Latest Odisha News

BREAKING NEWS

ଜାଲ ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା, ହାର୍ଡଡିସ୍କରେ ଲୁଚିଛି ଗୁମର?

ବଲାଙ୍ଗୀର: ଜାଲ୍ ସାର୍ଟିଫିକେଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏହାରି ଭିତରେ ମନୋଜଙ୍କ କୋଚିଂ ସେଣ୍ଟରରୁ ଜବତ ହୋଇଛି କିଛି ୪ଟି କମ୍ପ୍ୟୁଟର ହାର୍ଡଡିସ୍କ। ଏହି ହାର୍ଡଡିସ୍କରେ ଶହ ଶହ ବ୍ଲାଙ୍କ୍ ସାର୍ଟିଫିକେଟ୍ ରହିଛି। ଯାହା ଅସଲି ସାର୍ଟିଫିକେଟ ଭଳି ଦେଖାଯାଉଛି। ଯାହାକୁ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।

ଏବେ ତଦନ୍ତକାରୀ ଟିମ୍ ପାଇଁ ଚ୍ୟାଲେଞ୍ଜ ହେଲା ମନୋଜ ଯେଉଁ ବ୍ଲାଙ୍କ ସାର୍ଟିଫିିକେଟ ହାର୍ଡଡିସ୍କରେ ରଖିଛନ୍ତି ତାହା କେଉଁଠାରେ ପ୍ରିଣ୍ଟ ହେଉଥିଲା? କିଏ ଏହି ନକଲି ସାର୍ଟିଫିକେଟ ଡିଜାଇନ୍ କରୁଥିଲେ? ଏବଂ ଏହା କୋଚିଂ ସେଣ୍ଟରରେ ଛପା ଯାଉଥିଲା କି? ଏଥିରେ କିଏ କିଏ ନିୟୋଜିତ ଥିଲେ?

ତଦନ୍ତକାରୀ ଟିମ୍ ଏହି ଦିଗରେ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଏବଂ ପ୍ରମୁଖ ସହଯୋଗୀ ଆଲୋକ ରଞ୍ଜନ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ଜେରା କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ବଲାଙ୍ଗୀର ଟାଉନ୍ ଥାନା ପୁଲିସଠାରୁ ମାମଲା ଗ୍ରହଣ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ କଲେଜ ଛକରେ ଥିବା ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟର ଓ ବଲାଙ୍ଗୀର ମୁଖ୍ୟ ଡାକଘରକୁ ଯାଇଥିଲା।

ଏହି ସମୟରେ ଡିଏସପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ବଲାଙ୍ଗୀର ଏସପିଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ୍ ଅନ୍ୟ ରାଜ୍ୟକୁ ଯାଇ ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି।

ମାଷ୍ଟରମାଇଣ୍ଡ ନିକଟରୁ ଜବତ ହୋଇଥିବା ଡାଏରୀ ଅନ୍ୟ ଜିଲ୍ଲା ଓ ରାଜ୍ୟକୁ ବ୍ୟାପିଥିବା ଅପରାଧର ଚେର ଖୋଜିବାରେ ସହାୟକ ହେବ ବୋଲି ତଦନ୍ତକାରୀ ଟିମ୍ ବିଶ୍ୱାସ ରଖିଛି।

ଉଲ୍ଲେଖଯୋଗ୍ୟ, ମନୋଜର ସହଯୋଗୀ ତଥା କୋଚିଂ ସେଣ୍ଟର୍‌ର କମ୍ପ୍ୟୁଟର୍‌ ଶିକ୍ଷକ ଆଲୋକ ରଞ୍ଜନ ଉଦ୍‌ଗାତା ଜଣେ ଏମସିଏ ଛାତ୍ର ବୋଲି ସୂଚନା ରହିଛି। ତାଙ୍କ ବାପା ଜଣେ କିରାଣୀ ଥିଲେ। ଏମସିଏ ପାସ କରିବା ପରେ ମନୋଜ ସହିତ ମିଶି କୋଚିଂ ସେଣ୍ଟରରେ କମ୍ପ୍ୟୁଟର ପଢାଉଥିଲେ। ଆଉ ଏହାପରେ ନକଲି ସାର୍ଟିଫିକେଟ ରାକେଟ ଆରମ୍ଭ ହୋଇଥିବା ସୂଚନା ରହିଛି।

ନିକଟରେ ବଲାଙ୍ଗୀର ଡାକଘରେ ଚାକିରି ପାଇଁ ବିଜ୍ଞପ୍ତି ବାହାରିଥିଲା। ଆବେଦନକାରୀଙ୍କ ମଧ୍ୟରୁ କିଛି ଚାକିରି ପାଇ ଯାଇଥିଲେ। ତେବେ ମାର୍କସିଟ୍ ଯାଞ୍ଚ ହେବା ସମୟରେ ଏହି ଜାଲ୍ ସାର୍ଟିଫିକେଟ କାରବାର ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.