Latest Odisha News

BREAKING NEWS

ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ପୋଲିସ ଓ ସେନାର ମିଳିତ ଚଢ଼ାଉ

ବ୍ରହ୍ମପୁର: ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଖବରପାଇବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ଚଢାଉ କରିଛି । ଚଢାଉ ବେଳେ ୪୮୮ ମିଟର କପଡ଼ା ଜବତ କରିଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ।

ତେବେ ଆର୍ମିର ୟୁନିଫର୍ମ ଏମିତି ଖୋଲା ବଜାରରେ ମିଳିବା ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ଅଟେ । ସେଥିପାଇଁ ସେନାର ୟୁନିଫର୍ମ କେବଳ ନିର୍ଦ୍ଧିଷ୍ଟ ସ୍ଥାନରେ ବିକ୍ରି ହୋଇଥାଏ ତାହା ପୁଣି କେବଳ ଆର୍ମି କ୍ୟାଣ୍ଟିନରେ । ବାହାରେ ଏହାର ବିକ୍ରି ନିଷିଦ୍ଧ ରହିଛି । ଏହାସତ୍ତ୍ୱେ ବ୍ରହ୍ମପୁରର ଏକ ଷ୍ଟୋରରେ ଆର୍ମିର ନୂଆ ୟୁନିଫର୍ମ କପଡା ଖୁଲମଖୁଲା ବିକ୍ରି ହେଉଛି । ଯାହାକୁ ନେଇ ଆଜି ଏହି ଚଢାଉ ହୋଇଛି ।

ସୂଚନା ଅନୁସାରେ, ଗଞ୍ଜାମ ଗ୍ୟାଲାକ୍ସି ନାମକ ଏକ ଦୋକାନରେ ଏହି ୟୁନିଫର୍ମ ବିକ୍ରି ହେଉଥିଲା । ଗୋଳବନ୍ଧ ଆର୍ମି ଏଡି କଲେଜରେ କାର୍ଯ୍ୟରତ ଜଣେ କର୍ମଚାରୀ ଏହି ଦୋକାନରେ ୟୁନିଫର୍ମ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଖବର ଦେଇଥିବା ଜଣାପଡ଼ିଛି ।

ବ୍ରହ୍ମପୁର ଏସପିଙ୍କ ସୂଚନା ଅନୁସାରେ, ଏନେଇ ଉକ୍ତ ଦୋକାନୀଙ୍କୁ ପଚରାଯିବାରୁ ଏହି କପଡ଼ା ବାହାରେ ବିକ୍ରି ନିଷେଧ ବୋଲି ସେ ଜାଣି ନ ଥିବା କହିଛନ୍ତି । ଏହି କପଡାକୁ ସେ କଲିକତାରୁ ଆଣିଥିବା ବେଳେ, ଏହା ଲୁଧିଆନାରେ ତିଆରି ହେଉଥିବା କହିଛନ୍ତି । ତେବେ କିଏ ଏହାକୁ ଡିଜାଇନ କରୁଛନ୍ତି, ଏଥିପାଇଁ କିଏ ଲାଇସେନ୍ସ ଦେଲା ତାହାର ତଦନ୍ତ ହେଉଛି । ଆଉ କେଉଁ କେଉଁ ସ୍ଥାନରେ ଏହି କପଡା ବିକ୍ରି ହେଉଛି ତାହାର ତଦନ୍ତ କରାଯାଇ ଉକ୍ତ ସ୍ଥାନରେ ଚଢାଉ କରାଯିବ ।

Leave A Reply

Your email address will not be published.