ବାଲେଶ୍ୱର: ରିଲ୍ ଲାଇଫରେ ଲୋକପ୍ରିୟ ସାଉଁଟିଥିବା ବଲିଉଡ ଫିଲ୍ମ ‘ମୁନା ଭାଇ ଏମବିବିଏସ୍’ ଫିଲ୍ମର ପୁନରାବୃତି ରିଅଲ ଲାଇଫରେ! ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜରେ ଜଣେ ନକଲି ଡାକ୍ତର ହଷ୍ଟେଲରେ ଆସି ୨୨ ଦିନ ରହି ଛାତ୍ରଛାତ୍ରୀଙ୍କ ଦ୍ବାରା ଛେଚା ଖାଇବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ମେଡିକାଲ କଲେଜ କର୍ତ୍ତୃପକ୍ଷ ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିଲେ କିନ୍ତୁ ଏବେ ଏହା ପ୍ରଘଟ ହୋଇଛି।
ଏହି ନକଲି ଡାକ୍ତର ଜଣଙ୍କ ଭଦ୍ରକ ବାସୁଦେବପୁରର ବୋଲି ଜଣାପଡ଼ିଛି। ହଷ୍ଟେଲକୁ ଆସି ନିଜକୁ ଏସସିବି ମେଡିକାଲ କଲେଜରୁ ଆସିଥିବା କହିଥିବା ବେଳେ ସିନିଅର ରେସିଡେଣ୍ଟ ଡାକ୍ତର ବୋଲି ପରିଚୟ ଦେଇଥିବା ସୂଚନା ରହିଛି। ବେକରେ ଷ୍ଟେଥୋସ୍କୋପ୍ ପକାଇବା ସହିତ ଧଳା ରଙ୍ଗର ଆପ୍ରୋନ ପକାଇ ବୁଲୁଥିଲା। ଏହାପରେ ହଷ୍ଟେଲରେ ଥିବା ଛାତ୍ର ତାଙ୍କୁ ସମ୍ମାନ ଦେଇଥିଲେ। ପରେ କିନ୍ତୁ ହାବଭାବରୁ ସନ୍ଦେହ ହେବାରୁ ଜୁନିୟର ଛାତ୍ର ସିନିୟରଙ୍କୁ ଜଣାଇଥିଲେ। ତେବେ ହଷ୍ଟେଲରେ ୨୨ ଦିନ ରହିବା ପରେ ଏହି ନକଲି ଡାକ୍ତର ଧରାପଡ଼ିଥିଲା। ପରେ ଛାତ୍ରଙ୍କ ଦ୍ବାରା ମାଡ଼ ଖାଇଥିଲା।
ଏହି ନକଲି ଡାକ୍ତର ଜଣଙ୍କ ବିଭିନ୍ନ ଓ୍ୱାର୍ଡର ରାଉଣ୍ଡ ବୁଲିବା ସମୟରେ ରୋଗୀମାନଙ୍କୁ ଦେଖିବା ସହ ନର୍ସମାନଙ୍କୁ ବିନା କାରଣରେ ଗାଳି କରିଥିଲା। ଯାହାକୁ ହଜମ କରିପାରିନଥିଲେ ଜଣେ ନର୍ସ। ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ବିଭାଗୀୟ ମୁଖ୍ୟଙ୍କୁ ଫେରାଦ ହୋଇଥିଲେ ନର୍ସ ଜଣଙ୍କ। ପରେ ବିଭାଗୀୟ ମୁଖ୍ୟ ଘଟଣା ସଂପର୍କରେ ଜାଣିବା ପାଇଁ ଉକ୍ତ ଡାକ୍ତରଙ୍କୁ ଭେଟିବାକୁ ଯାଇଥିଲେ। ଏହାପରେ ନକଲି ଡାକ୍ତର ଲୁଚିଥିଲେ। ପରେ ହଷ୍ଟେଲ ଛାତ୍ର ସୁନିଶ୍ଚିତ ହୋଇଥିଲେ ଯେ ହଷ୍ଟେଲରେ ବୁଲୁଥିବା ଡାକ୍ତର ‘ମୁନା ଭାଇ ଏମବିବିଏସ’। ଏହାପରେ ନିର୍ଦ୍ଦୁମ ଛେଚି ଥିଲେ।
ସ୍ଥାନୀୟ ଥାନାରେ ଏ ନେଇ ଏତଲା ହୋଇଥିଲା। କିନ୍ତୁ ତଦନ୍ତ ହେଲେ ହୁଗୁଳା ବ୍ୟବସ୍ଥା ପାଇଁ ଆଗ ସମାଲୋଚିତ ହେବେ ଭାବି କର୍ତ୍ତୃପକ୍ଷ ରଫାଦଫା କରିଦେଇଥିଲେ । ଆଉ ଏହି ନକଲି ଡାକ୍ତରକୁ ଛାଡି ଦେଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ନକଲି ଡାକ୍ତର ହଷ୍ଟେଲ ଆସିବା ପଛର ଉଦ୍ଦେଶ୍ୟ କ’ଣ ଥିଲା, କିପରି ଓ୍ବାର୍ଡରେ ପ୍ରବେଶ କରିପାରୁଥିଲେ ତାହା ହୁଗୁଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏବେ କଲେଜରେ ଆଇଡି କାର୍ଡ ବାଧ୍ୟତାମୂଳକ କରାଯାଇଛି।
Comments are closed.