ରାଉରକେଲା:ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ବିପୁଳ ପରିମାଣରେ ନାମୀ ଦାମୀ କମ୍ପାନୀର ନକଲି ଘଣ୍ଟା ଜବତ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏମ୍ ଡି ସୋହେଲ ଅହମ୍ମଦ, ଇମ୍ରାନ ଅହମ୍ମଦ , ଏମଡି ଉମର ଆଲମ୍, ଏମଡି ଆସିମ୍ । ସମସ୍ତ ଅଭିଯୁକ୍ତଙ୍କ ଘର ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳର ବୋଲି ସୂଚନା ରହିଛି ।
ନାମୀ ଦାମୀ କମ୍ପାନୀର ନକଲି ଘଣ୍ଟା ରାଉରକେଲା ସହର ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସେମାନେ ଯୋଗାଉଥିଲେ । ଆଉ ଲୋକଙ୍କୁ ନକଲି ନାମୀଦାମୀ ଘଣ୍ଟା ଦେଇ ଅସଲି ବ୍ରାଣ୍ଡର ଟଙ୍କା ନେଉଥିଲେ ।
ପୋଲିସର ସୂଚନାନୁସାରେ; ଟାଇଟନ୍, ଫାଷ୍ଟ୍ରାକ୍ ଓ ସୋନାଟା ଭଳି ବ୍ରାଣ୍ଡର ନକଲି ଘଣ୍ଟା ସାଧାରଣ ଗ୍ରାହକଙ୍କୁ ବିକ୍ରି କରାଯାଉଥିଲା । ଏଥିରୁ ଅଭିଯୁକ୍ତମାନେ ବ୍ୟକ୍ତିଗତ ଭାବେ ଲାଭ ଉଠାଉଥିବା ପୋଲିସ କହିଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ଫାଷ୍ଟ୍ରାକ୍ର ନକଲି ଟ୍ୟାଗ୍, ଲେଦର ବେଲ୍ଟ ଘଣ୍ଟା, ବ୍ଲାକ୍ ଚେନ୍ ଘଣ୍ଟା, ସିଲଭର ଚେନ୍ ଘଣ୍ଟା ଏବଂ ଗୋଲ୍ଡେନ୍ ଚେନ୍ ଘଣ୍ଟା । ସେହିପରି ଟାଇଟନ୍ ଓ ସୋନାଟା ବ୍ରାଣ୍ଡର ନକଲି ଘଣ୍ଟା, ଚେନ୍, ଲେଦର ବେଲ୍ଟ, ଡାଏଲ୍, ଟ୍ୟାଗ୍ ଓ ଖାଲି ବକ୍ସ ମଧ୍ୟ ଜବତ ହୋଇଛି । ପୋଲିସର ତାଲିକା ଅନୁସାରେ, ୨୯୨ଟି ନକଲି ଫାଷ୍ଟ୍ରାକ୍ ଟ୍ୟାଗ୍, ୧୧୫ଟି ନକଲି ସୋନାଟା ଟ୍ୟାଗ୍ ଏବଂ ୮୪ଟି ନକଲି ଫାଷ୍ଟ୍ରାକ୍ ଲେଦର ଘଣ୍ଟା ସମେତ ବହୁ ସଂଖ୍ୟକ ନକଲି ଘଣ୍ଟା ଓ ଆକ୍ସେସରିଜ୍ ଜବତ ହୋଇଛି ।
ଏହି କାରବାରରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ଅଛି ତାହାର ତଦନ୍ତ କରୁଛି ପୋଲିସ ।

