Latest Odisha News

BREAKING NEWS

‘ଓଡ଼ିଶା ପର୍ବ’ରେ ମୁଢି ମାଂସ ସହିତ ଛେନାପୋଡର ମଜା ନେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଓଡ଼ିଶା ପର୍ବ – ୨୦୨୩’। ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ। ଏହି ଅବସରରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ ଏବଂ ଜି. କିଷାନ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। କରୋନା ପାଇଁ ବନ୍ଦ ରହିଥିଲା ଏହି ପର୍ବ । ଚଳିତଥର କିନ୍ତୁ ଏହି ପର୍ବରେ ଅନେକ ଲୋକ ଉତ୍ସାହର ସହିତ ଯୋଗ ଦେଇଥିଲେ।

ଏହି ପର୍ବର ଆୟୋଜକ ଓଡିଆ ସମାଜକୁ ଧନ୍ୟବାଦ ଜଣାଇବା ସହ ଧର୍ମେନ୍ଦ୍ର କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ମହାମାରୀ କାରଣରୁ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶା ପର୍ବ ଆୟୋଜନ ହେବା ଆନନ୍ଦର ବିଷୟ । ପୂର୍ବ ଭଳି ଏହାକୁ ଦେଖିବା ନେଇ ଲୋକ ମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଓ ଭିଡ ମଧ୍ୟ ହେଉଛି ।

ଓଡ଼ିଆ ସମାଜ ଏହି ପର୍ବ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ନୃତ୍ୟ, କଳା କାରିଗରୀ, ସାହିତ୍ୟ, ଗୌରବମୟ ଇତିହାସ ଓ ସ୍ଵାଧୀନତା ସଂଗ୍ରାମର ପରାକାଷ୍ଠା ଏବଂ ପାରମ୍ପରିକ ଖାଦ୍ୟକୁ ନିଆରା ଢଙ୍ଗରେ ଉପସ୍ଥାପନ କରୁଛି । ଏଠାରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ରକୁ ଜାଣିବା ସହ ମୟୂରଭଞ୍ଜର ପ୍ରସିଦ୍ଧ ମୁଢିମାଂସକୁ ଖାଇ ରାଜଧାନୀବାସୀ ଆନନ୍ଦ ନେଉଛନ୍ତି ।

ଏହି ସମାରୋହରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରଣ ରିଜିଜୁଙ୍କ ସହ ଯୋଗ ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦୁଇ ମନ୍ତ୍ରୀଙ୍କୁ ଛେନାପୋଡ ଓ ରସଗୋଲା, ମୁଢି ମାଂସ ଓ ଆରିସା ପିଠା ଖୁଆଇବା ସହ ଓଡ଼ିଶାର କଳା, ହସ୍ତତନ୍ତ, ବୟନଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଉପରେ ବୁଝାଇଥିଲେ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପରାହ୍ଣରେ ଓଡିଶା ପର୍ବରେ ଯୋଗ ଦେଇଥିବା ଓଡ଼ିଆ ବନ୍ଧୁ, ଭାଇ ଭଉଣୀ ଓ ଯୁବସାଥୀ ମାନଙ୍କୁ ଭେଟିବା ସହ ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.