ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
କଳାଟଙ୍କାର ବସ୍ତା ଉଠାଇଚାଲୁଥିବା ଧଳାହାତୀମାନଙ୍କ ଗୋଦରା ଗୋଡ ତଳେ ଦଳାଚକଟା ଖାଇ ଖାଇ ଆମ ଗଣତନ୍ତ୍ର ଆଜି ରକ୍ତବାନ୍ତି କରୁଛି ! ଏ ରକ୍ତବାନ୍ତିର ରାଜନୀତି ସହର ସଡକରୁ ଗଡିଆସୁଛି ଗାଆଁ ଗଡଜାତକୁ । ଏବକୁ ଏବେ ଗରିବ ଗ୍ରାମବାସୀ ଓ ବିସ୍ଥାପିତ ବନବାସୀଙ୍କୁ କବଳିତ କରିବାକୁ ଗଣତାନ୍ତ୍ରିକ ଗୋଲକଧନ୍ଦା ସୃଷ୍ଟି କରାଯାଉଛି ସବୁଠି । ଏ ଗୋଲକଧନ୍ଦା ହେଉଛି କଂଟ୍ରୋଲ ଓ ପରମିଟ୍ରାଜ୍ – ଯାହାକୁ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ସବୁ ଦୁର୍ନୀତିର ମୂଳ ବୋଲି ଚିହ୍ନଟ କରି ରେସକ୍ୟୁ ଡେମୋକ୍ରେସି ତଥା ‘ଗଣତନ୍ତ୍ର ବଞ୍ଚାଅ ’ର ଡାକରା ଦେଇଥିଲେ ଅତୀତରେ । ସେ ଡାକରା ପ୍ରତି କିନ୍ତୁ ଭାରତବର୍ଷର କୌଣସି ରାଜନୈତିକ ଦଳ କର୍ଣ୍ଣପାତ କରିନାହାନ୍ତି କେବେ ହେଲେ – ନିଜନିଜ ଆସନକୁ ଶାସନରେ ସୁରକ୍ଷିତ କରି ରଖିବାର ସୁପରିକଳ୍ପିତ ଷଡଯନ୍ତ୍ର ଯୋଗୁ । ଏ ଦଳସବୁ ଦୁର୍ବୁର୍ତ୍ତ ଏମାନେ ଦାରିଦ୍ର୍ୟକୁ ଧ୍ୱନି କରିଦେଇ ସାରା ଭାରତବର୍ଷରେ ରାଜନୈତିକ ଦଲାଲିର ଦୋକାନଦାରି ଜରିଆରେ ଆମ ଅର୍ଥନୀତିକୁ ବ୍ୟର୍ଥନୀତିରେ ପରିଣତ କରିଦେଲେ । କେବେକେବେ କେଉଁ ଚେକ୍ଗେଟ୍ରେ କ୍ୱିଂଟାଲ୍ କ୍ୱିଂଟାଲ୍ ଚିନିଚାଉଳ ବୋଝେଇ ଟ୍ରକ୍ସବୁ ଧରାପଡିବାର ଖବର ଛପା ହେଉଛି ସିନା, ଲୋକଲୋଚନର ଅଗୋଚରରେ କିନ୍ତୁ ପ୍ରତିଦିନ ଉଭାନ୍ ହୋଇଯାଉଚି ଟ୍ରକ୍ଟ୍ରକ୍ ମାଲ୍ ! ଚୋରା ଚାଲାଣର ଏ କଳା କାରବାର ଆଗରେ ଗୋରାଶାସନର ସେ ଭାରତବର୍ଷ ବି ଭାଣ୍ଡିଆ ଅଥଚ ରାଜନୀତିର ରେକର୍ଡ ବାଜୁଚି ଜୟ ହୋ – ଆଇ ଲଭ୍ ମାଇ ଇଣ୍ଡିଆ !
