ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏକ ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ କରିଛି। ବଲାଙ୍ଗୀର ଜିଲ୍ଲାରୁ ଏହି ନକଲି ଟଙ୍କା କାରବାର ଧରାପଡିବା ସହିତ ମୋଟ୍ ୩୧.୨୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି।
ବଲାଙ୍ଗୀର ପୁଲିସ ସହାୟତାରେ ଏସଟିଏଫ୍ ଟିମ୍ ମଧ୍ୟ ଏହି ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତା’ର ସହଯୋଗୀ ପୁଲିସକୁ ଚକମା ଦେବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା କଣ୍ଟାମାଳର ଲିଙ୍ଗରାଜ ବେହେରା ବୋଲି ଜଣାପଡିଛି।
ରେଡ୍ ବେଳେ ଏସଟିଏଫ୍ ଟିମ୍ ଲିଙ୍ଗରାଜ ନିକଟରୁ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ମଧ୍ୟରେ ୩୧,୨୭,୫୦୦ ଟଙ୍କା ନକଲି ନୋଟ୍ ଜବତ କରିଥିଲା। ଏଥସହ ଲିଙ୍ଗରାଜ ନିକଟରୁ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଲିଙ୍ଗରାଜ ଏଭଳି ନକଲି ନୋଟ୍ କରିବା ପଛର କାରଣ କଣ ଜଣାପଡି ନାହିଁ। ହେଲେ ପୋଲିସ ତାକୁ ଗିରଫ କରି ଟିଟିଲାଗଡ଼ ଏସଡିଜିଏମ କୋର୍ଟକୁ ଚାଲାଣ କରିଥିବା ଏସଟିଏଫ କହିଛି।
ଅଭିଯୁକ୍ତ ନାଁରେ ଏସଟିଏଫ ମାମଲା ରୁଜୁ କରି ଦଫା ୪୨୦/୪୬୮/୪୭୧/୪୮୯-ଏ/୪୮୯-ବି/୪୮୯-ସି/୪୮୯-ଡି/୧୨୦(ବି) ଲଗାଇଛି।
ଚଢ଼ାଉ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏସପି କେ. କେ. ପାଣିଗ୍ରାହୀ କହିଛନ୍ତି, ଆମେ ତାଙ୍କ ନିକଟରୁ ୩୧.୨୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛୁ । ଜଣେ ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଛି। ତାକୁ ଧରିବା ପାଇଁ ଆମେ ତନାଘନା ଆରମ୍ଭ କରିଛୁ। ଆମ ଟିମ୍ ଏବେ ଟିଟିଲାଗଡ଼ରେ ଅଛି।
ସୂଚନାଯୋଗ୍ୟ, ଏସଟିଏଫ ଏଯାବତ ୭୮ ଲକ୍ଷ ୭୦ ହଜାର ୬୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି।
Comments are closed.