Latest Odisha News

BREAKING NEWS

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଅଭିଯୋଗ ଆଣିଲା ପରିବାର

ରାୟଗଡା: ଶନିବାର ବିଳମ୍ବିତ ରାତିରେ ରାୟାଗଡାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ମୃତ୍ୟୁ ଘଟିଥିବା ନେଇ ଛାତ୍ରଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ନାମ ମହେନ୍ଦ୍ର ମାଝୀ ବୋଲି ଜଣାପଡିଛି।

ସ୍କୁଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ମହେନ୍ଦ୍ର ଗତ ଛଅ ମାସ ଧରି ଅସୁସ୍ଥ ଥିଲେ। ହେଲେ ହଠାତ୍ ଶନିବାର ଛାତ୍ରଟିର ଦେହ ଅବସ୍ଥା ଗୁରୁତର ହେବାପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଶିକ୍ଷକ ଅରୁଣ ବେହେରା ଗଣମାଧ୍ୟମକୁ କହିଛନ୍ତି।

ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ମହେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇନଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରଟିର ମୃତ୍ୟୁ ଘଟିଛି। ଅଭିଭାବକଙ୍କ କହିବା କଥା ହେଲା ଯଦି ଛାତ୍ରଟିର ଗତ ଛଅ ମାସ ଧରି ଦେହ ଅସୁସ୍ଥ ଥିଲା, ତେବେ ସେ ଏ ବିଷୟରେ କାହିଁକି ଅବଗତ କରାଇଲେ ନାହିଁ? ଏନେଇ ଥାନାରେ ଅଭିଯୋଗ କଲେ ମୃତ ଛାତ୍ରର ପରିବାର ଲୋକେ।

ଏଠାରେ ସୂଚନା ଥାଉକି ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟର ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଏକ ପଦକ୍ଷେପ। ଏହି ସରକାରୀ ବିଦ୍ୟାଳୟରେ ଏପରି ଅବହେଳାକୁ ନେଇ ସ୍ଥାନୀୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.