Latest Odisha News

BREAKING NEWS

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର: ଗାୟକ ପର୍ଶୁରାମ ପଣ୍ଡା

ଭୁବନେଶ୍ୱର:ଜଣେ ଉଚ୍ଚ ଶିକ୍ଷିତ, ସଂସ୍କୃତ ବିଦ୍ୱାନ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଗାୟକ ସୂର‌୍ୟ୍ୟ ପର୍ଶୁରାମ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ସାନମାଣତିଆ ଗ୍ରାମରେ ୧୯୫୪ ମସିହା ମାର୍ଚ୍ଚ ୩ ତାରିଖରେ ଏକ କୁଳୀଣ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପର୍ଶୁରାମ । ବାପା ରଘୁନାଥ ପଣ୍ଡା ଓ ମାଆ ସୁମିତ୍ରାଙ୍କର ୫ ପୁଅ ଓ ଦୁଇ ଝିଅଙ୍କ ମଧ୍ୟରେ ପର୍ଶୁରାମ ହେଉଛନ୍ତି ଦ୍ୱିତୀୟ ସନ୍ତାନ । ପିଲାଟି ଦିନରୁ ତାଙ୍କର ପାଲା ପ୍ରତି ରହିଥିଲା ରୁଚି । ଭବିଷ୍ୟତରେ ଜଣେ ପାଲା ଗାୟକ ହେବାର ସ୍ୱପ୍ନ ସେ ପିଲାବେଳୁ ଦେଖୁଥିଲେ ।

ସାହିତ୍ୟାଚାର‌୍ୟ୍ୟ ଏବଂ ରାଷ୍ଟ୍ରଭାଷା କୋବିଦ ଶେଷ ପରେ ୧୯୭୫ ମସିହାରେ କୋରୁଅ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସେ ସଂସ୍କୃତ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏହି ବର୍ଷ ସେ ବିଧିବଦ୍ଧ ଭାବେ ପାଲା ଶିଖିବା ପାଇଁ ସ୍ଥିର କଲେ । ପର୍ଶୁରାମ ଶିକ୍ଷକତା କରୁଥିବା କୋରୁଅ ଗ୍ରାମର ଷଡଙ୍ଗୀ ପରିବାରରେ ସାତ ପୁରୁଷ ଧରି ପାଲା ପରମ୍ପରା ରହିଆସିଥିଲା । ସେତେବେଳେ ଗାୟକ ଦାମୋଦର ଷଡଙ୍ଗୀ ରାଜ୍ୟରେ ଜଣେ ପ୍ରତିଷ୍ଠିତ ଗାୟକ ଭାବେ ପରିଚିତ ଲାଭ କରିଥିଲେ । ତେଣୁ ଦାମୋଦର ଷଡଙ୍ଗୀଙ୍କୁ ଗୁରୁ କରି ପାଲା ଜଗତରେ ପ୍ରବେଶ କଲେ ପର୍ଶୁରାମ ପଣ୍ଡା । ପରବର୍ତ୍ତୀ ସମୟରେ ସେ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ମଧ୍ୟ ଗୁରୁ ରୁପେ ଗ୍ରହଣ କରିଥିଲେ ।

ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ପର୍ଶୁରାମ ପଣ୍ଡା । ଦକ୍ଷ ଗାୟନ ଶୈଳୀ ସହ ପ୍ରାଞ୍ଜଳ ଭାଷା ବିନ୍ୟାସ, ବିଭିନ୍ନ କାବ୍ୟ, ନାଟକରେ ଅଗାଢ ପାଣ୍ଡିତ୍ୟ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜ୍ୟର ପୁରପଲ୍ଲୀରୁ ଅନେକ ପୁରସ୍କାର, ମାନପତ୍ର ଏବଂ ଉପାଧି ମିଳିଛି । ଗାୟକ ସୂର‌୍ୟ୍ୟ ଏବଂ ଗାୟକ ଜ୍ୟୋତି ଉପାଧି ସହ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ଏବଂ ସମ୍ବର୍ଦ୍ଧିତ ହୋଇଛନ୍ତି । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ଜଣେ ସଂସ୍କୃତ ପଣ୍ଡିତ ଭାବେ ସେ ଶିକ୍ଷା ଜଗତରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ।୨୦୦୫ ମସିହାରେ ରାଜ୍ୟପାଳ ପୁରସ୍କାର ଏବଂ ୨୦୦୭ ମସିହାରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ।

ସାଧାରଣ ଜୀବନରେ ଜଣେ ଉଦାର, ଶିଷ୍ଟ, ମଧୁରଭାଷୀ ବ୍ୟକ୍ତିତ୍ୱର ଅଧିକାରୀ ଗାୟକ ସୂର‌୍ୟ୍ୟ ପର୍ଶୁରାମ ପଣ୍ଡା । ଶିକ୍ଷକତା ଜଗତରୁ ଅବସର ନେବା ପରେ ଏବେ ସେ ସମ୍ପୂର୍ଣ୍ଣରୂପେ ନିଜକୁ ପାଲା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ବର୍ଷକୁ ୩୦୦ରୁ ଅଧିକ ରାତି ପାଲା ପରିବେଷଣ କରୁଛନ୍ତି ପର୍ଶୁରାମ ପଣ୍ଡା ।

 

Leave A Reply

Your email address will not be published.