ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଆଲିଗଡ ଗାଁରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି । ଉକ୍ତ କାରଖାନାରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯିବା ସହ କାରଖାନାର ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ନକଲି ଜର୍ଦ୍ଦା ତିଆରି ଚାଲିଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ତିର୍ତ୍ତୋଲ ଏସଡିପିଓ ଓ କୁଜଙ୍ଗ ଆଇଆଇସି ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ୩୬୦ କିଲୋ ନକଲି ଜର୍ଦ୍ଦା ଓ ୬୬୦ କିଲୋ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ କରିଥିଲେ ବୋଲି ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।
ଏସପି ଆହୁରି କହିଛନ୍ତି ଯେ, କାରଖାନାରେ ୬ଟି ଜର୍ଦ୍ଦା ଓ ଗୁଟକା ତିଆରି ମେସିନ୍, ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ କମ୍ପାନୀର ଖୋଳ ଓ ଷ୍ଟିକର ମଧ୍ୟ ଜବତ କରାଯାଇଛି । ନଗଦ ୧ ଲକ୍ଷ ଟଙ୍କା ଓ ଏକ କାରକୁ ମଧ୍ୟ ପୋଲିସ ଜବତ କରିଛି । ଏହି ଘଟଣାରେ କାରଖାନାର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବିଜୟ ମୁଦୁଲି ଓ ସୁପରଭାଇଜର ପୂର୍ଣ୍ଣଚନ୍ଦ୍ର ବେଉରାକୁ ମଧ୍ୟ ଗିରଫ କରାଯାଇଛି ।