Latest Odisha News

ସାତକୋଶିଆ ସୁନ୍ଦରୀର ଭାଗ୍ୟ ଏବେ ଝୁଲନ୍ତ ଅବସ୍ଥାରେ !

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟରେ ଥିବା ବାଘୁୁଣୀ ସୁନ୍ଦରୀର ଭାଗ୍ୟକୁ ନେଇ ଏବେ ରାଜ୍ୟ ବନ ବିଭାଗ ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) କିଂକତ୍ତବ୍ୟବିମୁଢ ହୋଇ ରହିଛନ୍ତି । ଦୀର୍ଘ ଏକମାସ କାଳ ସାତକୋଶିଆର ଏନକ୍ଲୋଜର ମଧ୍ୟରେ ସୁନ୍ଦରୀର ଭାଗ୍ୟ ଏବେ ଝୁଲନ୍ତ ଅବସ୍ଥାରେ ।

ଅନୁଗୁଳ ଜିଲ୍ଲାର ହାତୀବାରି ଗ୍ରାମରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଜଣେ ମହିଳାଙ୍କୁ, ଅକ୍ଟୋବର ୨୭ ତାରିଖରେ ଟାଇଁସି ଗା’ର ଜଣେ ବ୍ୟକ୍ତି ସୁନ୍ଦରୀ ଆକ୍ରମଣରେ ପ୍ରାଣହାନୀ ଘଟିଥିବାର ଅଭିଯୋଗ ହୋଇଥିଲା । ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ସୁନ୍ଦରୀକୁ ଜଙ୍ଗଲରେ ଛଡ଼ା ଯାଇଥିଲା । ତେବେ ଘଟଣାକ୍ରମରେ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୁନ୍ଦରୀକୁ ନନ୍ଦନକାନନର ଏକ ଏନକ୍ଲୋଜର ମଧ୍ୟରେ ରଖାଯିବ ବୋଲି ସୂଚନା ଦେଇଥିଲେ ।

ଏହି ଅଞ୍ଚଳରେ ବାଘୁଣୀଟି ଏକପ୍ରକାର ଆତଙ୍କ ଖେଳାଇ ଦେଇଥିଲା । ଜଙ୍ଗଲ ଛାଡ଼ି ଜନବସତିରେ ଅବାଧ ଭାବେ ପ୍ରବେଶ କରି ଗାଁ ଭିତରେ ଲୋକଙ୍କୁ ଆକ୍ରମଣ କରିଥିଲା । ପରିଶେଷରେ ଅନେକ ଉଦ୍ୟମ ପରେ ନଭେମ୍ବର ୬ ତାରିଖରେ ବାଘୁଣୀକୁ ଧରା ଯାଇଥିଲା । ବାଘୁଣୀଟି ଧରା ପଡ଼ିଥିଲେ ମଧ୍ୟ ନା ବନ ବିଭାଗ ନା ଏନଟିସିଏ ତାର ଭାଗ୍ୟ ନେଇ ସ୍ପଷ୍ଟ କରିନାହାନ୍ତି । ସୁନ୍ଦରୀକୁ ପୁନର୍ବାର ଜଙ୍ଗଲରେ ଛଡ଼ାଯିବ କି ସେ ଆସିଥିବା ଜୁନ ୨୯ ତାରିଖରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରକୁ ଲେଉଟିଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ ।

ଇତିମଧ୍ୟରେ ସୂତ୍ରରୁ ଜଣାପଡ଼ିଛିଯେ, ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଯୋଜନାକୁ ସଫଳ କରିବାକୁ ସୁନ୍ଦରୀକୁ ପୁନର୍ବାର ଜଙ୍ଗଲରେ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏନଟିସିଏ ଯୋଜନା ପ୍ରସ୍ତୁତ କରି ଜଙ୍ଗଲ ମଧ୍ୟରେ ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକ ୨୦୦ଟି ସିସିଟିଭି କ୍ୟାମେରା ଖଞ୍ଜିବା ସହିତ ବାଘୁଣୀର ଗତିବିଧିକୁ ତିକ୍ଷ୍ଣ ଭାବେ ନିରୀକ୍ଷଣ କରିବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.