Latest Odisha News

ନାରୀ ଶକ୍ତିର ପ୍ରତୀକ: ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା

ଭୁବନେଶ୍ୱର/ବାରିପଦା: ଏବେ ବିଶ୍ୱର ବିଭିନ୍ନ ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି, କିନ୍ତୁ ବାରିପଦାର ରଥଯାତ୍ରାରେ ଥାଏ ସ୍ୱତନ୍ତ୍ରତା । ଏପରି କି ପୁରୀ ରଥଯାତ୍ରାଠାରୁ ମଧ୍ୟ ଏଠାରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଅନ୍ୟସ୍ଥାନରେ ରଥଟଣା ଗୋଟିଏ ଦିନରେ ହେଉଥିବା ବେଳେ ବାରିପଦାରେ କିନ୍ତୁ ରଥଟଣା ଗୋଟିଏ ଦିନରେ ନ ହୋଇ ବରଂ ଲଗାତର ତିନିଦିନ ଧରି ଭକ୍ତମାନେ ରଥ ଟାଣିବାର ପରମ୍ପରା ରହିଛି । ବାରିପଦା ରଥଯାତ୍ରାର ଅନ୍ୟ ଏକ ବିଶେଷତ୍ୱ ହେଉଛି ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି ।

ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଶ୍ରୀହରି-ବଳଦେବଜୀଉଙ୍କ ମନ୍ଦିର ବେଶ୍ ପରିଚିତ । ବାରିପଦାର ଏହି ଶ୍ରୀହରି-ବଳଦେବଜୀଉଙ୍କ ମନ୍ଦିରରେ କାହିଁ କେତେ ଦିନରୁ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସୁନ୍ଦର ବିଗ୍ରହ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ସମସ୍ତ ପ୍ରକାର ନୀତିକାନ୍ତି କରାଯିବା ସହ ଓଡ଼ିଶାର ବିଭିନ୍ନ ପର୍ବ-ପର୍ବାଣୀ ମଧ୍ୟ ମନ୍ଦିରରେ ପାଳିତ ହୋଇଥାଏ । ଏଠାରେ ରହିଥିବା ଶ୍ରୀମନ୍ଦିର, ଆନନ୍ଦ ବଜାର, ସ୍ନାନମଣ୍ଡପ ସବୁକିଛି ଠାକୁରମାନଙ୍କ ବିଧି-ବିଧାନ ପାଇଁ ପୁରୀ ଶ୍ରୀକ୍ଷେତ୍ର ପରି ନିର୍ମାଣ ହୋଇଛି । ପ୍ରତିବର୍ଷ ମନ୍ଦିରରେ ପୂଜାପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଘୋଷଯାତ୍ରା ଖୁବ୍ ଧୁମ୍ଧାମ୍ରେ ପାଳିଥାନ୍ତି ସମଗ୍ର ମୟୂରଭଞ୍ଜବାସୀ । ରଥଯାତ୍ରା ଦେଖିବା ଲାଗି ବିଭିନ୍ନ ଅଞ୍ଚଳରୁ ବାରିପଦା ସହରକୁ ଲୋକଙ୍କର ସୁଅ ଛୁଟିଥାଏ । ଏପରିବି ପଡ଼ୋଶୀ ରାଜ୍ୟର ଲୋକମାନେ ମଧ୍ୟ ଏହି ରଥଯାତ୍ରାରେ ସାମିଲ ହୋଇଥାନ୍ତି । କାରଣ ବାରିପଦାର ରଥଯାତ୍ରା ରାଜ୍ୟର ଅନ୍ୟସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାଠାରୁ ଟିକିଏ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥାଏ । ସବୁଆଡ଼େ ରଥଟଣା ଗୋଟିଏ ଦିନରେ ହେଉଥିବା ବେଳେ ଏଠାରେ ରଥଟଣା ଉତ୍ସବ ତିନିଦିନ ପର୍ଯ୍ୟନ୍ତ ଚାଲିଥାଏ । ବାରିପଦା ରଥଯାତ୍ରାର ଅନ୍ୟ ଏକ ବିଶେଷତ୍ୱ ହେଉଛି ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି ।

ମା’ ଅମ୍ବିକା ସୁରକ୍ଷା ଦିଅନ୍ତି ରଥକୁ !

