Latest Odisha News

BREAKING NEWS

ଦ୍ୱିଭାଷୀ ପାଲା ଗାୟନର ପ୍ରଚଣ୍ଡ ପ୍ରତିଭା: ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ

ଭୁବନେଶ୍ୱର: ଯେଉଁ କେତେଜଣ ଗାୟକ ପାଲାକୁ ରାଜ୍ୟରୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଉଭୟ ଓଡିଆ ଏବଂ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

କେନ୍ଦୁଝର ଜିଲ୍ଲା ମଞ୍ଜୁରୀ ରୋଡ୍ ନିକଟସ୍ଥ ସତ୍ୟନଗର ଗ୍ରାମରେ ୧୯୫୦ ମସିହା ଜାନୁଆରି ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ବାପା ନବକିଶୋର ପାଣିଗ୍ରାହୀ ଏବଂ ମାଆ କ୍ଷେତ୍ରମଣି ଦେବୀଙ୍କ ତିନି ପୁଅଙ୍କ ମଧ୍ୟରେ ବଡ ହେଉଛନ୍ତି ଗୋବିନ୍ଦ । ପରିବାରରେ ପୀଢି ପୀଢି ଧରି ପାଲା ରହିଆସିଥିଲା । ଜେଜେ ବାପାଙ୍କ ବାପା ବୀରଭଦ୍ର ପାଣିଗ୍ରାହୀ ଥିଲେ ଜଣେ ପ୍ରତିଷ୍ଠିତ ପାଲା ଗାୟକ । ସେହିପରି ଜେଜେବାପା ଏବଂ ବାପା ମଧ୍ୟ ପାଲା କଳାକାର ଥିଲେ । ତେଣୁ ଘରେ ପାଲାର ମାହୋଲ ରହିଥିଲା । ପିଲା ଦିନରୁ କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଗୋବିନ୍ଦଙ୍କର ରହିଥିଲା ଅହେତୁକ ରୁଚି । ଟିକିଏ ସମୟ ପାଇଲେ ସେ ପଢାପଢିରେ ଲାଗିଯାଉଥିଲେ । ଭବିଷ୍ୟତରେ ଜଣେ ଗାୟକ ହେବା ପାଇଁ ପିଲା ଦିନରୁ ଗୋବିନ୍ଦ ସ୍ୱପ୍ନ ଦେଖୁଥିଲେ । ଆନନ୍ଦପୁର କଲେଜରେ ପଢିବା ସମୟରେ ସେ ପ୍ରଥମେ ପାଲା ପରିବେଷଣ କଲେ । ଗ୍ରାମ ନିକଟସ୍ଥ ଗାୟକ କୃଷ୍ଣଚନ୍ଦ୍ର ସାହୁ ଗୋବିନ୍ଦଙ୍କୁ ପ୍ରଥମେ ପାଲା ଶିଖାଇଥିଲେ । ତେବେ ଉଚ୍ଚତର ଶିକ୍ଷା ଗ୍ରହଣ କରିବା ଯୋଗୁଁ ସେ ପାଲାରେ ମନୋନିବେଶ କରିପାରିନଥିଲେ । ଉତକଳ ବିଶ୍ୱବିଦ୍ୟାଳୟରୁ ଓଡିଆରେ ଏମଏ ସହ ହିନ୍ଦୀରେ କୋବିଦ ଶେଷ କରିବା ପରେ ସେ ୧୯୭୨ ମସିହାରେ ବିଧିବଦ୍ଧ ଭାବେ ପାଲା ଜଗତରେ ପାଦ ଥାପିଲେ ।