ମୂଳ ମିଡିଆ, ଗରିବର ଗଣତନ୍ତ୍ର ଉପରେ ଗଦାଗଦା ମେଘ ଘନେଇ ଆସୁଚି କଳାହାଣ୍ଡିଆ ଇଏ ଚାନ୍ଦୀ ଚାଣକ୍ୟନୀତି ଗାନ୍ଧୀବାଦକୁ କରିଦେଇଚି ପୂରା ନାଣ୍ଡିଆ !
ଏପଟେ ଯୋଜନା, ସେପଟେ ବାଟମାଗଣା ଭାରତୀୟ ରାଜନୀତିର ଗୋଟାଏ ମୁଦ୍ରାରେ ଦୁଇଟା ପାଶ୍ୱର୍ । ଯୋଗାଣ ବିଭାଗକୁ ଯୋଗଣିଖିଆ ଗାଳିଦେଉଥିବା ଗାଆଁମାଇପିଙ୍କ ଗଣତନ୍ତ୍ର ଆଜି ବିଶ୍ୱରାଜନୀତିର ବିଶ୍ୱାସ ହରାଇବାକୁ ବାଧ୍ୟ । ରାଜଗୋପାଳଚାରୀଙ୍କ ‘ଗଣତନ୍ତ୍ର ବଞ୍ଚାଅ ’ ଆଜି ଅହେତୁକ ଆର୍ତନାଦ । କି ଗଣତନ୍ତ୍ର ? ଗଣତନ୍ତ୍ର ନାଆଁରେ ଗୋଟାଏ କଣପଟିଆ ଅମଲାତନ୍ତ୍ର । ସରକାର କ’ଣ ବୁଝେ କାହାର କୋଉଟା ଦରକାର ? ବରଂ ମଲାଙ୍ଗ ପରି ମାଡିଯାଉଚି ଗୋଟାଏ
ସୁବିଧାବାଦୀ ଗୋଷ୍ଠୀର ଦାପ୍ତରିକ ଦରବାର । ଏ ବୃହତମ ଗଣତନ୍ତ୍ରର ଦେଶରେ ସରକାରୀ ନୀତି ଦୃଷ୍ଟିରୁ ସମସ୍ତେ ସମାନ ସୂଚାଇଦିଆଯାଏ । କିନ୍ତୁ ଏତେ ସୁବିଧାବାଦୀ ଗୋଷ୍ଠୀ କାହିଁକି ଏଠି ? ଏଇ ଧର ଯେମିତି ଟେଲିଫୋନ୍ ବିଭାଗବାଲାଙ୍କୁ ମିଳେ ମାଗଣା ଫୋନ୍, ରେଳବାଇ ବିଭାଗବାଲାଙ୍କୁ ମାହାଳିଆ ରେଳଯାତ୍ରା, ବ୍ୟାଙ୍କ୍ବାଲାଙ୍କୁ ଶତକଡା ଶୂନ୍ ସୁଧହାରରେ ହାଉସ୍ ବିଲ୍ଡିଂ ଲୋନ୍, ଏଲ୍.ଆଇ.ସି. କର୍ମଚାରୀଙ୍କୁ ତାଙ୍କ ଜୀବନବୀମା ପଲିସି ପାଇଁ ପ୍ରିମିୟମ୍ ଦେବାକୁ ପଡେ ସାଧାରଣ ଜନତାଠାରୁ ୧୦ ପ୍ରତିଶତ କମ୍ – ଗୋଟିଗୋଟି ଗଣିଚାଲିଲେ ଆଳୁ ଖୋଳୁଖୋଳୁ ବାହାରିପଡିବେ ମହାଦେବ ! କିନ୍ତୁ ବିଜୁଳିବାଲାଙ୍କୁ ବିଜୁଳି ଖର୍ଚ୍ଚରୁ ବାଦ୍ ଦିଆଯିବା କଥା ଉଠିଚି କି ? ଜଙ୍ଗଲି ଆଦିବାସୀଙ୍କୁ ଜମି ଯୋଗାଇବା ଯୋଜନା କାର୍ଯ୍ୟ କରିଚି କି ? ଚାଷୀସମାଜକୁ କରଭାରରୁ ମୁକୁଳା ସରିଛି କି ? ଶିଶୁଶ୍ରମିକକୁ ସୁସ୍ଥଜୀବନଧାରାକୁ ଫେରାଇଆଣି ଶିକ୍ଷାସ୍ୱାସ୍ଥ୍ୟାଦିର ସୁବିଧା ସୁଯୋଗ ଦିଆଯାଇଚି କି ? ନାରୀସମାଜକୁ ସୁରକ୍ଷା ସକାଶେ ସ୍ୱତନ୍ତ୍ର ସମ୍ମାନ ସମର୍ପଣ କରାଯାଇପାରିଚି କି ? ପ୍ରଶ୍ନ ତ ପ୍ରଚୁର – ମାତ୍ର ପ୍ରକୃତ ଗଣତନ୍ତ୍ର ନିକଟରେ ପହଞ୍ଚିବା ପାଇଁ ଭାରତୀୟ ରାଜନୀତିର ପ୍ରସ୍ତୁତି କେତେ ଦୂର ?
ରାଜୀନତି ଆଜି କୁବେରକୃତ କୁତ୍ସିତ କୁଚକ୍ର । ଅନ୍ୟର ଜୀବନଠୁ ନିଜ ଧନଟା ବଡ; ଯେମିତି ଅନ୍ୟର ବ୍ୟକ୍ତିଚୁକ୍ତିଠୁ ନିଜର ଫାଙ୍କିବାଜିଟା ନିହାତି ପ୍ରିୟ । ଏଭଳି ଗୋଟାଏ ବିକୃତି ଏବେ ଭାରତୀୟ ରାଜନୀତିରେ ସ୍ୱୀକୃତି ପାଇସାରିଚି, ବନ୍ଧୁଗଣ !
ଆଦର୍ଶକୁ ଫାଦର୍ସ ପ୍ରପର୍ଟିରୁ ଫିଙ୍ଗି ଦିଆଯାଇଚି କେବଠୁ । ବରଂ ଯାହା ବାପ ଚଢିଥାଏ ଘୋଡା, ତା’ ପୁଅ ପାଇଁ ଆଜି ଫୁଲଶେଯ ଲୋଡା । ଚେଇଁଥିବା ବାପମାନେ ଚାଲିଗଲେଣି, ଶୋଇଥିବା ପୁଅଝିଅମାନେ ଶାସନକୁ ଆସନ କଲେଣି । ନିର୍ବାଚନବେଳେ ସମସ୍ତେ କହୁଛନ୍ତି ନମସ୍ତେ – ମାତ୍ର ଭୋଟ୍ ହାତେଇଲା ପରେ କଥାକୁହା କପିଳାମାନେ କପିଳେନ୍ଦୁ, କାଶିକାଶି କାଶିଆମାନେ କାଶୀପୁରରେ ଥାଇ ଶୁଣୁଛନ୍ତି ଯେ ମାଓ ମାତିଛନ୍ତି ମହାବଳ ବାଘଙ୍କ ମାର୍କାମରା ମଧୁବନସ୍ତେ !
