମିଳେ। ତେଣୁ ଆସନ୍ତୁ ସେହି ନାମକୁ ଜପିବା, ଆଉ କହିବା ବା ଗାଇବା :

 

“ତୁମ ନାମ ଉଚ୍ଚାରଣେ ମିଳୁଛି ଅମୃତ

କି ସୁଖ ମାଗିବି ଆଉ କୁହ ଜଗନ୍ନାଥ ।”

 

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.