Latest Odisha News

BREAKING NEWS

ଅଭିନେତ୍ରୀ ରାନ୍ୟା ରାଓଙ୍କ ଗିରଫ ପରେ ଏପରି କହିଲେ ବାପା

ବେଙ୍ଗାଲୁରୁ: ଦୁବାଇରୁ ସୁନା ଚୋରା ଚାଲାଣ ମାମଲାରେ କନ୍ନଡ-ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଗିରଫ କରିଛି ବେଙ୍ଗାଲୁରୁର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଅଭିନେତ୍ରୀଙ୍କୁ ୧୨.୫୬ କୋଟି ଟଙ୍କା ମୂଲ୍ୟର ୧୪.୮ କିଲୋଗ୍ରାମ ସୁନା ସହିତ ଧରାଯାଇଥିଲା । ଏହି ମାମଲାରେ ତାଙ୍କ ବାପା ଯିଏକି ଜଣେ ଆଇଏଏସ ଅଧିକାରୀ ଆଉ ଏବେ କର୍ଣ୍ଣାଟକ ରାଜ୍ୟ ପୋଲିସ ହାଉସିଂ କର୍ପୋରେସନରେ ଡିଜିପି ଥିବା ରାମଚନ୍ଦ୍ର ରାଓଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି ।

ବାପା ରାମଚନ୍ଦ୍ର ରାଓ ତାଙ୍କ ଝିଅ ରାନ୍ୟା ରାଓଙ୍କ ଗିରଫଦାରୀ ଉପରେ କହିଛନ୍ତି ଯେ, ଯେତେବେଳେ ଏପରି ଘଟଣା ଗଣମାଧ୍ୟମ ମାଧ୍ୟମରେ ମୋ ନଜରକୁ ଆସିଲା, ମୁଁ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ସ୍ତବ୍ଧ ହୋଇଗଲି । ମୁଁ ଏସବୁ ବିଷୟରେ ଅବଗତ ନଥିଲି । ଅନ୍ୟ ଯେକୌଣସି ବାପାଙ୍କ ପରି, ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲି ।

ଡିଜିପି ରାମଚନ୍ଦ୍ର ରାଓ ଆହୁରି କହିଛନ୍ତି ଯେ, ରାନ୍ୟା ଆମ ସହିତ ରୁହେ ନାହିଁ । ସେ ତାଙ୍କ ସ୍ୱାମୀଙ୍କ ସହ ଅଲଗା ଭାବରେ ରହୁଛି । ପାରିବାରିକ ସମସ୍ୟା ଯୋଗୁଁ ସେମାନଙ୍କ ମଧ୍ୟରେ ନିଶ୍ଚୟ କିଛି ସମସ୍ୟା ଅଛି । ହଁ, ଆଇନ ତା’ର କାମ କରିବ । ମୋ କ୍ୟାରିୟରରେ କୌଣସି କଳା ଦାଗ ନାହିଁ । ମୁଁ ଏହାଠାରୁ ଅଧିକ କିଛି କହିବାକୁ ଚାହୁଁନାହିଁ ।

ସୂଚନାଯୋଗ୍ୟ, ୩୩ ବର୍ଷୀୟ ଅଭିନେତ୍ରୀ ରାନ୍ୟା ରାଓ ମାର୍ଚ୍ଚ ୩ରେ ଏମିରେଟ୍ସରୁ ଦୁବାଇ ଯାଇଥିଲେ ଏବଂ ତା’ପରେ ଦୁବାଇରୁ ବେଙ୍ଗାଲୁରୁ ପହଞ୍ଚିଥିଲେ । ଡିଆରଆଇ ଅଧିକାରୀମାନେ ତାଙ୍କୁ ବିମାନବନ୍ଦରରେ ଅଟକାଇ ତଲାସି ନେଇଥିଲେ । ଯାଞ୍ଚ ସମୟରେ, ଅଭିନେତ୍ରୀଙ୍କ ପାଖରୁ ୧୪.୮ କିଲୋଗ୍ରାମ ସୁନା ବିସ୍କୁଟ ମିଳିଥିଲା ।

ତେବେ ଅଭିନେତ୍ରୀ ରାଓ ଗତ ୧୫ ଦିନରେ ୪ ଥର ଦୁବାଇ ଯାତ୍ରା କରିଥିଲେ, ଯାହା ଡିଆରଆଇର ସନ୍ଦେହ ଘେରକୁ ଆସିଥିଲା । ଏହା ଉପରେ ଡିଆରଆଇ ଟିମ୍ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଆରମ୍ଭ କଲା । ତଦନ୍ତକାରୀ ସଂସ୍ଥା ସୂଚନା ପାଇଥିଲା ଯେ ରାନ୍ୟା ରାଓ ତାଙ୍କ ସହିତ ବିପୁଳ ପରିମାଣର ସୁନା ଆଣୁଥିଲେ । ଏହା ଉପରେ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Comments are closed.