Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିର୍ଗୁଣ ନିରାକାର ସ୍ୱରୂପ ଆରାଧନା ବିଷୟ ଆମେ ଆଲୋଚନା କରିବା ପରିପ୍ରେକ୍ଷୀରେ କିଛି ବିଶେଷଣର ପ୍ରୟୋଗ କରିଥିଲେ । ଆଜି ତାର ସଠିକ ବିଶ୍ଳେଷଣ କରିବା ।

ଅକ୍ଷର :- ସାଧାରଣରେ ଯାହା ଚ୍ୟୁତି, ବିକୃତି, କ୍ଷୟ ରହିତ, ତାହା ହିଁ ଅକ୍ଷର
ଅନିର୍ଦ୍ଧେଶ୍ୟ :- ଯିଏ କୌଣସି ସଂଜ୍ଞା ବା ଲକ୍ଷଣ ଦ୍ୱାରା ନିର୍ଦେଷିତ ନୁହଁନ୍ତି
ଅବ୍ୟକ୍ତ :- ସ୍ୱରୂପରେ ବା ବିଗ୍ରହରେ ବ୍ୟକ୍ତ (ବର୍ଣନା )ଅସମ୍ଭବ ଅଟନ୍ତି
ଅଚିନ୍ତ୍ୟ :- ସର୍ବ ଇନ୍ଦ୍ରିୟ ଅଗୋଚର, ମଣିଷର ଚିନ୍ତାର ଉର୍ଦ୍ଦ୍ୱରେ ଅର୍ଥାତ ଯତୋ ବାଚୋ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ “(ତୈତେରୀୟ ଉପନିଷଦ)
ଅଚଳ :- ସର୍ବ ବିକାର ରହିତ, ମାୟାତୀତ, ଚିରବିରାଜମାନ
କୂଟସ୍ଥ :-ଦୈବୀ ମାୟା ର ଅଧିଶ୍ୱର “ଦୈବୀ ହେସହ୍ୟ ଗୁଣମୟୀ ମମ ମାୟା ଦୂରତ୍ୟୟା “। ଏହି ଦୈବୀ ମାୟାକୁ କୂଟ ବୋଲି କୁହାଯାଏ
ସର୍ବବ୍ୟାପୀ :- “ସର୍ବତ୍ରଗ “ଅର୍ଥାତ ସର୍ବତ୍ର ବ୍ୟାପ୍ତ, ଅପରିଛିନ୍ନ ପରଂବ୍ରହ୍ମ
ଧ୍ରୁବ :- ସ୍ଥିର, ଚିରସତ୍ୟ ପରଂବ୍ରହ୍ମ

ବୃହଦlରଣ୍ୟକ ଉପନିଷଦ, ନିରାକାର ନିର୍ଗୁଣ ପରଂବ୍ରହ୍ମଙ୍କୁ ଏପରି ବର୍ଣ୍ଣନା କରିଛି “ସ ହୋବାଚୈତଦବୈ ତଦକ୍ଷରଂ ଗାର୍ଗି ବ୍ରlହ୍ମଣା ଅଭିବଦ୍ୟନ୍ତ ସ୍ଥୁଳମନଣ୍ଵହ୍ରସ୍ୱ ଦୀର୍ଘଂ ।” ଅର୍ଥାତ ହେ ଗାର୍ଗି, ତୁମର ଜିଜ୍ଞାସିତ ବସ୍ତୁ ହିଁ ଅକ୍ଷର ବ୍ରହ୍ମ, ଯାହାକୁ ବ୍ରହ୍ମଜ୍ଞମାନେ କହନ୍ତି ସେ ସ୍ଥୁଳ ବା ଅଣୁ ନୁହଁନ୍ତି ଅଥବା ହ୍ରସ୍ୱ, ଦୀର୍ଘ ନୁହଁନ୍ତି। ସେ ଆକାର ହିଁ ତେଣୁ ନିରାକାର, ସର୍ବ ଗୁଣର ଉର୍ଦ୍ଦ୍ୱରେ ରହୁଥିବାରୁ ସେ ନିର୍ଗୁଣ। ଏଠାରେ ପ୍ରଶ୍ନ ଆସେ ଆମେ ନିର୍ଗୁଣ ନିରାକାରଙ୍କୁ ଉପାସନା କରିବା ନା ସଗୁଣ ସାକାରଙ୍କୁ ଉପାସନା କରିବା ?

ଏହାର ଉତ୍ତରରେ ଏତିକି କୁହାଯାଏ ଯେ ଅନନ୍ତ କାଳରୁ ଦୁଇଟି ଯାକ ଉପାସନାର ମାର୍ଗ ଉନ୍ମୁକ୍ତ ଅଛି। ଯେପରି ଅଦ୍ୱୈତବାଦୀମାନେ ନିର୍ଗୁଣ ଉପାସକ। କିନ୍ତୁ ଦ୍ୱୈତବାଦୀ ଏହାର ବିରୋଧ କରନ୍ତି। ଏଭଳି କି ଦ୍ୱୈତାଦ୍ୱୈତ ବାଦୀମାନେ ଉଭୟ ନିର୍ଗୁଣ ଓ ସଗୁଣ ଉପାସନାର ପକ୍ଷପାତି ଅଟନ୍ତି। ତେଣୁ ମନରେ କୌଣସି ସଂଶୟ ନରଖି ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଆରାଧନା କରନ୍ତୁ ।

ଏ ମର୍ତ୍ତ୍ୟ ଲୋକେ ମୁହିଁ ଜଗନ୍ନାଥ ସେବି
ଇଛା ହୋଇଲେ ମୁଁ ବୈକୁଣ୍ଠ ଯିବି। ”

ଭକ୍ତ ବଳରାମ ଦାସଙ୍କ ଏହି ଉକ୍ତିକୁ ମାନି ଶ୍ରୀଜଗନ୍ନାଥଙ୍କ ସେବାରେ ମନ ଦିଅନ୍ତୁ। ତାଙ୍କରି ଆଶୀଷ (ଇଛା )ରେ ଆମକୁ ବୈକୁଣ୍ଠ ବାସ ମିଳିବ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Leave A Reply

Your email address will not be published.