Latest Odisha News

ପୋଲାଭରମ ପ୍ରସଙ୍ଗ: କାର୍ଯ୍ୟ ବନ୍ଦ ଲାଗି ଓଡ଼ିଶାର ରହିତାଦେଶ ଆବେଦନ ସୁପ୍ରିକୋର୍ଟରେ ଖାରଜ

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶା ସରକାରଙ୍କୁ ସୋମବାର ଦିନ ଶକ୍ତ ଧକ୍କା ଲାଗିଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ପ୍ରକଳ୍ପ ସ୍ଥାନରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନେଇ ଓଡ଼ିଶା ସରକାରଙ୍କ ରହିତାଦେଶ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ଏକ ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଦିନ ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣୀ କରି ଏହି ପ୍ରକଳ୍ପର କାର୍ଯ୍ୟ ବନ୍ଦ କରିବା ନେଇ ହୋଇଥିବା ରହିତାଦେଶ ଆବେଦନକୁ ଖାରଜ କରିଛନ୍ତି ।

ଅନ୍ୟପକ୍ଷରେ, ସୁପ୍ରିମକୋର୍ଟ ଏହି ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳର ସମସ୍ତ ତଥ୍ୟ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଦ୍ୱାରା ପ୍ରସ୍ତତ ହୋଇଥିବା ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ନିର୍ମାଣରେ କେଉଁ ଅଞ୍ଚଳ ଜଳାର୍ଣ୍ଣବ ହେବାର ସମ୍ଭାବନା ରହିଛି, କେଉଁ ଅଞ୍ଚଳ ଗୁଡ଼ିକ ଏହି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବ ତଥା ଏହି ପ୍ରସ୍ତାବିତ ପ୍ରକଳ୍ପରେ କେତେ ଲୋକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ତଥା କ୍ଷତିପୂଣଣ ଏବଂ ବିସ୍ଥାପନ କାର୍ଯ୍ୟର ବିବରଣୀ ସହିତ ତାହାର ଏକ ସମ୍ପୂର୍ଣ୍ଣ ରିପୋର୍ଟକୁ ଏହି ଦୁଇ ରାଜ୍ୟକୁ ପ୍ରସ୍ତୁତ କରି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଏହି ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠ ଗତ ନଭେମ୍ବର ୨୯ ତାରିଖରେ ଏକ ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଜନ ଶୁଣାଣି ମାଧ୍ୟମରେ ଚୂଡ଼ାନ୍ତ ଶୁଣାଣି କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କେନ୍ଦ୍ର ସରକାର ପୁନର୍ବାର ସତ୍ୟପାଠ ଦାଖଲ କରିବା ସହିତ ଏଥିରୁ ଓହରି ଯାଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୭ ମସିହାରେ ଏହି ପ୍ରସଙ୍ଗରେ ୧୩ଟି ପ୍ରଶ୍ନ ସମ୍ବଳିତ କରି ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ଏସମ୍ପର୍କରେ ଅଦାଲତ ଏହି ପ୍ରକଳ୍ପ ନିର୍ମାଣରେ ଜଳନିଷ୍କାସନ ନେଇ ମଧ୍ୟ ଶୁଣାଣି କରିଥିଲେ ।

Leave A Reply

Your email address will not be published.