ଭୁବନେଶ୍ୱର : ପରପାରିରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତା । ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଦାମୋଦର ହୋତା । ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍ରେ ସମୟରେ ନୟାପଲ୍ଲୀ ସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ୮୭ବର୍ଷରେ ନିଧନ ହୋଇଛି ।
ପଣ୍ଡିତ ହୋତା ୧୯୩୫ ମସିହା କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳ ବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ ।
ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କ ଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ ।
ଗୁରୁ କାଶୀନାଥ ମୁଦୁଲିଙ୍କ ଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବୃତ୍ତି ପାଇ ୧୯୫୪ରୁ ୬୦ ପର୍ଯ୍ୟନ୍ତ ପଣ୍ଡିତ ଓମ୍କାରନାଥ ଠାକୁର ଓ ପଦ୍ମଶ୍ରୀ ବଳବନ୍ତ ରାୟ ଭଟ୍ଟଙ୍କ ପାଖରୁ ସଙ୍ଗୀତ ଶିକ୍ଷା ଏବଂ ମୁମ୍ବାଇ ସ୍ଥିତ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଥିଲେ ।
ଓଡ଼ିଶା ତଥା ବାହାରେ ପଣ୍ଡିତ ହୋତା ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗବେଷକ, ବିଶେଷ କରି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଗବେଷକ ଭାବରେ ବେଶ ଆଦୃତ । ତାଙ୍କ ଦ୍ୱାରା ରଚିତ ୧୭ଖଣ୍ଡ ପୁସ୍ତକ ମଧ୍ୟରୁ ଅନେକ ପୁସ୍ତକ ପାଠ୍ୟପୁସ୍ତକ ଭାବରେ ମଧ୍ୟ ଆଦୃତ ହୋଇଛି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୯୪-୯୫ ମସିହାରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟନ ପାଇଁ ସମ୍ମାନିତ ଓ ୨୦୧୩-୧୪ରେ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର’ ପ୍ରାପ୍ତ
ବିଭିନ୍ନ ଅନୁଷ୍ଠାନରେ ସଙ୍ଗୀତ ଶିକ୍ଷା ପ୍ରଦାନ ସହିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା ଓ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ବିଶିଷ୍ଟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ତଥା ପଣ୍ଡିତ ଦାମୋଦର ହୋତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଉଡ୍ରପଦ୍ଧତ୍ତୀୟ ସଙ୍ଗୀତର ଗବେଷଣା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 6, 2022
Comments are closed.