Latest Odisha News

ୟୁପିର ଗଧିଆ ଗଡ : ନା ଧରିପାରୁଛନ୍ତି ନା ମାରିପାରୁଛନ୍ତି 

ବାହରାଇଚ: ୟୁପିର ବାହରାଇଚ ଜିଲ୍ଲାରେ ଜାରି ରହିଛି ଗଧିଆ ଆତଙ୍କ । ସ୍ଥାନୀୟ ଲୋକ ଓ ପ୍ରଶାସନକୁ ନାକେଦମ କରିଦେଲେଣି ଗଧିଆ । ବାହରାଇଚ ଜିଲ୍ଲା ମହସୀ ସବଡିଭିଜନରେ ଗଧିଆଙ୍କ ଭୟରେ ଲୋକଙ୍କ ନିଦ ହଜିଗଲାଣି । ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଧିଆଙ୍କ ଆକ୍ରମଣରେ ୧୦ ଜଣଙ୍କ ଜୀବନ ଗଲାଣି । ହେଲେ ମଣିଷଖିଆ ଗଧିଆମାନଙ୍କୁ କାବୁ କରିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ସଫଳ ହୋଇନାହିଁ । ଦିନକୁ ଦିନ ଗଧିଆଙ୍କ ଆକ୍ରମଣ ବଢିବାରେ ଲାଗିଛି ।

ଅପରେସନ ଗଧିଆ : ଧରିନପାରିଲେ ଗୁଳି ମାର

ବହରାଇଚରେ ଗଧିଆଙ୍କ ଆକ୍ରମଣରେ ଏ ଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୮ ଜଣ ଶିଶୁ ଅଛନ୍ତି । ଆକ୍ରମଣରେ ୩୪ ଜଣ ଆହତ ହୋଇଛନ୍ତି । ଗଧିଆଙ୍କ ଉପଦ୍ରବ ଦେଖି ରାଜ୍ୟ ସରକାର ଦେଖିଲା ମାତ୍ରକେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଦିନେ ଦୁଇ ଦିନ ମଧ୍ୟରେ ଗଧିଆ ଧରା ନପଡିଲେ, ସେମାନଙ୍କୁ ଦେଖିବା ମାତ୍ରକେ ଗୁଳି କରାଯିବ । ଏ ଯାଏଁ ଚାରିଟି ଗଧିଆଙ୍କୁ ଧରିଛି ବନ ବିଭାଗ । ଆହୁରି ଦୁଇ ତିନିଟି ଗଧିଆ ବୁଲୁଛନ୍ତି ବୋଲି ବନ ବିଭାଗ କହିଛି । ଆକ୍ରମଣ ପଛରେ ଗୋଟିଏ ନା ଅଧିକ ଗଧିଆ ଅଛନ୍ତି, ସେ ନେଇ ଯାଂଚ ଚାଲିଛି ।

ଗଧିଆ ଭୟରେ ଦୋକାନ ବଜାର ସବୁ ବନ୍ଦ

ବାହରାଇଚ ଜିଲ୍ଲାରେ ଗଧିଆ ଆତଙ୍କ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ । ବିଶେଷକରି ମାହସୀ ସବଡିଭିଜନରେ ଠପ୍ ହୋଇଯାଇଛି ଜୀବନ ଯାତ୍ରା । ପିଲାମାନଙ୍କୁ ବାହାରକୁ ଛଡାଯାଉନାହିଁ । ସ୍କୁଲକୁ ବି କେହି ଯାଉନାହାନ୍ତି । କ୍ଷେତ ଜଗିବାକୁ ଚାଷୀମାନେ ବି ଭୟ କରୁଛନ୍ତି । ହାଟବଜାର ଅଧିକାଂଶ ସମୟ ବନ୍ଦ ରହୁଥିବା ବେଳେ ଲୋକେ ଗାଁରେ ଖୋଲିଥିବା କିଛି ଅସ୍ଥାୟୀ ଦୋକାନରୁ ସଉଦାପତ୍ର କିଣି କାମ ଚଳାଉଛନ୍ତି । ଗାଁ ଲୋକେ ଛୋଟ ଛୋଟ ଗ୍ରୁପ୍ ଗଠନ କରି ପାଳି କରି ପାଟ୍ରୋଲିଂ କରୁଛନ୍ତି ।

ଗଧିଆଙ୍କ ପାଇଁ ସତର୍କତା

ଗଧିଆ ସଂକଟର ମୁକାବିଲା ପାଇଁ ଜୋରଦାର ଉଦ୍ୟମ ହେଉଛି । ଡେରାଡୁନର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଚାରି ଜଣିଆ ଟିମ୍ ବାହରାଇଚରେ ଡେରା ପକାଇଛନ୍ତି । ଗଧିଆ ଆକ୍ରମଣର ଶୈଳୀ ଅଧ୍ୟୟନ କରି ସେମାନଙ୍କୁ ଧରିବା ପାଇଁ ଉପାୟ ବାହାର କରିବ ଟିମ୍ । ବାହରାଇଚର ଗଧିଆ ଉପଦ୍ରବ ଅଂଚଳରେ ବନ ବିଭାଗ ୬ଟି କ୍ୟାମେରା ଓ ଡ୍ରୋନ ମୁତୟନ କରିିଛି । ପ୍ରଭାବିତ ଅଂଚଳରେ ପ୍ରୋଭିନସିଆଲ ଆର୍ମି କନଷ୍ଟାବୁଲାରୀ-ପିଏସିର ୧୫୦ କର୍ମୀ ପାଟ୍ରୋଲିଂ କରୁଛନ୍ତି । ରାଜସ୍ୱ ବିଭାଗର ୩୨ ଓ ବନ ବିଭାଗର ୨୫ଟି ଟିମ୍ ଗ୍ରାଉଣ୍ଡରେ ସକ୍ରିୟ ଅଛନ୍ତି । ଗଧିଆଙ୍କ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସବୁ ପ୍ରଭାବିତ ଗାଁର ଘରେ ଘରେ ସରକାରୀ ସହାୟତାରେ ମଜବୁତ୍ କବାଟ ଲଗାଯାଉଛି । ହାଇମାଷ୍ଟ୍ ଓ ସୋଲାର ଲାଇଟ୍ ଲଗାଯାଉଛି, ଯାହା ଦ୍ୱାରା କି ରାତି ଅନ୍ଧାରରେ ଗଧିଆଙ୍କ ଆକ୍ରମଣର ମୁକାବିଲା କରାଯାଇପାରିବ । ଏତେ ସବୁ ବ୍ୟବସ୍ଥା ହେଉଥିଲେ ମଧ୍ୟ ଗଧିଆ ଭୟ ଦୂର ହୋଇପାରୁନାହିଁ । ସ୍ୱାଭାବିକ ହୋଇପାରୁନାହିଁ ସ୍ଥିତି ।

Comments are closed.