Latest Odisha News

BREAKING NEWS

କାଚ ବୋତଲରେ ବିଦେଶୀ ବ୍ରାଣ୍ଡର ଷ୍ଟିକର ଲଗାଇ ବିକ୍ରି ହେଉଥିଲା ନକଲି ମଦ

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ରାଣୀବନ୍ଧ ଅଞ୍ଚଳରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ସୁରଜ ବେହେରା। ନକଲି ଔଷଧ, ତେଲ, ସସ୍, ସିମେଣ୍ଟ୍ ଜବତ ହେବା ପରେ ନକଲି ମଦ ଜବତ ହେବା ପରେ ସାରା ରାଜ୍ୟରେ କିଭଳି ନକଲି ଖାଦ୍ୟ ଓ ପାନୀୟ ସାମଗ୍ରୀ ବିକ୍ରି ହେଉଛି ତାର ଏକ ପ୍ରମାଣ ମିଳିଛି। ଯାହାକି ଚିନ୍ତାଜନକ।

ସ୍ଥାନୀୟ ଅଞ୍ଚଳରେ ବେଆଇନ ବିଦେଶୀ ମଦ ପ୍ରସ୍ତୁତି ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ରାଣୀବନ୍ଧ ଅଞ୍ଚଳରେ ଥିବା କେତେକ ସ୍ଥାନରେ ଚଢ଼ାଉ କରିଥିଲା। ଚଢାଉ ସମୟରେ ଉକ୍ତ ସ୍ଥାନରୁ ଅନେକ ନକଲି ବିଦେଶୀ ମଦ ବୋତଲ, ସରଞ୍ଜାମ ଓ ପ୍ୟାକେଜିଂରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବିଭିନ୍ନ ସ୍ପିରିଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ନକଲି କିମ୍ବା ଅପମିଶ୍ରିତ ମଦ ପ୍ରସ୍ତୁତ କରୁଥିଲେ ଏବଂ କେତେକ ଆମଦାନୀ ହୋଇଥିବା ବିଦେଶୀ ବ୍ରାଣ୍ଡର ଲେବୁଲ ସହ ବୋତଲରେ ପ୍ୟାକିଂ କରୁଥିଲେ।

ଅଭିଯୁକ୍ତ ଜଣଙ୍କ କହିଛନ୍ତି, ନକଲି ବିଦେଶୀ ମଦ ତିଆରି ନେଇ ମୋର କୌଣସି ଜ୍ଞାନ ନାହିଁ। ଏହି ଘରେ ଜଣେ ବ୍ୟକ୍ତି ଭଡ଼ାରେ ରହୁଥିଲେ। ସେ ହୁଏତ ଏଠାରେ ମଦ ବୋତଲ ଗଚ୍ଛିତ କରି ରଖିଥିବେ ବୋଲି ଅଭିଯୁକ୍ତ କହିଛନ୍ତି। ତେବେ ଅବକାରୀ ଡେପୁଟି କମିସନର ରାଜେନ୍ଦ୍ର ଭୋତ୍ରାଙ୍କ ସୂଚନା ଅନୁଯାୟୀ ଏହି ନକଲି ବିଦେଶୀ ମଦ ପ୍ରସ୍ତୁତି ପଛରେ ଏକ ରାକେଟର ହାତ ରହିଛି।

କୋଲକାତାର ଜସବୀର ସିଂହ କୋହଲି ଏହି ରାକେଟ୍ ପଛରେ କିଙ୍ଗପିନ୍ ବୋଲି ସେ କହିଛନ୍ତି। ସେ ଅଭିଯୁକ୍ତମାନଙ୍କୁ ସ୍ପିରିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଆସୁଥିଲା। ଅଭିଯୁକ୍ତମାନେ ସେହି ସ୍ପିରିଟ୍ଗୁଡ଼ିକୁ ମିଶାଇ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ନକଲି ସାମଗ୍ରୀ ଯୋଗାଇ ଦେଉଥିଲେ। ଏମାନେ ନକଲି ବିଦେଶୀ ମଦ ବୋତଲକୁ କମ୍ ମୂଲ୍ୟରେ ବିକ୍ରି କରୁଥିଲେ।

ସାଧାରଣତଃ କଟକ ଓ ଭୁବନେଶ୍ୱରରେ ଏପରି ନକଲି କାରବାର ପୂର୍ବରୁ ଧରାପଡ଼ିଥିଲା। ଏବେ ଏପରି କାରବାର ପଶ୍ଚିମ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.