Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିରାକାରରୁ ସାକାର

 

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିରାକାରରୁ ସାକାର ହେବା ପାଇଁ ଉଭୟ ପିଣ୍ଡ ଓ ବ୍ରହ୍ମlଣ୍ଡ ର ସୃଷ୍ଟି ରଚିଲେ । ଏଭଳି ଭାବତରେ ବ୍ରହ୍ମlଣ୍ଡ ଓ ପିଣ୍ଡକୁ ଗଢିଲେ ଯେ ଉଭୟ ସଂରଚନା ଦୃଷ୍ଟିରୁ ସମାନ ଲାଗନ୍ତି ସେଥିପାଇଁ ସାଧକ ବଳରାମ ଦାସ ନିଜ ରଚିତ “ଅମରକୋଷ ଗୀତା”ରେ କହିଛନ୍ତି :

ପିଣ୍ଡ -ବ୍ରହ୍ମାଣ୍ଡ ଏକ ଜାଣ,
ତତ୍ତ୍ୱରେ ନୁହଁନ୍ତି ନା ଭିନ୍ନ,
ଯାହା ଦେଖୁଛ ଏ ବ୍ରହ୍ମlଣ୍ଡେ,
ସମସ୍ତ ଅଛି ଏହି ପିଣ୍ଡେ
ବ୍ରହ୍ମlଣ୍ଡେ ଯେତକ ଭିଆଣ,
ପିଣ୍ଡରେ ଅଛଇ ସେମାନ ।

ଯେଉଁଠି ସାଧକ ଉଭୟଙ୍କୁ ଏକ ବୋଲି କହିଗଲେ । ସେଠାରେ ସାଧକ ଅଚ୍ୟୁତାନନ୍ଦ ଦାସ ପିଣ୍ଡରେ ବ୍ରହ୍ମlଣ୍ଡ ଦର୍ଶନ କରି ବର୍ଣ୍ଣନା କଲେ “ଦେହ ଭିତରେଟି ଅଶେଷ ପୁର, ଦେହ ଭିତରେଟି ସଚରାଚର ଦେହ ଯେଉଁ ଲୋକ ଭେଦିଣ ନାହିଁ ତାହାର ଜ୍ଞାନ ଜ୍ଞାନକୁ ନକହି

ଦେହରେ ମୋତେ ଯେବେ ନ ଦେଖିଲା,
ସେ ଲୋକ କେମନ୍ତେ ମୋତେ ପାଇଲା,
ପିଣ୍ଡ -ବ୍ରହ୍ମାଣ୍ଡ ବୋଲି କରି ଦେଖା,
ପୂର୍ବେ ମୁନିମାନେ କରନ୍ତି ଲେଖା, (ଚଉରାଶି ଯନ୍ତ୍ର ) ।

ଟିକିଏ ଅନ୍ୟ ଭାବରେ ପୁଣି “ମନ୍ମଥ ଚନ୍ଦ୍ରିକା “ରେ ଲେଖିଲେ

“ପିଣ୍ଡରେ ବ୍ରହ୍ମଣ୍ଡ, ଅଣ୍ଡ ବ୍ରହ୍ମାଣ୍ଡ ଭିତରେ
ଅଣ୍ଡ ପ୍ରାୟେ କଥାଗୋଟି ବୁଝିବ ମନରେ ।

ଶ୍ରୀଜଗନ୍ନାଥଙ୍କ ପରମ ତତ୍ତ୍ୱ ସହ ଏହି ପିଣ୍ଡ -ବ୍ରହ୍ମlଣ୍ଡ ତତ୍ତ୍ୱ ଏକାଠି ଆଲୋଚନା କରିବାର ମୂଳ ଉଦ୍ଦେଶ୍ୟ ଉଭୟ ପିଣ୍ଡ ଓ ବ୍ରହ୍ମlଣ୍ଡ ତାଙ୍କରି ଇଚ୍ଛା ଶକ୍ତିରୁ ସମ୍ଭୁତ ହୋଇ, ପ୍ରଳୟ କବଳିତ ହୋଇଥାନ୍ତି । ଏହି ଚିନ୍ତାଧାରା ବା ମତ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଆଲୋଚିତ ହେବା ଦ୍ୱାରା ତିଷ୍ଠି ରହିଛି ଓ ସର୍ବଭାରତୀୟ ସ୍ତରରେ ମଧ୍ୟ ସ୍ୱୀକୃତ ହୋଇଛି । ସେଥିପାଇଁ ମହାତ୍ମା ନାନକ ଲେଖିଲେ “ଯୋଇ ବ୍ରହ୍ମାଣ୍ଡ ସୋଇ ପିଣ୍ଡେ “. ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱକୁ ଆହୁରି ଦୃଢ଼ଭାବରେ ମିଶେଇ ଦେବା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ସହ ତୁଳନା କରି ବଳରାମ ଦାସ କହନ୍ତି :-

“ତୁଳସୀ ଚଉରା ଯେ ପୁଣ
କଣ୍ଠ ତଳକୁ ହେ ଅର୍ଜୁନ
ଅଠର ନଳା ଯାହାକୁ କହି
ତୋହର ଗଳା ସେ ଅଟଇ
ବଡ଼ଦାଣ୍ଡ ଯାହା କହି
ଅର୍ଜୁନ ତୋହର ମୁଖ ସେହି
ବାଇଶି ପାହାଚଟି ପୁଣ
କଣ୍ଠ ତଳଟି ହେ ଅର୍ଜୁନ
ବଡ଼ଦେଉଳ ବୋଲି ଯାହା
ନିଶ୍ଚୟ ତୋର ଏ କାୟା
ଗରୁଡ଼ ସ୍ତମ୍ଭ ମନ ହୋଇ
ମଣୋହି କୋଠା ନାସା କହି
ତିନି ଅକ୍ଷର ତିନି ମୂର୍ତ୍ତି
ତୋହର ଚକ୍ଷୁରେ ଅଛନ୍ତି (ବିରାଟ ଗୀତା ) ।

ସାଧକମାନଙ୍କ ଏହି ବର୍ଣନା ସାଧାରଣ ଭାବରେ ଭିତ୍ତିହୀନ ଲାଗିଲେ ମଧ୍ୟ ସାଧନା ମାର୍ଗୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ, ଏହା ମଧ୍ୟରେ ଗୁପ୍ତ ଭାବରେ ଥିବା ଗୂଢ଼ ତତ୍ତ୍ୱକୁ ଉପଯୋଗ କରି ସେମାନେ ସାଧନାରେ ସିଦ୍ଧି ପାଆନ୍ତି । ଆସନ୍ତୁ ଆମେ ଆରାଧନା କରି ପ୍ରଭୁଙ୍କୁ ଉପଲବ୍ଧି କରିବା, ଆଉ ପରମ ବୈଷ୍ଣବ ହେବାକୁ ଚେଷ୍ଠା କରିବା
“ଆତ୍ମା ରୂପୀ ନାରାୟଣ ଜ୍ଞାନେକ ସବୁ ପ୍ରାଣୀ ଯେହୁ, ଏ ବ୍ରହ୍ମାଣ୍ଡ ମଧ୍ୟେ ପରମ ବୈଷ୍ଣବ ଅଟଇଟି ସେହୁ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.