ଭୁବନେଶ୍ବର: ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ । ଭୁବନେଶ୍ବର ସ୍ଥିତ ନିଜର ବାସଭବନରେ ସେ ଗୁରୁବାର ତଥା ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ଧରି ସେ ହୃଦ୍ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୦୩ ମସିହାରେ ତାଙ୍କର ‘ସତୀ’ ନାମକ ଗଳ୍ପ ଗ୍ରନ୍ଥ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ‘ଅନ୍ୟ ଜଣେ ସଦାନନ୍ଦଙ୍କ ମୃତ୍ୟୁପରେ’ ହେଉଛି ତାଙ୍କର ଏକ ଲୋକପ୍ରିୟ ଗଳ୍ପ ସଂକଳନ। ଏହି ଶୀର୍ଷକରେ ସେ ଲେଖିଥିବା ଗଳ୍ପଟିରେ ମାତ୍ର ତିନୋଟି ଶବ୍ଦ ଅଛି; ଏବଂ ଏହାକୁ ଓଡ଼ିଆ ଭାଷାର କ୍ଷୁଦ୍ରତମ ଗଳ୍ପ ବୋଲି ବିବେଚନା କରାଯାଏ ।
ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୩୪ ବର୍ଷ କାଳ ଚାକିରି କରିବା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କର ଦେହାବସାନରେ ସମଗ୍ର ଗାଳ୍ପିକ ଓ ସାହିତ୍ୟିକ ଜଗତରେ ଶୋକର ଛାୟା ଖେଳିଯାଇଛି ।