Latest Odisha News

ଡିସେମ୍ବର ୧ରୁ ଗାଡି ପାଇଁ ଫାସଟ୍ୟାଗ୍ ବାଧ୍ୟତାମୂଳକ; ଜାଣନ୍ତୁ କ’ଣ ଏହି ଫାସଟ୍ୟାଗ୍

ସାରା ଦେଶରେ ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ସମସ୍ତ ମୋଟର ଯାନ ଲାଗି ଫାସଟ୍ୟାଗକୁ ବାଧ୍ୟତାମଳୂକ କରାଯାଉଛି । ଏହି ଫାସଟ୍ୟାଗ ଯୋଗୁଁ ଟୋଲ ଦେୟ ଶୀଘ୍ର ଓ ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ ।

ପୂର୍ବରୁ ଟୋଲ୍ ଦେୟ ପାଇଁ ଗାଡିଗୁଡିକୁ ଘଣ୍ଟାଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଥିଲା କିନ୍ତୁ ଏବେ ସେପରି ହେବନାହିଁ ।

କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏହି ଫାସଟ୍ୟାଗକୁ ଗାଡିଗୁଡିକର ‘ଆଧାର’ ସହ ତୁଳନା କରିଛନ୍ତି । ଏପରିକି ୪୫୦ ଟୋଲ୍ ବୁଥ୍ ପୂର୍ବରୁ ଏହି ଟେକନିକ୍ ସହ ସାମିଲ ହୋଇଥିବା ବେଳେ ଦୈନିକ ୧୦ ଲକ୍ଷରୁ ଅଧିକ ଟଙ୍କାର ନେଣଦେଣ କାରବାର ଫାସଟ୍ୟାଗ୍ ଦ୍ୱାରା କରାଯାଉଥିବା ନେଇ ସେ ପ୍ରକାଶ କରିଛନ୍ତି ।

କ’ଣ ଏହି ଫାସଟ୍ୟାଗ୍…

ଫାସଟ୍ୟାଗ୍ ହେଉଛି ଟୋଲ ଆଦାୟ ପାଇଁ ଏକ ନୂତନ ଇଲେକ୍ଟୋନିକ୍ ବ୍ୟବସ୍ଥା । ଯାହାକୁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଆଇ) ପ୍ରଣୟନ କରିଛନ୍ତି । ଗାଡିଗୁଡିକରେ ଲାଗିଥିବା ଏହି ଫାସଟ୍ୟାଗରୁ ଟୋଲ ଗେଟ୍ ମାନଙ୍କରେ ଲାଗିଥିବା ରେଡିଓ ଫ୍ରିକ୍ୱେନ୍ସି ଜରିଆରେ ଚିହ୍ନଟ କରାଯାଇ ଟୋଲ୍ ଦେୟ ଆଦାୟ କରାଯିବ । ଏହି ଦେୟ ମାଲିକଙ୍କର ବ୍ୟାଙ୍କ ଆକାଉଣ୍ଟ ଅଥବା ପ୍ରିପେଡ୍ ଆକାଉଣ୍ଟରୁ କାଟିନିଆଯିବ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଟ୍ରାଞ୍ଜାକ୍ସନ୍ ସମ୍ବନ୍ଧୀୟ ସୂଚନା ମେସେଜ୍ ଆକାରରେ ମିଳିବ ବୋଲି ସୂଚନା ମିଳିଛି ।

ଏହାଦ୍ୱାରା ବହୁତ ଶୀଘ୍ର ଟୋଲ୍ ଆଦାୟ ହୋଇପାରିବ ଏବଂ ଏହା କ୍ୟାସଲେସ୍ ସୁବିଧା ମଧ୍ୟ ପ୍ରଦାନ କରିବ । ଭିଡ କମ୍ ହେବା ସଙ୍ଗେସଙ୍ଗେ ଇନ୍ଧନ ମଧ୍ୟ କମ୍ ଖର୍ଚ୍ଚ ହେବ ।

କେନ୍ଦ୍ରୀୟ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଫାସଟ୍ୟାଗ୍ ପାଇଁ ପ୍ରାୟ ୨୩ଟି ବ୍ୟାଙ୍କ ସହ ବୁଝାମଣା କରାଯାଇଛି । ଜଣେ ବ୍ୟକ୍ତି ଚାହିଁଲେ ଏହାକୁ ନିକଟତମ ବ୍ୟାଙ୍କ ଶାଖାକୁ ଯାଇ କିଣିପାରିବ ।

ବ୍ୟାଙ୍କ ବ୍ୟତିତ ଫାସଟ୍ୟାଗ୍, ପେଟିଏମ୍ ଓ ଆମାଜନରେ ମଧ୍ୟ ଉପଲବ୍ଧ ରହିଛି । ଏହାବ୍ୟତିତ ଏସବିଆଇ ସବୁ ବାହାନ ପାଇଁ ୧୦୦ଟଙ୍କା ଚାର୍ଜ କରୁଥିବା ବେଳେ ପ୍ରତିବଦଳରେ ୨୦୦ରୁ ୪୦୦ ଟଙ୍କାର ରିଫଣ୍ଡେବଲ୍ ସିକ୍ୟୁରିଟି ଟଙ୍କାମଧ୍ୟ ପ୍ରଦାନ କରୁଛି ।

ମାଇଁ ଫାସଟ୍ୟାଗ ଆପ୍ ମଧ୍ୟ ରହିଛି, ଯାହାଦ୍ୱାରା ଆପଣ ଚାହିଁଲେ ଗାଡିର ପଞ୍ଜିକରଣ ଭଳି ଅନେକ ବିବରଣୀ ସେଥିରେ ଦେଇପାରିବେ । ଏହାବ୍ୟତିତ ସରକାର ଫାସଟ୍ୟାଗ ଗ୍ରାହକଙ୍କୁ ୨.୫ ପ୍ରତିଶତର କ୍ୟାସବ୍ୟାକ୍ ମଧ୍ୟ ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.