Latest Odisha News

ଫେବୃଆରୀ ୧ରେ ସଂସଦ ଅଭିମୁଖେ ଚାଷୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ପ୍ରସ୍ତୁତ କରିଛନ୍ତି ଯୋଜନା । ସାଧାରଣତନ୍ତ୍ର ଦିବସରେ ଆସନ୍ତାକାଲି ଚାଷୀମାନେ ଟ୍ରାକ୍ଟର ରାଲି କରିବେ । କିନ୍ତୁ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚାଷୀ ସଂଗଠନ ଆଗକୁ ସଂସଦ ମଧ୍ୟ ଘେରାଉ କରିବ ବୋଲି ନିଷ୍ପତ୍ତି ନେଇଛି । ବଜେଟ୍‌ ଉପସ୍ଥାପନ ଦିନ ଅର୍ଥାତ ଫେବୃଆରୀ ୧ରେ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଚା​‌ଷୀ ସଂସଦ ଅଭିମୁଖେ ଯାତ୍ରା କରିବେ । ଏନେଇ କ୍ରାନ୍ତିକାରୀ କିଷାନ ସଂଗଠନ ନେତା ଦର୍ଶନ ପାଲ ସୂଚନା ଦେଇଛନ୍ତି ।

ଆସନ୍ତା ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ସେହିଦିନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଚାଷୀମାନେ ସଂସଦ ଅଭିମୁଖେ ପଦଯାତ୍ରା କରିବେ । ଏହି ପଦଯାତ୍ରା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ ବୋଲି କ୍ରାନ୍ତିକାରୀ କିଷାନ ୟୁନିୟନ ପକ୍ଷରୁ କୁହାଯାଇଛି । କ୍ରାନ୍ତିକାରୀ କିଷାନ ସଂଗଠନ ନେତା ଦର୍ଶନ ପାଲ କହିଛନ୍ତି, ଯଦି ଆମର ଦାବି ମୁତାବକ କୃଷି ଆଇନକୁ ଉଚ୍ଛେଦ କରାଯିବ ନାହିଁ, ତା’ହେଲେ ଆମେ ସଂସଦ ଅଭିମୁଖେ ପଦଯାତ୍ରା କରିବୁ । ଫେବୃଆରୀ ୧ରେ ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ସଂସଦ ଅଭିମୁଖେ ପଦଯାତ୍ରା କରିବେ। ସରକାର ଯେପର୍ଯ୍ୟନ୍ତ କୃଷି ଆଇନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ସାଧାରଣତନ୍ତ୍ର ଦିବସରେ ହଜାର ହଜାର ଚାଷୀ ଟ୍ରାକ୍ଟର ରାଲି କରୁଥିବା ବେଳେ, ଏହା ପୂର୍ବରୁ ଦର୍ଶନ ପାଲଙ୍କ ବୟାନ ସାମ୍ନାକୁ ଆସିଛି। କେନ୍ଦ୍ରର ନୂଆ କୃଷି ଆଇନ୍‌ ବିରୋଧରେ ୨ ମାସ ହେଲା ଆନ୍ଦୋଳନରେ ବସିଛନ୍ତି ଚାଷୀ। ଏପରିକି ସରକାର ଓ ଚାଷୀଙ୍କ ମଧ୍ୟରେ ୧୧ ଥର ବୈଠକ ବସିଥିଲେ ସମାଧାନର ବାଟ ବାହାରି ପାରୁନି ।

Leave A Reply

Your email address will not be published.