Latest Odisha News

BREAKING NEWS

ଚେତାବନୀ ସତ୍ୱେ ଫେବୃଆରୀ ୨୧ରେ କୃଷକ ସଙ୍ଗଠନର ଓଡିଶା ବନ୍ଦ ଡାକରା

ଭୁବନେଶ୍ୱର : ରାଜ୍ୟରେ ଆଉ ଦିନକ ପରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ଚେତାବନୀ ସତ୍ୱେ ନବନିର୍ମାଣ କୃଷକ ସଙ୍ଗଠନ ଓଡିଶା ବନ୍ଦ ଡାକରାରୁ ଓହରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।

ଏନେଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି “ ଆମେ ରାଜ୍ୟ ସରକାଙ୍କ ଚେତାବନୀ ସତ୍ୱେ ଫେବୃଆରୀ ୨୧ ତାରିଖରେ ଓଡିଶା ବନ୍ଦ ଡାକରା ନିଷ୍ପତ୍ତିରୁ ଓହରିବୁ ନାହିଁ । ଏହାବ୍ୟତିତ ବିଭିନ୍ନ ଜରୁରିକାଳୀନ ତଥା ଅତ୍ୟାବଶ୍ୟକୀୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ ।

ଗୃହ ବିଭାଗ ପକ୍ଷରୁ ଫେବୃଆରୀ ୧୮ ତାରିଖରେ ଏକ ଅଧିସୂଚନା ଜାରି କରାଯାଇ ଏହି ସଙ୍ଗଠନକୁ ବନ୍ଦ ଡାକରାରୁ ନିବୃତ୍ତ ରହିବା ପାଇଁ କୁହାଯାଇଥିଲା । କାହିଁକି ନା ଏହା ଫଳରେ ଫେବୃଆରି ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପ୍ରଭାବିତ ହେବ । ପରିକ୍ଷାର୍ଥୀମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।

ଏଥିସହିତ ଉକ୍ତ ଅଧିସୂଚନାନୁଯାୟୀ ମାଟ୍ରିକ୍ ପରୀକ୍ଷାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଦରକାର ପଡିଲେ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

ଶ୍ରୀଯୁକ୍ତ ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି, ଏହି ବନ୍ଦ ଫଳରେ ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ଅନ୍ୟପକ୍ଷରେ ବନ୍ଦକୁ ଦୃଷ୍ଟିରେ ରଖି ପରୀକ୍ଷା ଦିନ ନୋଡାଲ ସେଣ୍ଟର ଗୁଡିକୁ ପ୍ରଶ୍ନପତ୍ର ପଠାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କହିଛନ୍ତି।

ସରକାର କୃଷକମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ବିଜେପି କୃଷକ ମୋର୍ଚ୍ଚା ଏହି ବନ୍ଦ ଡାକରାକୁ ସମର୍ଥନ କରିବ ବୋଲି ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛି । “ଏଚଏସସି ପରୀକ୍ଷା ବାହାନାରେ ସରକାର ନବନିର୍ମାଣ କୃଷକ ସଙ୍ଗଠନକୁ ଧମକ ଦେଇଛନ୍ତି । ପରୀକ୍ଷା ଆୟୋଜନ କରିବା ରାଜ୍ୟ ସରକାର ଦାୟିତ୍ୱ ଅଟେ, କୃଷକମାନେ ଆତଙ୍କବାଦୀ ନୁହଁନ୍ତି ସେମାନେ ଶାନ୍ତି ବଜାୟ ରଖିବେ ଏବଂ ନିୟନ୍ତ୍ରଣ ରେଖା ପାରକରିବେ ନାହିଁ” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ ଓଡିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ।

Leave A Reply

Your email address will not be published.