ଭାରତୀୟ ରାଜନୀତିର ଭସ୍ମାସୁର ଆଜି ଓଡ଼ିଶା ମୁଣ୍ଡରେ ବି ହାତ ମାରିବାକୁ ତୟାର୍ ! କଥାକଥାକେ ଉଠୁଚି ସେଇ ଶସ୍ତା ସ୍ଲୋଗାନ୍ – କେନ୍ଦ୍ରର କୁକର୍ମ ସବୁ, ସେଥିପାଇଁ ରାଜ୍ୟ ପାଲଟିଲା କର୍ମକୁଣ୍ଠ କୂର୍ମକୂଟ ! ପ୍ରିୟ ଭାଇଭଉଣୀ ମୋର, ତମେ ହାତ କାଟି କାହାକୁ ବଢେଇ ଦେଉଚ ଭୋଟ୍ ? ଏଇ ଭଣ୍ଡ ଭେରଣ୍ଡ-ଚଣ୍ଡମୁଣ୍ଡ ଚକ୍ରଚାଳିତ ଚଞ୍ଚଳ ଚରିତ୍ରମାନଙ୍କୁ ? ଆଜି ଆସି କୀର୍ତନ କରୁଥିବା ଏଇ କିନ୍ନରକିନ୍ନରୀମାନେ ଜାଣନ୍ତି କି ତମ ଜିଲ୍ଲାର ଖବର – ରାଜ୍ୟର ସମାଚାର ? ତମ ଆଶାଆକାଂକ୍ଷା ତ ଦୂରର କଥା, ତମ ଭାଷାସଂସ୍କୃତିର ଖୋଜ୍ଖବର କିଛି ରଖିଛନ୍ତି କି ସେମାନେ ? ପଚାର-ପଚାର – ପଚାର । ସେମାନଙ୍କର ପଚାଶ ପ୍ରକାର ପ୍ରଚାର । ଏ ପ୍ରତାରକବର୍ଗର ପ୍ରାଚୀରପତ୍ର ଦେଖି ହଜାଇ ଦିଅନା ତମ ବିବେକର ବିଚାର !
ବିଳିବିଳଉଥିବା ବିଳାସୀ ବାକ୍ ବାହାଦୂରମାନେ ଚାହାପିଆ ଚେଲାଚାମଚାଙ୍କୁ ଧରି ବାହାପିଆ ବହପ ଦେଖାଉଛନ୍ତି ତମକୁ । ସେମାନେ କୁଆଡେ ସବୁ ସୁଧାରିଦେଇଛନ୍ତି , ସଜାଡି ଦେଇଛନ୍ତି ପାଞ୍ଚ ବର୍ଷ ପାଇଗଲେ କାଚକୁ କାଞ୍ଚନ କରିଦେବେ ବୋଲି କୁହାଟ ଛାଡୁଛନ୍ତି । ତମେ ବିଶ୍ୱାସ କରୁଚ ଜନସ୍ୱାର୍ଥର ଏ ଜବରଦସ୍ତ ଜହ୍ଲାଦମାନଙ୍କୁ ? ଏତେ କାଳ ଧରି ତମରି ପଇସାରେ ପଇଁତରା ମାରୁଛନ୍ତି ଏମାନେ ଗାଡିରେ ଗସ୍ତ, ମଜଲିସ୍ରେ ମସ୍ତ, ବ୍ୟବସ୍ଥାରେ ବ୍ୟସ୍ତ ହଟଚମଟରେ ହସ୍ତ । କେବେ ହେଲିକେପ୍ଟର, କେବେ ଏରୋପ୍ଲେନ୍ – କେବେ ହୀରାମୁଦି, କେବେ ସୁନାଚେନ୍ । ତମ ସମତଳ ସହିତ ସମ୍ପର୍କ ଶୂନ୍ୟ ଶାସନର ସଭାସଦ୍ ଏମାନେ !
