ବଲାଙ୍ଗୀର: ଆରମ୍ଭ ହୋଇଛି ଆଦିବାସୀଙ୍କ ପାରମ୍ପରିକ ଶୁଳିଆ ଯାତ୍ରା । ରକ୍ତରଞ୍ଜିତ ହୋଇଛି ଶୁଳିଆ ପୀଠ। ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ। ଶୁଳିଆଦେବତାଙ୍କ ପାଖରେ ପୋଢ଼, ବୋଦା, କୁକୁଡ଼ା ବଳି ଚଢାଇ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତଙ୍କ ସହ ମାନସିକଧାରୀ । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁଳିଆ ପୀଠରେ ଏକାଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ବଲାଙ୍ଗୀରର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ଶୁଳିଆ ଯାତ୍ରା ପାଳିତ ହେଉଛି। ତେବେ ଏହି ଯାତ୍ରାରେ ରକ୍ତରଞ୍ଜିତ ହୋଇଛି ବଡ଼ଖଳା ଓ ସାନ ଖଳା ଗାଁ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହୋଇଛି ଗାଁ ରାସ୍ତା । ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଇଛି। ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର ରୀତିନୀତି ଅନୁସାରେ ପାଟବୋଦା ବଳି ଦେବା ପରେ ଭକ୍ତମାନେ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ଓ ପୋଢ଼ ବଳି ପଡ଼ିଛି। ଆଜି ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥିଲେ । ପୀଠରେ ନିଶିପୂଜା ପରେ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥିଲା । ମାନସିକଧାରୀ ମାନେ ଆଣିଥିବା ପୋଢ଼, ବୋଦା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟାରେ ବଳି ଦେଇଥିଲେ । ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୋଇଥିଲା ।
ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଳିଆ ଯାତ୍ରା ହୋଇଥାଏ । ଦେଓଗାଁ ବ୍ଲକ ଖଇରଗୁଡାର ବଡ଼ଖଳା ଓ କୁମୁରିଆର ସାନ ଖଳାରେ ପୂଜା ପରେ ବଳି ପଡିଥାଏ । ପ୍ରଥମେ ପାଟ ଭୁକା ଧଳା ଗଞ୍ଜା ବଳି ପଡିବା ପରେ ଭକ୍ତ ଆଣିଥିବା ପଶୁପକ୍ଷୀଙ୍କ ବଳି ପଡିଥାଏ । ତେବେ ବଳିପ୍ରଥା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନେକ ଥର ଅନୁରୋଧ କରିଥିଲେ ମଧ୍ୟ ବଳି ନେଇ ନିଜ ଜିଦରେ ଅଟଳ ରହିଛନ୍ତି ଶୁଳିଆ ଯାତ୍ରା କମିଟି । ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ଏଥର ମଧ୍ୟ ବଳି ପଡିଛି ।