ସହରର ମଧ୍ୟ ଭାଗରେ ରହିଥିବା ଶ୍ରୀହରି-ବଳଦେବଜୀଉଙ୍କ ମନ୍ଦିରଟି ଏକ ପ୍ରାଚୀନ ମନ୍ଦିର ଅଟେ । ଏଠାରେ ରାଜା-ରାଜୁଡ଼ା ସମୟରୁ ହିଁ ଚତୁର୍ଦ୍ଧାମୂର୍ତ୍ତି ପୂଜାପାଉଥିବା ବେଳେ ପ୍ରତିବର୍ଷ ରଥଯାତ୍ରା ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଥାଏ ଏବଂ ତିନିଠାକୁର ମାଉସୀ ମା’ଙ୍କ ଘରକୁ ଯାଇଥାନ୍ତି ବୁଲିବା ପାଇଁ । ଏଠାରେ ରଥଯାତ୍ରା ପୂର୍ବରୁ ଅର୍ଥାତ୍ ଠାକରୁମାନେ ରଥରେ ଚଢିବା ଆଗରୁ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକାଙ୍କ ଠାରୁ ଅନୁମତି ଭିକ୍ଷା କରାଯାଇଥାଏ । ମା’ଙ୍କ ଅନୁମତି ସ୍ୱରୂପ ଅମ୍ବିକାଙ୍କ ମନ୍ଦିରରୁ ତାଙ୍କର ଦାସୀ ଆଜ୍ଞାମାଳ ଓ ଖଣ୍ଡା ଧରି ରଥ ପାଖକୁ ଆସିଥାନ୍ତି । ଏହାପରେ ରଥ ଚାରିପଟେ ଆଜ୍ଞାମାଳ ଓ ଖଣ୍ଡା ଧରି ପରିକ୍ରମା କରିଥାନ୍ତି । ରଥ-ପରିକ୍ରମା ସରିବା ପରେ ରଥରେ ମା’ଙ୍କର ଆଜ୍ଞାମାଳ ଓ ଖଣ୍ଡା ରଖାଯାଇଥାଏ । ଏହି ପରମ୍ପରା ପ୍ରଥମରୁ ଚାଲିଆସୁଥିବା ବେଳେ ସ୍ଥାନୀୟ ଲୋକମାନେ କହନ୍ତି ଯେ ରଥରେ କୌଣସି ଅଘଟଣ ବା ଅସୁବିଧା ନ ଘଟିବା ପାଇଁ ମା ଅମ୍ବିକାଙ୍କର ଅନୁମତି ଭିକ୍ଷା କରାଯିବା ସହ ତାଙ୍କର ସ୍ୱରୂପ ଭାବେ ରଥରେ ଆଜ୍ଞାମାଳ ଓ ଖଣ୍ଡା ରଖାଯାଇଥାଏ, ମା’ ରଥରେ ରହି ଏହି ସୁରକ୍ଷା ଦେଇଥାନ୍ତି । ମା’ଙ୍କ ଆଜ୍ଞାମାଳ ଓ ଖଣ୍ଡା ରଥରେ ରହିବା ପରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ହୋଇ ଅନ୍ୟାନ୍ୟ ନୀତି-ନିୟମମାନ କରାଯାଇଥାଏ ଓ ପହଣ୍ଡି ହୋଇ ତିନି ଠାକୁରଙ୍କୁ ରଥରେ ସ୍ଥାପନା କରାଯାଇଥାଏ । ଏହାପରେ ରଥାରୂଢ ଠାକରୁଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଗହଳି ଲାଗିବା ସହ ପୂଜାର୍ଚ୍ଚନା ଚାଲେ । ଏଥିସହିତ ଏଠାରେ ରଥ ପ୍ରତିଷ୍ଠା ପରେ ଚକଛଡ଼ା ନୀତି ସମ୍ପନ୍ନ ହେବା ପରେ ଠାକୁରମାନେ ରଥରେ ଆରୋହଣ କରନ୍ତି ।