ତମ ଉପତ୍ୟକା ସହିତ ସଂଯୋଗଶୂନ୍ୟ ପ୍ରଶାସନର ପ୍ରବର୍ତକ ଏ ପ୍ରବଚଂକବର୍ଗ । ଏମାନେ ରାଜନୀତି କରନ୍ତି ବ୍ୟବସାୟୀ ଭଳି, ବଣିକ ଭଳି । ଏ ଲୁଟେରାଙ୍କୁ ଲଟେରୀଟିକେଟ୍ ପରି ଭୋଟ୍ଖଣ୍ଡିକ ବଢେଇ ଦେବା ଆଗରୁ ଭାବିନିଅ ଥରେ – ତମେ ଅନ୍ଧକୂପକୁ ତମ ରତ୍ନମୁଦିକୁ ଫିଙ୍ଗିଦେଉନ ତ ? ବରଂ ଗୋଟିଏ ଗୋଟିଏ ଭୋଟ୍ ଗୋଟିଏ ଗୋଟିଏ ରତ୍ନମୁଦିକୁ ବି ବଳିଯିବ ମୂଲତଉଲରେ । ଭାଇମାନେ, ଭଉଣୀମାନେ – ଇଏ ଭାବିବାର ବେଳ, ସାରିଦିଅ ସବୁ ମିଛ ସତ୍ୟପାଠର ଖେଳ !
ଆଜି ରାଜନୀତି ଏଭଳି ମାତ୍ରାଧିକ ବ୍ୟୟବହୁଳ ବ୍ୟବସ୍ଥା ହୋଇସାରିଛି ଯେ ସଚ୍ଚାମଣିଷମାନଙ୍କର ଆଉ ଠାବ ନାହିଁ ଏଠି । କେବଳ ଟଙ୍କା ଥିଲେ ଟିକେଟ୍ କିଣି ନିର୍ବାଚନର କ୍ରିକେଟ୍ ଖେଳିହୁଏ ଏ ରଙ୍ଗିଲା ରାଜନୀତିରେ । ଯୋଗାଡ କରିହୁଏ ଭଡାଟିଆ ଭାଟ, ନିଲାମ କରିନିଆହୁଏ ନିତିଦିନିଆ ଖବରକାଗଜର ସୁସଜ୍ଜିତ ଶୀର୍ଷକ ଟିଭିଚ୍ୟାନେଲ୍ର ଟୁକୁରା ଟୁକୁରା ଟକ୍ ଇଂଟରଭିୟୁ ନାନାଦି ବିଶେଷଣର ବିଶ୍ଲେଷଣ ଭାବମୂର୍ତ୍ତି ବର୍ଦ୍ଧକ ଭାଷଣ କେତେ କ’ଣ ! ଗରିବ ଓଡିଶାରେ ବେଶ୍ ଶସ୍ତାରେ କିଣିନେଇ ହୁଏ ଏ ନିର୍ମଳ ଭାବମୂର୍ତ୍ତି । ସେ ନିର୍ମଳ ଭାବମୂର୍ତ୍ତି ଏତେ ସହାୟକ ଯେ ନେତା କିଛି ନ କହି ଖାଲି ମୁରୁକିହସରେ ମୁଲାୟମ୍ ମୁଦ୍ରାଟାଏ ପ୍ରଦର୍ଶନ କଲେ ବି ଯଥେଷ୍ଟ । ଅର୍ଥବଳ ସହିତ ଅସୁରବଳ ମିଶି ଓଡିଶା ରାଜନୀତିକୁ ଆଜି ପଡିଶା ରାଜ୍ୟକୁ ବି ଚିହ୍ନାଇ ସାରିଛି । ଟଙ୍କା ଦିଅ, ଲଙ୍କା ନିଅ । ସୁବର୍ଣ୍ଣପୁରୀ – ଶୁଭୁଚି ସେଇଠି ଶାସନତୂରୀ କିଏ ଶୁଣୁଚି ସେଠି ଗରିବଗୁହାରି ? ଅଥଚ ନିର୍ବାଚନର ନାଗରା ବାଜିଲେ ନଗଦ ନାରାୟଣଙ୍କ ଏଇ ନମ୍ବରୀ ଭକ୍ତମାନେ ତମ ଝୁମ୍ପୁଡି ଦୁଆରବନ୍ଧକୁ ଝୁଣ୍ଟିପଡି ଝୁରିମରିବାର ଝଲକ ଦେଖାନ୍ତି ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