ବିଶିଷ୍ଟ ପାଲା ଗାୟକ ଶୁକଦେବ ଚଣ୍ଡଙ୍କଠାରୁ ଚାମର ଗ୍ରହଣ କରିବା ସହ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ମାନସ ଗୁରୁ ରୂପେ ଗ୍ରହଣ କରିଥିଲେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଯଦିଓ ଶିକ୍ଷକତାକୁ ସେ ନିଜର ପେଷା ଭାବେ ଗ୍ରହଣ କରିଥିଲେ, ହେଲେ ତାଙ୍କ ନିଶା ଥିଲା ପାଲା । ଶୟନେ ସ୍ୱପନେ ସବୁବେଳେ ପାଲା କଥା ହିଁ ଭାବୁଥିଲେ । ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇ ସେ ତାକୁ ପାଲାରେ ପରିବେଷଣ କରୁଥିଲେ । ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସେ ରାଜ୍ୟର କୋଣ ଅନୁକୋଣରେ ପ୍ରତିଷ୍ଠିତ ହୋଇଛନ୍ତି । ବିଶେଷ କରି ରାଜ୍ୟ ବାହାରେ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ପାଲାକୁ ଜାତୀୟ ସ୍ତରରେ ପରିଚିତ କରାଇଛନ୍ତି । ପୁଟପର୍ତ୍ତି ସ୍ଥିତ ଆଶ୍ରମରେ ସତ୍ୟସାଇ ବାବାଙ୍କ ସମ୍ମୁଖରେ ସେ ପାଲା ପରିବେଷଣ କରି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ମନ ଜିଣିନେଇଥିଲେ । ଗୋବିନ୍ଦ ପାଣିଗ୍ରାହୀଙ୍କ ପାଲାରେ ମୁଗ୍ଧ ହୋଇ ସତ୍ୟସାଇ ବାବା ସେଠାରେ ତାଙ୍କୁ ସ୍ୱର୍ଣ୍ଣକୁଣ୍ଡଳ ପ୍ରଦାନ କରିଥିଲେ ।

ଜଣେ ଉଚ୍ଚକୋଟୀର ପାଲା ଗାୟକ ହେବା ସହ ଜଣେ ପାଲା ସଂଗଠକ ଭାବେ ପରିଚିତ ଗୋବିନ୍ଦ ପାଣିଗ୍ରାହୀ । ରାଜ୍ୟର ସମସ୍ତ ଆଗଧାଡିର ଖବରକାଗଜରେ ସେ ଜଣେ ନିୟମିତ ସ୍ତମ୍ଭକାର । ଅତିଗୁରୁତ୍ୱପୂର୍ଣ୍ଣ ଜଟିଳ ପ୍ରସଙ୍ଗକୁ ସେ ଉଦାହରଣ ମାଧ୍ୟମରେ ଅତି ସରଳ ଭାଷାରେ ବୁଝାଇଦିଅନ୍ତି । ଖାସ୍ ଏଥିପାଇଁ ତାଙ୍କ ସ୍ତମ୍ଭ ପାଠ କରିବାକୁ ଲୋକଙ୍କ ମଧ୍ୟରେ ଥାଏ ଉତକଣ୍ଠା । ଜଣେ ପ୍ରତିଷ୍ଠିତ ଲେଖକ ଭାବରେ ମଧ୍ୟ ସେ ପରିଚିତ । ଶିଶୁ ମାନଙ୍କ ପାଇଁ ମିଠାକଥା, ଗପ ସିନ୍ଦୁକ ଆଦି ପୁସ୍ତକ ରଚନା କରିଛନ୍ତି । ସେହିପରି ସତ୍ୟସାଇ କୃପାରେ ପାଲା ତ୍ରିଧାରା ତାଙ୍କର ଅନ୍ୟତମ ପୁସ୍ତକ । ଶିଶୁ ସାହିତ୍ୟ ସହ ଗଳ୍ପ, ପ୍ରବନ୍ଧ ଆଦି ରଚନା କରିବାରେ ମଧ୍ୟ ସେ ବେଶ୍ ସିଦ୍ଧହସ୍ତ । ଏହି ବିଶିଷ୍ଟ କଳାକାର ରାଜ୍ୟର ବିଭିନ୍ନ ପାଲା ଅନୁଷ୍ଠାନ ଦ୍ୱାରା ଅନେକ ପୁରସ୍କାର, ଉପାଧିରେ ସମ୍ମାନିତ । ଏହାସହ ସାହିତି୍ୟକ ଭାବରେ ମଧ୍ୟ ଅନେକ ପୁରସ୍କାର ପାଇଛନ୍ତି ।

Leave A Reply

Your email address will not be published.