ନାରୀ ଶକ୍ତିର ସୂଚନା ଦିଏ ମହିଳାଙ୍କ ରଥଟଣା

ବାରିପଦାଠାରେ ଅନ୍ୟ ସ୍ଥାନ ଭଳି ତିନିଠାକରୁଙ୍କ ପହଣ୍ଡି ଓ ରଥଚଢା ଗୋଟିଏ ଦିନରେ ହେଉଥିଲେ ହେଁ ଗୋଟିଏ ଦିନରେ ତିନିଠାକରୁଙ୍କର ରଥା ଟଣା ହୋଇନଥାଏ ବରଂ ପର୍ଯ୍ୟାୟକ୍ରମେ ତିନିଦିନରେ ତିନିଠାକୁରଙ୍କ ରଥଟଣା କାର୍ଯ୍ୟ ସମାପନ କରାଯାଇଥାଏ । କହିବାକୁ ଗଲେ ଏଠାରେ ତିନିଦିନ ଧରି ହୋଇଥାଏ ରଥଯାତ୍ରା । ପ୍ରଥମଦିନ ଶ୍ରୀବଳଭଦ୍ରଙ୍କ ରଥ ମାଉସୀ ମା ଙ୍କ ମନ୍ଦିରରେ ପହଞ୍ôଚଲା ପରେ ମା ସୁଭଦ୍ରାଙ୍କ ରଥ ଟଣା ଯାଇଥାଏ, ଏହାପରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଯାଇଥାଏ । ଏହି ତିନିଦିନର ରଥଟଣା ସମୟରେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଯାଇଥାଏ । ଦ୍ୱିତୀୟ ଦିନରେ ମା ସୁଭଦ୍ରାଙ୍କ ରଥଟଣା ସମୟରେ ବଡ଼ଦାଣ୍ଡରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହାକି ବିଶ୍ୱର ଅନ୍ୟ ସ୍ଥାନରେ ପ୍ରାୟତଃ ଦେଖାଯାଏ ନାହିଁ । ମା ସୁଭଦ୍ରାଙ୍କ ରଥକୁ ଟାଣିବା ଲାଗି ରୁଣ୍ଡ ହୋଇଥାନ୍ତି ଶହ ଶହ ମହିଳା । ଆଉ କେବଳ ମହିଳାମାନେ ହିଁ ମା ଙ୍କ ରଥକୁ ଟାଣି ନେଇ ମାଉସୀ ମା ମନ୍ଦିରରେ ପହଞ୍ଚାଇ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣିବାର ପରମ୍ଭରା କେବଳ ବାରିପଦାରେ ପ୍ରଚଳିତ ହେଉଥିବା ବେଳେ ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସିଥାନ୍ତି । ମହିଳାଙ୍କ ଗହଳିକୁ ଦେଖି ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ଏଠାରେ ମହିଳାମାନଙ୍କୁ ଏକତ୍ର କରିବାରେ ବାରିପଦା ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି । ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣିବା ନାରୀ ସଶକ୍ତିକରଣ ଓ ନାରୀ ଶକ୍ତିର ସ୍ୱରୁପ ବିଷୟରେ ସଚେତନା ସୃଷ୍ଟି କରିଥାଏ ବୋଲି ଅନେକ କହନ୍ତି ।

ନନ୍ଦିନୀ ଶତପଥୀଙ୍କ ସମୟରୁ ଆରମ୍ଭ ଏହି ପରମ୍ପରା

ବାରିପଦାରେ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣିବାର ପରମ୍ପରାଟି ୧୯୭୫ ମସିହାରୁ ହିଁ ଆରମ୍ଭ ହୋଇଛି । ସେତେବେଳର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଆରମ୍ଭ କରିଥିଲେ । ସେହିବର୍ଷ ମାତ୍ର ୫ ଜଣ ମହିଳା ମା ସୁଭଦ୍ରାଙ୍କ ରଥକୁ ଶ୍ରୀମନ୍ଦିରଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ସେହିବର୍ଷଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ମା ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣୁଥିବା ବେଳେ ଏହା ମହିଳାଭକ୍ତଙ୍କ ପାଇଁ ରଥଟାଣିବାର ସୁନ୍ଦର ସୁଯୋଗ ସୃଷ୍ଟି କରୁଛି ଓ ନାରୀ-ପୁରଷର ସମାନତା ଦର୍ଶାଇଥାଏ ବୋଲି କୁହାଯାଏ ।  ଏଠାରେ ମହିଳାମାନଙ୍କୁ ରଥଟାଣିବାର ଯେଉଁ ସୁଯୋଗ ମିଳୁଛି ତାହା ଆଉ କେଉଁଠି ନାହିଁ । ଏପରି ବି ପୁରୀରେ ମଧ୍ୟ ଭିଡ଼ କାରଣରୁ ଅଧିକାଂଶ ମହିଳା ରଥ ଛୁଇଁବାର ସୁଯୋଗ ପାଆନ୍ତି ନାହିଁ । ନାରୀମାନଙ୍କ ପାଇଁ ଏହା ଏକ ଭଲ ପରମ୍ପରା ।  ବାରିପଦାର ଏହି ରଥଯାତ୍ରା ଦେଖିବା ପାଇଁ ମୟୁରଭଞ୍ଜ ସମତେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁମାନେ ମଧ୍ୟ ସାମିଲ ହୋଇଥାନ୍ତି ବାରିପଦାର ଏହି ନିଆରା ରଥଯାତ୍ରାରେ । ଏହାସହ ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ରଥଯାତ୍ରା ସମୟରେ ଏଠାରେ ଆଦିବାସୀଙ୍କ ନୃତ୍ୟ ଗୀତର ଝଲକ ଦେଖିବାକୁ ମିଳିଥାଏ । ଏହାସହ ଏଠାକାର ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟ ଦେଖିବାର ସୁଯୋଗ ମିଳିଥାଏ । ଏହା ଉପସ୍ଥିତ ଲୋକଙ୍କ ପାଇଁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇଥାଏ ।

Leave A Reply

Your email address will not be published.