ଭୁବନେଶ୍ୱର: ସାଇବର ଅପରାଧୀଙ୍କ ଜାଲରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଏଥର ଅନୁଭବଙ୍କ ନାଁରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁଇଟି ନକଲି ଆକାଉଣ୍ଟ ଖୋଲାଯାଇଛି। ଗତ କିଛି ଦିନ ହେବ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଅନୁଭବଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲାଯାଇ ଅପବ୍ୟବହାର କରାଯାଉଛି। ଏହି ଆକାଉଣ୍ଟରୁ ସାଧାରଣ ଲୋକଙ୍କୁ ମେସେଜ ଜରିଆରେ କର୍କଟ ରୋଗର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମଗାଯାଉଥିବା ଅଭିଯୋଗ କରିଛନ୍ତି ଅନୁଭବ।
ଏହି ନକଲି ଆକାଉଣ୍ଟ ବ୍ୟବହାର କରି ସର୍ବସାଧାରଣରେ ଆର୍ଥିକ ସହାୟତା ମଗାଯାଉଥିବା ସାଂସଦ କମିଶନରେଟ ପୋଲିସ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଏକ ଶିଶୁର କର୍କଟ ରୋଗର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ସମସ୍ତଙ୍କ ମେସେଜ ଦିଆଯାଉଥିଲା। ଆଉ ଏହି ଠକାମିର ଶିକାର ହୋଇଥିଲେ ଅନୁଭବଙ୍କର ଜଣେ ଫ୍ୟାନ। ଏହି ବ୍ୟକ୍ତି ଜଣଙ୍କ ଟଙ୍କା ଦେବା ଘଟଣାଟି ଅନୁଭବଙ୍କ ନଜରକୁ ଆସିଥିଲା। ଏହାପରେ ଅନୁଭବ ମହାନ୍ତି ସାଇବର ଥାନାରେ ଏତଲା ଦେଇଥିଲେ।
ସେପଟେ ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା ଯେ ସାଇବର ଅପରାଧୀମାନେ ଏପରି ନକଲି ଆକାଉଣ୍ଟ ଖୋଲି ସାଧାରଣ ଜନତାଙ୍କୁ ଠକୁଛନ୍ତି ଏବଂ ଟଙ୍କା ସଂଗ୍ରହ କରୁଛନ୍ତି। ତେବେ ଏପରି କେତେ ଜଣ ଏହି ନକଲି ଆକାଣ୍ଟକୁ ଭିତ୍ତି କରି ଟଙ୍କା ଦେଇଛନ୍ତି ଏବଂ ଠକାମିର ଶିକାର ହୋଇଛନ୍ତି ସେ ନେଇ ପୋଲିସ ସ୍ପଷ୍ଟ ହୋଇପାରି ନାହିଁ। ସେପଟେ ସାଂସଦଙ୍କ ନାଁରେ ଖୋଲାଯାଇଥିବା ନକଲି ଆକାଉଣ୍ଟକୁ ବ୍ଲକ କରିଦିଆଯିବା ସହ ଆକାଣ୍ଟ ଖୋଲିଥିବା ବ୍ୟକ୍ତିଙ୍କ ଆଇପି ଆଡ୍ରେସକୁ ଟ୍ରାକ କରୁଛି ସାଇବର ଥାନା ପୋଲିସ ।
Comments are closed.