Latest Odisha News

BREAKING NEWS

ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା

ପୁରୀ: ଆଜିଠୁ ପୁରୀରେ ‘ବ୍ରିକ୍ସ’ ସମ୍ମିଳନୀ । ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ । ବ୍ରାଜିଲ୍‌, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ । ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆର୍‌ଆର୍‌ଡବ୍ଲୁଜି)ର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ । ଆଜି ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ସହଯୋଗ ଓ ସ୍ଥାୟିତ୍ୱ ବିକାଶ ନେଇ ଆଲୋଚନା ହେବ ।

ଜୁନ୍‌ ୪ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ । ଏହି ଅଧିବେଶନରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା, ସମାବେଶୀ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।

୫ ତାରିଖରେ ବୈଷୟିକ ଅଧିବେଶନ ହେବ । ଏଥିରେ ଜଳବାୟୁ ପ୍ରତିରୋଧ ଭିତ୍ତିଭୂମି, ପାରମ୍ପରିକ ଓ ପ୍ରକୃତି ଆଧାରିତ ସମାଧାନର ସମନ୍ୱୟ, ଡିଆରଆରରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଉପରେ ଆଲୋଚନା ହେବ ।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ଏହି ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ହାଇ-ପ୍ରୋଫାଇଲ୍ ଇଭେଣ୍ଟକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସହର ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ପୁରୀର ବଳିଆପଣ୍ଡାସ୍ଥିତ ତାଜ୍‌ ହୋଟେଲ ପରିସରରେ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ହୋଟେଲକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ।

ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.