Latest Odisha News

BREAKING NEWS

ବିଚକ୍ଷଣ ପାଲା ଗାୟକ: ଅନିରୁଦ୍ଧ ପାଣିଗ୍ରାହୀ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଚତୁର, ବିଚକ୍ଷଣ ଓ ବିଦ୍ୱାନ ଗାୟକ ଥିଲେ ଅନିରୁଦ୍ଧ ପାଣିଗ୍ରାହୀ । ହଂସଗତୀ ଓ ଉଚ୍ଚାଙ୍ଗ କଣ୍ଠ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା । ଏହି ବିଶିଷ୍ଟ ପାଲା ଗାୟକ ୧୯୨୦ ମସିହା ନଭେମ୍ବର ୨୦ ତାରିଖ ବ୍ୟଞ୍ଜନ ଦ୍ୱାଦଶୀ ଦିନ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ସାରଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାପା ଶୁକଦେବ ପାଣିଗ୍ରାହୀ ଏବଂ ମାଆ ମୂଷି ଦେବୀ । ଦୁଇ ଭାଇ ଓ ଜଣେ ଭଉଣୀଙ୍କ ମଧ୍ୟରେ ଅନିରୁଦ୍ଧ ଥିଲେ ବଡ । ପରିବାରର କୌଳିକ ବୃତ୍ତି ଥିଲା ଦେବପୂଜା । ପିଲା ଦିନରୁ କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଅନିରୁଦ୍ଧଙ୍କର ରହିଥିଲା ଅହେତୁକ ଦୁର୍ବଳତା । ସଂସ୍କୃତରେ ମଧ୍ୟମା ଶେଷ କରିବା ପରେ ସେ ୧୯୪୪ ମସିହାରେ ପାଲା ଜଗତରେ ପ୍ରବେଶ କରିଥିଲେ ।

କବି ମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କୁ ସେ ନିଜର ପାଲା ଗୁରୁଭାବେ ଗ୍ରହଣ ଗ୍ରହଣ କରିଥିଲେ । ଭଲ ପାଲା ଗାୟକ ହେବାକୁ ହେଲେ ସଂସ୍କୃତରେ ପାଣ୍ଡିତ୍ୟ ଅର୍ଜନ କରିବାକୁ ପଡିଥାଏ, ତେଣୁ ସେ ଯାଜପୁରର ପଣ୍ଡିତ ଚନ୍ଦ୍ରଶେଖର ପତିମିଶ୍ରଙ୍କୁ ସଂସ୍କୃତ ଶିକ୍ଷିବା ପାଇଁ ଗୁରୁ ଭାବେ ଗ୍ରହଣ କରିଥିଲେ । ତାଙ୍କଠାରୁ ସଂସ୍କୃତ ବିଦ୍ୟା ଶିକ୍ଷା କରି ପାରଙ୍ଗମ ହୋଇଥିଲେ ।

ପାଲା ଗାୟନ ଆରମ୍ଭ କରିବାର ମାତ୍ର କିଛି ବର୍ଷ ମଧ୍ୟରେ ଅନିରୁଦ୍ଧ ଜଣେ ପ୍ରତିଷ୍ଠିତ ଗାୟକ ହେବାର ଗୌରବ ଅର୍ଜନ କରିଥିଲେ । ୧୯୪୯ ମସିହାରେ କେନ୍ଦୁଝର ରାଜାଙ୍କ ସମ୍ମୁଖରେ ପାଲା ପରିବେଷଣ କରି ରାଜନବରରୁ ପାଟ ଏବଂସ୍ୱର୍ଣ୍ଣକୁଣ୍ଡଳ ପ୍ରାପ୍ତ ହୋଇଥିଲେ । ସେହିପରି ୧୯୫୨ ମସିହାରେ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ପି.ଏନ. ମହାନ୍ତି ତାଙ୍କୁ ଗାୟକ କଳାକର ଉପାଧି ପ୍ରଦାନ କରିଥିଲେ । ବିଶ୍ୱ ସନାତନ ସେବା ସଂଘ ପକ୍ଷରୁ ଗାୟକ ସନ୍ଦର୍ଭ ଉପାଧି ପ୍ରଦାନ କରାଯାଇଥିବା ବେଳେ ୨୦୦୭ ମସିହାରେ ଭୁବନେଶ୍ୱରରେ ଆୟୋଜିତ ସର୍ବଭାରତୀୟ ସଂସ୍କୃତ ସମ୍ମେଳନରେ ତାଙ୍କୁ ଗାୟକ ଗୀତି ବିନୋଦ ଉପାଧି ସହ ଆନନ୍ଦ ଭରଦ୍ୱାଜ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାସହ ରାଜ୍ୟର କୋଣ ଅନୁକୋଣରୁ ଅନେକ ଅନୁଷ୍ଠାନ ଓ ପାଲା ମଞ୍ଚ ପକ୍ଷରୁ ତାଙ୍କୁ ଅନେକ ଉପାଧି ଓ ସମ୍ମାନ ପ୍ରଦାନ କରାଯାଇଛି, ଯାହା ତାଙ୍କ ପାଲା ଦକ୍ଷତାକୁ ପ୍ରମାଣିତ କରେ ।

ରାଜ୍ୟର ବିଭିନ୍ନ ପାଲା ମଞ୍ଚରେ ପାଲା ପରିବେଷଣ କରିବା ସହ ଅନିରୁଦ୍ଧ ପାଣିଗ୍ରାହୀ ପଶ୍ଚିମବଙ୍ଗର କଲିକତା, ମେଦିନପୁର, ଚବିଶ ପ୍ରଗଣା, ଶ୍ରୀରାମପୁର ସହ ବିହାର, ଝାଡଖଣ୍ଡର ଓଡିଆ ଭାଷାଭାଷି ଥିବା ଅଞ୍ଚଳରେ ପାଲା ପରିବେଷଣ କରି ଜନତାଙ୍କ ହୃଦୟ ଜିଣିଥିଲେ ।

ଅଧିକ ପଢନ୍ତୁ: ପାଲା ଜଗତର ଅନନ୍ୟ ପ୍ରତିଭା ଗାୟକ ମଞ୍ଜୁଳ ଅଲେଖ ଦାଶ

ଦୀର୍ଘ ୫୭ ପାଲା ପରିବେଷଣ କରି, ଶେଷରେ ୨୦୧୧ ମସିହା ଜୁଲାଇ ୨୧ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ଅନିରୁଦ୍ଧ ପାଣିଗ୍ରାହୀ । ନିଜେ ଜଣେ ପ୍ରଖ୍ୟାତ ପାଲା ଗାୟକ ହେବା ସହ ସେ ଅନେକ ଛାତ୍ରଛାତ୍ରୀଙ୍କୁ ପାଲା ଜଗତରେ ପ୍ରବେଶ କରାଇଛନ୍ତି ।

 

Leave A Reply

Your email address will not be published.