ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ହୃଦୟରେ ସ୍ଥାନ ଦେବା ପରେ ଆତ୍ମା ଓ ପରମାତ୍ମା ସମ୍ପର୍କର ସ୍ୱରୂପ ଅନୁଭବ କରୁ । ଅନେକ ସିଦ୍ଧ ସାଧକ ନିଜ ନିଶ୍ୱାସ ଓ ପ୍ରଶ୍ୱାସ କ୍ରିୟାରେ ଅହରହ ପ୍ରଭୁଙ୍କ ନାମ ଜପ କରି ସାଧନାର ଚରମ ସିଦ୍ଧି ପ୍ରାପ୍ତ ହୁଅନ୍ତି। ଏହି କ୍ରିୟାକୁ ପ୍ରାଣାୟାମ ଅବା କେହିକେହି ଅଜପା ବୋଲି କହନ୍ତି । ଶାସ୍ତ୍ର କହେ ରେଚକ, ପୂରକ ଓ କୁମ୍ଭକ ମଧ୍ୟରୁ କୁମ୍ଭକରେ ବିଷ୍ଣୁପୁରର ଅବସ୍ଥିତି କଥା କହିଛନ୍ତି ଯଥା କବି ବଳରାମ ଦାସଙ୍କ “ଛତିଶ ଗୁପ୍ତ ଗୀତା “କୁମ୍ଭକଟି ବିଷ୍ଣୁପୁର ବ୍ୟାପିଛି ସଚରାଚର, ଦ୍ୱାଦଶ ଅକ୍ଷର ପଦ୍ମ ଫୁଟି ଉଦୟେ “ଏହି ବାଣୀର ସମର୍ଥନରେ ମାଳିକା ପୁରୁଷ ସାଧକ ଅଚ୍ୟୁତାନନ୍ଦ ଦାସ ନିଜ ରଚିତ “ବ୍ରହ୍ମଶାଙ୍କୁଳି “ ରେ :
ସୁମନେ ରେ ଯିବ ଚଳି
ଯାଇ ପ୍ରବେଶ ହୃଦ ସ୍ଥଳି
ସେ ଚକ୍ରେ ବିଜେ ନାରାୟଣ
ବହଇ ଦ୍ୱାଦଶ ପବନ,
ଦ୍ୱାଦଶ ପାଖୁଡ଼ାନିର୍ମିତ୍ତ,
ପ୍ରାଣ ପବନ ତହିଁ ସ୍ଥିତ
ଚଉଦ ଭୁବନ ସମ୍ପତି,
ଘେନି ବିଜୟେ ଲଷ୍ମୀପତି “
ଏସବୁ ଉତ୍ତମ ସାଧକମାନଙ୍କ ପାଇଁ ଉଦ୍ଦିଷ୍ଟ କାରଣ ଏହି ପ୍ରାଣାୟାମ ବା ଅଜପା ର ପ୍ରକ୍ରିୟା ଏତେ ସହଜ ନୁହେଁ, କିନ୍ତୁ ଅତ୍ୟନ୍ତ ଫଳପ୍ରଦ, ଆମପରି ସାଧାରଣ ପ୍ରଭୁଙ୍କର ଭକ୍ତଟିଏ ପାଇଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆତ୍ମା ସ୍ୱରୂପରେ ଦର୍ଶନ ବା ଅନୁଭବ କରିବା ସର୍ବ ଶ୍ରେଷ୍ଠ ଉପଲବ୍ଧି । ସେଥିପାଇଁ ସେହି ପରମ ସାଧକ ଅଚ୍ୟୁତାନନ୍ଦ ଦାସଙ୍କ “ଆତ୍ମା ରୂପୀ ନାରାୟଣ ଜ୍ଞାନ କରେ ସବୁ ପ୍ରାଣୀ ଯେହୁ, ଏ ବ୍ରହ୍ମlଣ୍ଡ ମଧ୍ୟରେ ପରମ ବୈଷ୍ଣବ ଅଟଇଟି ସେହୁ ।” (ଚଉଷଠି ପଟଳ ) ପୁନଶ୍ଚ ସାଧନାର ମାର୍ଗ ନିରୂପଣ କରି ଅଚ୍ୟୁତାନନ୍ଦ କହନ୍ତି :
