Latest Odisha News

BREAKING NEWS

କଳାହାଣ୍ଡି: ମରୁଡି ଘୋଷଣା ଦାବି ନେଇ ଚାଷୀଙ୍କ ରାସ୍ତା ଅବରୋଧ

କଳାହାଣ୍ଡି : ଧାନ ଫସଲରେ ପ୍ରଭୃତ କ୍ଷତି ଘଟିଥିବା ଯୋଗୁଁ ମରୁଡି ଘୋଷଣା ନେଇ କଳାହାଣ୍ଡି ଜିଲ୍ଲା ଆମପାଣି ନିକଟସ୍ଥ ୨୬ନଂ ଜାତୀୟ ରାଜପଥକୁ ଶନିବାର ଶହଶହ ସଂଖ୍ୟାରେ ଚାଷୀମାନେ ଅବରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କୋକସରା ବ୍ଲକକୁ ମରୁଡି ଘୋଷଣା ଦାବି ନେଇ ଚାଷୀମାନେ ଏହି ରାସ୍ତା ଅବରୋଧ କରିଥିବା ଜଣାପଡିଛି । ଏହି ଆନ୍ଦୋଳନ ଯୋଗୁଁ ଭବାନୀପାଟଣା-ଜୟପୁର ରାସ୍ତା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି।

‘ସଚେତନ ଚାଷୀ ସଙ୍ଗଠନ’ ଏହି ଜାତୀୟ ରାଜପଥରେ ସମବେତ ହୋଇ ଆନ୍ଦୋଳନ କରିଛନ୍ତି । ଏହା ଫଳରେ ରାସ୍ତାରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଏହାକୁ ନେଇ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଚାଷୀମାନଙ୍କ କହିବାନୁଯାୟୀ ଏନେଇ ଏକ କମିଟି ସେମାନଙ୍କ ଚାଷ ଜମିକୁ ପରିଦର୍ଶନ କରି ମରୁଡି ଯୋଗୁଁ କ୍ଷତି ହୋଇଥିବା ଧାନ ଫସଲର ଅଟ୍ଟକଳ କରିବା ସହିତ ଚାଷୀମାନଙ୍କୁ କ୍ଷତିପୂରଣ ଦେବା ଉଚିତ୍ ।

ଏତଦବ୍ୟତୀତ ସ୍ଥାନୀୟ ଚାଷୀମାନେ ଧାନମୂଲ୍ୟ କୁଇଣ୍ଟାଲ ପିଛା ୩ହଜାର ଟଙ୍କା ଏମଏସପି ବୃଦ୍ଧି କରିବା ସହିତ ଚାଷୀମାନଙ୍କ ଲାଗି ଅବସର କାଳୀନ ଭତ୍ତା ପ୍ରଦାନ ନେଇ ଦାବି କରିଛନ୍ତି ।

Leave A Reply

Your email address will not be published.