Latest Odisha News

BREAKING NEWS

ବାରିପଦା ଜେଲରୁ ଚମ୍ପଟ ମାରିଲେ ବିଚାରଧୀନ କଏଦୀ, ନିଲମ୍ବିତ ହେଲେ ୨ଜଣ ଗାର୍ଡ

ବାରିପଦା : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ବିଚାରାଧୀନ କଏଦୀ ଶନିବାର ଗାର୍ଡଙ୍କୁ ଚକମା ଦେଇ ଚମ୍ପଟ୍ ମାରିଛନ୍ତି । ଏହି ଘଟଣାରେ କାରାଗାରର କର୍ତ୍ତବ୍ୟରତ ୨ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି ।

ଏହି ଫେରାର କଏଦୀଙ୍କ ନାମ କାହ୍ନୁଚରଣ ମାରାଣ୍ଡି ଏବଂ ତାଙ୍କ ଘର ବଡସାହି ବ୍ଲକ୍ ଅନ୍ତର୍ଗତ ବନ୍ତଳପଡା ଗ୍ରାମ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ସେ ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ ବାରିପଦା ସର୍କଲ ଜେଲରେ କଏଦୀ ଭାବେ ରହିଥିଲେ । ଆହୁରି ମଧ୍ୟ ଅସୁସ୍ଥତା ପାଇଁ ଗତ ଡିସେମ୍ବର ୬ ତାରିଖରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ ଆଜି ଶୌଚ ହେବାକୁ କହି କାହ୍ନୁ ଟଏଲେଟର ଝରକା କାଚ ଭାଙ୍ଗି ପାଖାପାଖି ସକାଳ ୪ଟା ବେଳେ ସମସ୍ତଙ୍କୁ ଚକମା ଦେଇ ମେଡିକାଲରୁ ଖସି ପଳାଇଥିବା ଜଣାପଡ଼ିଛି ।

ଏହି ଘଟଣାରେ ବାରିପଦା ଜେଲ ସୁପରିଟେଣ୍ଡେଣ୍ଟ୍ ନିରଞ୍ଜନ ଦାସ କର୍ତ୍ତବ୍ୟରେ ଅବହେଳା ପାଇଁ ୨ଗାର୍ଡ ସତ୍ୟବ୍ରତ ବେହେରା ଓ ମାନସ ରଞ୍ଜନ ରାଉତଙ୍କୁ ସସପେଣ୍ଡ କରିଛନ୍ତି ।

ଇତିମଧ୍ୟରେ ଏନେଇ ବାରିପଦା ଟାଉନ ଥାନାରେ ଏକ ଅଭିଯୋଗ ଦାଏର ହେବା ସହିତ ଖସି ପଳାଇଥିବା କଏଦୀଙ୍କୁ ଧରିବାକୁ ଆଲର୍ଟ ଜାରି କରାଯାଇଛି ।

“ଖସି ଯାଇଥିବା କଏଦୀଙ୍କୁ ଧରିବା ପାଇଁ ଏକାଧିକ ସ୍ଥାନରେ ଚଢଉ ଆରମ୍ଭ ହୋଇଛି” ବୋଲି କହିଛନ୍ତି ବାରିପଦା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଅଶୋକ ନାୟକ ।

Leave A Reply

Your email address will not be published.