“ସହସ୍ର ଦଳର ଶୂନ୍ୟ ଶିବ ସ୍ଥାନ ଭିନ୍ନମତେ ଭିନ୍ନ ନାମ,
ଏହାକୁ ସାଧନା କରନ୍ତି ସକଳେ ଏକୁ ନୁହେଁ କିଛି ଆନ,
ଶିବ ଭକ୍ତମାନେ ଶିବ ସ୍ଥଳ ବୋଲି ନାମ ଦେଇଛନ୍ତି ତାର,
ବିଷ୍ଣୁ ଭକ୍ତମାନେ ବିଚାର କରନ୍ତି ପରମ ପୁରୁଷ ଘର “
ତେଣୁ ଏହା ପ୍ରମାଣିତ ଯେ ପିଣ୍ଡ ମଧ୍ୟରେ ଥିବା ସହସ୍ର ଦଳରେ ପରମାତ୍ମା ଶ୍ରୀବିଷ୍ଣୁଙ୍କ ଉପସ୍ଥିତି ହିଁ ସର୍ବଦା ଗ୍ରହଣୀୟ । ଯାହାର ବର୍ଣ୍ଣନା ଆମେ ଅଚ୍ୟୁତାନନ୍ଦଙ୍କ ” ଛୟାଳିଶ ପଟଳ “ରେ ବର୍ଣ୍ଣିତ ହୋଇଥିବାର ଦେଖିଲେ । ତେବେ ଏ ପରମାତ୍ମାଙ୍କ ସ୍ୱରୂପ କଣ, ପିଣ୍ଡ ମଧ୍ୟରେ ଏହାଙ୍କ ସ୍ଥିତି କ’ଣ ? ସାଧକ ବଳରାମ ଦାସଙ୍କ “ବ୍ରହ୍ମlଣ୍ଡ ଭୂଗୋଳ “କଥା ଆଲୋଚନାରେ
“କହନ୍ତି କମଳ ଲୋଚନ,
ଏହା ତୁ ଗଣ୍ଠି କରି ଘେନ,
ପଦ୍ମ କମଳ ଫୁଟି ଥିଲା,
ତହିଁରେ ବିନ୍ଦୁ ଯେ ପଡିଲା
ରଜୋବୀର୍ଯ୍ୟଙ୍କ ମଧ୍ୟେ ମୁହିଁ,
ଜ୍ୟୋତି ରୂପରେ ପ୍ରକାଶଇ “
ସତରେ ସେ ଜ୍ୟୋତି ସ୍ୱରୂପ ପରଂବ୍ରହ୍ମଙ୍କ ଯୋଗୁ ହିଁ ଏ ପିଣ୍ଡରେ ପ୍ରାଣ ବିରାଜମାନ କରି ଆମକୁ ସଜୀବର ପ୍ରମାଣ ଦେଉଛି । ଆସନ୍ତୁ ତେବେ ଆଉ ଜଣେ ମହାନ ସାଧକ କବି ଅନନ୍ତଚରଣ ଦାସଙ୍କ “ଭାଗବତ ତତ୍ତ୍ୱ ପରମାର୍ଥ “ଗ୍ରନ୍ଥର ବିଚାରରେ ଆରାଧନା କରିବା — “ନୟନ ପ୍ରତିମା ଶ୍ରୀହରି, ଦେହକୁ ଅଛନ୍ତି ଆବୋରି, ଏଦେହ ନନ୍ଦିଘୋଷ ରଥ, ଅର୍ଜୁନ ମନ ନୃପ ନାଥ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.