Latest Odisha News

BREAKING NEWS

ଭବାନୀପାଟଣାରେ ଯୋଗୀ ଆଦିତ୍ୟନାଥ, ମୋଦୀଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବାକୁ ଆହ୍ୱାନ

ଭବାନୀପାଟଣା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯୋଗୀ ଆତିତ୍ୟନାଥ ବୁଧବାର ଦିନ ୧୭ ବର୍ଷର ନବୀନ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ।

ଭବାନୀପାଟଣାରେ ଏକ ର‌୍ୟାଲିରେ ଉଦବୋଧନ ଦେଇ ଯୋଗୀ ଆଦିତ୍ୟନାଥ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଭୋଟ ଦେଇ ପୁନର୍ବାର ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ଓଡ଼ିଶାରେ ବିଜେପି ସରକାର ଗଠନ କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାକୁ ଜନସଭାରେ ନିବେଦନ କରିଛନ୍ତି ।

ଆଦିତ୍ୟନାଥ ତାଙ୍କର ସମଗ୍ର ଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜଳା ଯୋଜନାରେ ସଫଳତା ଲାଗି ପ୍ରଶଂସା କରିଥିଲେ । ସେ କହିଥିଲେ, ଏହି ସାଢେ ଚାରିବର୍ଷ ମଧ୍ୟରେ ଉଜ୍ଜଳା ଯୋଜନା ମାଧ୍ୟମରେ ୧୨ କୋଟି ଗରିବ ଲୋକ ଏଲପିଜି ଗ୍ୟାସ ପାଇ ଉପକୃତ ହୋଇପାରିଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ଏକ ବିରାଟ ସଫଳତା ।

ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ କୃଷକମାନେ ବାର୍ଷିକ ୬୦୦୦ ଟଙ୍କା ନିଶ୍ଚିତ ପାଇପାରିବେ ବୋଲି ସଭାରେ ଆଶ୍ୱାସନା ପ୍ରଦାନ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନା ଦୀର୍ଘମିଆଦି ନୁହେଁ ବରଂ ଏଥିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ସେ ଯୋଜନାର ନାମ ଉଲ୍ଲେଖ କରିନଥିଲେ ମଧ୍ୟ କାଳିଆ ଯୋଜନା ଉଦ୍ଦେଶ୍ୟରେ ଅଙ୍ଗୁଳିଠାର କରି କହିଛନ୍ତି, ଯେଉଁ ଯୋଜନାରେ ନାମମାତ୍ର, କ୍ଷୁଦ୍ର ତଥା ଭୂମିହୀନ ଚାଷୀ ଉପକୃତ ହେଉଛନ୍ତି ।

ରାଜ୍ୟ ସରକାରଙ୍କ ବିକାଶ ଏଜେଣ୍ଡାକୁ ପ୍ରଶ୍ନ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, ତାଙ୍କ ସରକାର ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାତ୍ର ଅଢେଇ ବର୍ଷ ମଧ୍ୟରେ ୨୦ ଲକ୍ଷ ବାସଗୃହ ତିଆରି କରିଥିବା ବେଳେ ଓଡ଼ିଶା ସରକାର ଦୀର୍ଘ ୧୭ ବର୍ଷର ଶାସନ ମଧ୍ୟରେ ମାତ୍ର ୧୭ ଲକ୍ଷ ଘର ନିର୍ମାଣ କରିପାରିଛନ୍ତି ।

ଏହି ଜନସଭାକୁ ସମ୍ବୋଧିତ କରି ଆଦିତ୍ୟନାଥ କହିଛନ୍ତି, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସରକାରଙ୍କ ବିକାଶ କାର୍ଯ୍ୟ ଲାଗି ପୁନର୍ବାର କ୍ଷମତାସୀନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ପଞ୍ଚାୟତ ସ୍ତରରେ ଜନସାଧାରଣଙ୍କୁ ଅବଗତ କରିବାକୁ ନିବେଦନ କରିଥିଲେ ।

ନିକଟରେ ପୁଲୱାମାଠାରେ ଘଟିଥିବା ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୨ ଜଣ ସୈନିକ ସେଥିମଧ୍ୟରେ ୨ଜଣ ଓଡ଼ିଆ ସିଆରପିଏଫ ଯବାନ ଦେଶ ଲାଗି ପ୍ରାଣବଳୀ ଦେଇଛନ୍ତି, ଏସମ୍ପର୍କରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ମୋଦୀଙ୍କ ବଳିଷ୍ଠ ନେତୃତ୍ୱରେ ହିଁ ଜମ୍ମୁ ଓ କାଶ୍ମୀରରୁ ଆତଙ୍କବାଦୀଙ୍କ ମୁଳୋତ୍ପାଟନ ହୋଇପାରିବ ।

“ଆମ ସମସ୍ତଙ୍କୁ ଆତଙ୍କବାଦବାଦ ବିରୋଧରେ ଯୁଦ୍ଧ କରିବାକୁ ପଡ଼ିବ ଏହା କୌଣସି ବ୍ୟକ୍ତି ବା ଦଳ ବିରୋଧରେ ନୁହେଁ । ମୋଦୀଙ୍କ ବଳିଷ୍ଠ ନେତୃତ୍ୱରେ ସମସ୍ତ ନାଗରିକ ଏକତ୍ୱ ପ୍ରତିଷ୍ଠାକରି ଆତଙ୍କବାଦ ବିରୋଧରେ ଲଢେଇ କରିବା ଜରୁରୀ,” ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ ।

Leave A Reply

Your email address will not be published.