ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେପରି ଅନନ୍ତ, ତାଙ୍କର ପିଣ୍ଡ ଓ ବ୍ରହ୍ମlଣ୍ଡ ତତ୍ତ୍ୱ ମଧ୍ୟ ଅସୀମ । କେଉଁଠି ସାଧକ ତଥା କବିଗଣ ଏହି ତତ୍ତ୍ୱକୁ କେଶବ କୋଇଲି ଆଖ୍ୟା ଦେଲେଣି ତ କେଉଁଠି ଏହାକୁ ରାଧା କୃଷ୍ଣ ବିବେଚନା କଲେଣି । କବି ମାର୍କଣ୍ଡ ଦାସଙ୍କ ଲିଖିତ “କେଶବ କୋଇଲି ” ଶ୍ରୀକୃଷ୍ଣଙ୍କ ଲୀଳାମୃତ ବର୍ଣ୍ଣନା କରୁଥିବା ଏକ ମହାନ ଗ୍ରନ୍ଥ । ଏବେ ମଧ୍ୟ ସେ କାଳଜୟୀ, ହୃଦୟସ୍ପର୍ଶୀ ଗୀତ”କୋଇଲିଲୋ, କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଅଇଲା ଲୋ, କୋଇଲି…” ଶ୍ରୀକୃଷ୍ଣ ଚେତନା ସହ ସରଳ ମଣିଷର ହୃଦୟକୁ ମନ୍ଥନ କରେଭି ସତରେ କଣ ତାଙ୍କ ପ୍ରିୟ କୃଷ୍ଣ ଆଉ ଫେରିବେନି ? ପୁନଶ୍ଚ ସଖା ଅର୍ଜୁନ ମଧ୍ୟ ସ୍ୱୟଂ କୃଷ୍ଣଙ୍କୁ ପ୍ରଶ୍ନ କରନ୍ତି । ହେ ସଖା , ଏ କୋଇଲି ଓ କେଶବ କିଏ? ଏହାର ସୁନ୍ଦର ବର୍ଣ୍ଣନା କବି ଜଗନ୍ନାଥ ଦାସଙ୍କ ରଚିତ “ଅର୍ଥ କୋଇଲି “ରେ ବର୍ଣ୍ଣିତ ।
“ପାର୍ଥ ବଚନେ ଯେ ବୋଲନ୍ତି ଭଗବାନ,
ଉତ୍ତମ କଥାଏ ପାର୍ଥ ପଚାରିଲୁ ପୁଣ,
କୋଇଲି ବୋଲିଣ ପାର୍ଥ ଜୀବନଟିକୁ କହି,
ସେହି ଜୀବ ମୁହିଁ ଜାଣ ସର୍ବତ୍ର ଅଛଇ,
ଆପେ ଆସିଥିଲା ଜୀବ ଆପେ ଚାଲିଗଲା
ସେହି ପୁତ୍ର ଗୋଟି ଆଉ ବାହୁଡ଼ି ନୋହିଲା
ଏହି ପୁତ୍ର ଗୋଟି ଯହୁଁ ବାହୁଡ଼ି ନଇଲା,
ଗୋପର ସ୍ୱରୂପ ପିଣ୍ଡ ପଡ଼ିଣ ରହିଲା ।
ଏହାକୁ ଆଉ ସରଳରେ ବୁଝାଇବା ଆବଶ୍ୟକ ନାହିଁ, ଅତି ସରଳରେ କୁହାଗଲା ନଶ୍ୱର ଦେହ ହିଁ ପିଣ୍ଡ ରୂପେ ଗୋପପୁର, ଏହା ପରମ ରୂପୀ ଆତ୍ମା (କୋଇଲି )ବିହୁନେ ଅସାର । ପିଣ୍ଡ ଓ ବ୍ରହ୍ମlଣ୍ଡ ତତ୍ତ୍ୱ ମଧ୍ୟରେ କେବଳ କୃଷ୍ଣ ନାହାନ୍ତି, ଅଛନ୍ତି ମଧ୍ୟ ରାମ, ଯେପରି ସାଧକ ଯଶୋବନ୍ତ ଦାସ ନିଜ ରଚିତ “ପ୍ରେମ ଭକ୍ତି ବ୍ରହ୍ମ ଗୀତା “ରେ ଲେଖିଲେ –
ମାତାର ପଦ୍ମ ଫୁଟିଥାଇ
ତହିଁ ପିତାର ବୀର୍ଯ୍ୟ ରହି
ରଜରେ ବୀର୍ଯ୍ୟ ଜାତ ହେଲା
ରାମ ନାମଟି ବୋଲଇଲା ।
ପୁଣି ଲେଖିଲେ :
ରା ଅକ୍ଷର ରାଧା ହୋଇ
ମ ଅକ୍ଷର କୃଷ୍ଣ ସେହି,
ଏଣୁ ସେ ଲୀଳା ଅଙ୍ଗ ଧରି,
ରାଧା ଅକ୍ଷର ଆଗ କରି,
ମଅ କୁ ପଛ ଯହୁଁ କଲା,
ଯେଣୁ ସେ ରାମନାମ ହେଲା । “
ପରମେଶ୍ୱରଙ୍କ ପିଣ୍ଡ ଓ ବ୍ରହ୍ମlଣ୍ଡ ତତ୍ତ୍ୱ ଭିତରେ ପରମ ପାବନ ଦୁଇ ନାମ ରାମ ଓ କୃଷ୍ଣଙ୍କୁ ଆରୋପିତ କରି ସାଧକମାନଙ୍କ ଜଗତ ଉଦ୍ଧାର କରିବାର ଏ ଯେଉଁ ପ୍ରଚେଷ୍ଟା ତାହା ହିଁ ଶ୍ରୀଜଗନ୍ନାଥ ଚେତନାର ମୂଳ ମନ୍ତ୍ର । କେଉଁଠି ଶ୍ରୀରାମ ଅବତାର ହୋଇ ବି ହଉଛନ୍ତି ସ୍ୱୟଂ ନାରାୟଣ ସ୍ୱରୂପ, ପୁଣି କେଉଁଠି ପିଣ୍ଡରେ ସୂର୍ଯ୍ୟନାରାୟଣଙ୍କ ଉପସ୍ଥିତି ମଧ୍ୟ ଏହି ତତ୍ତ୍ୱକୁ କରୁଛି ଆହୁରି ରସଘନ । କେବଳ ଏତିକି କୁହାଯାଇପାରେ –
“ଚଉଦ ବ୍ରହ୍ମlଣ୍ଡ ପିଣ୍ଡରୁ ମିଳିବ, ମନ ବ୍ରହ୍ମ ରେ ହେବ ଲୟ, ବଂଶୀ, ଶଙ୍ଖ, ଘଣ୍ଟା ବୀଣାଜିଣା ସ୍ୱର ଅଶବଦେ ହେବ ଥୟ “(କବି ଅଚ୍ୟୁତାନନ୍ଦ ଦାସ ) । ତେବେ ପୁଣି ଆଗକୁ ଖୋଜିବା ପିଣ୍ଡ ଓ ବ୍ରହ୍ମlଣ୍ଡର ସମ୍ପୂର୍ଣ ରହସ୍ୟ, ଏବେ ମନରେ ଚିନ୍ତିବା ହୃଷିକେଶ
“ସେହି ସେ ପରମ ପୁରୁଷ, ପରମ ଆତ୍ମା ଏ ପ୍ରକାଶ, ସଚ୍ଚିଦାନନ୍ଦ ସର୍ବେଶ୍ୱର ଶ୍ରୀଜଗନ୍ନାଥ ନାମ ସାର “
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )