ନୂଆଦିଲ୍ଲୀ: ରାସ୍ତାରେ ପୁଲା କୁକୁରଙ୍କୁ ଖାଇବାକୁ ଦେବା ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଦିନ, ସୁପ୍ରିମକୋର୍ଟ ନୋଏଡାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସମ୍ପର୍କରେ ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଆବେଦନରେ ଦାବି କରାଯାଇଥିଲା ଯେ କୁକୁରମାନଙ୍କୁ ଖାଇବାକୁ ଦେବା ପାଇଁ ଆବେଦନକାରୀଙ୍କୁ ହଇରାଣ କରାଯାଉଛି। ଯାହାକୁ ନେଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ, ଆପଣ ଆପଣଙ୍କ ଘରେ ଏହି କୁକୁରମାନଙ୍କୁ କାହିଁକି ଖାଇବାକୁ ଦେଉନାହାଁନ୍ତି?
ତେବେ କହିରଖୁଛୁ ଦେଶର ଅନେକ ଅଞ୍ଚଳରେ ବୁଲା କୁକୁର ଏକ ବଡ଼ ସମସ୍ୟା ପାଲଟିଛି ଏବଂ ପ୍ରତିଦିନ ସେମାନଙ୍କ ଦ୍ୱାରା ଲୋକଙ୍କ ଉପରେ ଆକ୍ରମଣ କରିବାର ରିପୋର୍ଟ ମଧ୍ୟ ସାମ୍ନାକୁ ଆସୁଛି । ହେଲେ ଆମେ ଅନେକ ଲୋକଙ୍କୁ ଦେଖିଥିବା ଯେଉଁମାନେ ରାସ୍ତାଘାଟରେ ବୁଲୁଥିବା ଏହି ବୁଲା କୁକୁର କିମ୍ବା ଗାଈଗୋରୁମାନଙ୍କୁ ଖାଦ୍ୟ ଯୋଗାଇଦେିଥାନ୍ତି । ଯାହାକୁ ନେଇ ନଏଡାରେ ଏବେ ମାମଲା କୋର୍ଟରେ ପହଞ୍ଚିଛି ।
ବୁଲା କୁକୁରଙ୍କୁ ଖାଇବା ଦେବା ପ୍ରସଙ୍ଗରେ ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ସେମାନେ ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ୨୦୨୩ର ନିୟମ ୨୦ ପାଳନ କରୁଛନ୍ତି, ଯାହା କହୁଛି ଯେ ସ୍ଥାନୀୟ ବାସିନ୍ଦା କଲ୍ୟାଣ କମିଟି କିମ୍ବା ଆପାର୍ଟମେଣ୍ଟ ମାଲିକ କମିଟିଗୁଡ଼ିକ ସେମାନଙ୍କ ଅଞ୍ଚଳରେ ବୁଲା ପଶୁମାନଙ୍କୁ ଖାଇବାକୁ ଦେବାର ବ୍ୟବସ୍ଥା କରିବା ଉଚିତ । ଏଥିସହିତ ଓକିଲ କହିଛନ୍ତି ଯେ ମ୍ୟୁନିସିପାଲ କର୍ପୋରେସନ ଗ୍ରେଟର ନୋଏଡାରେ ଏପରି ସ୍ଥାନ ତିଆରି କରୁଛି, କିନ୍ତୁ ନୋଏଡାରେ ଏହା ହେଉନାହିଁ। ସେ ପରାମର୍ଶ ଦେଇଛନ୍ତି ଯେ ଯେଉଁ ସ୍ଥାନରେ ଲୋକଙ୍କର ଗତିବିଧି କମ୍ ଥାଏ ସେଠାରେ ଏକ ଖାଦ୍ୟ ବ୍ୟବସ୍ଥା ହେବା ଉଚିତ।
ଯାହାର ଶୁଣାଣି କରି ବିଚାରପତି ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲଙ୍କୁ କହିଥିଲେ, ଆମେ କ’ଣ ଏହି ବଡ଼ ହୃଦୟର ଲୋକଙ୍କ ପାଇଁ ପ୍ରତ୍ୟେକ ରାସ୍ତା ଖୋଲା ରଖିବା ଉଚିତ? ପଶୁମାନଙ୍କ ପାଇଁ ସବୁ ସ୍ଥାନ ଅଛି ଏବଂ ମଣିଷଙ୍କ ପାଇଁ ସ୍ଥାନ ନାହିଁ? ଆପଣଙ୍କ ଘରେ ଏହି କୁକୁରମାନଙ୍କୁ ଖାଇବାକୁ ଦିଅନ୍ତୁ, ଆପଣଙ୍କୁ କେହି ବାଧା ଦେଉନାହାଁନ୍ତି । କୋର୍ଟ କହିଛନ୍ତି ଯେ ଆବେଦନକାରୀ ତାଙ୍କ ଘରେ ଏକ ଆଶ୍ରୟସ୍ଥଳ ଖୋଲି ସେଠାରେ ଥିବା ସମସ୍ତ ବୁଲା କୁକୁରଙ୍କୁ ଖାଇବାକୁ ଦେବା ଉଚିତ ।
ଏହାବ୍ୟତୀତ ଆଇନଜୀବୀଙ୍କ ଯୁକ୍ତି ଉପରେ ଖଣ୍ଡପୀଠ କହିଥିଲେ, ତୁମେ କ’ଣ ସକାଳେ ସାଇକେଲ ଚଲାଉଛ? ଥରେ ଚେଷ୍ଟା କର, ତା’ପରେ ତୁମେ ଜାଣିପାରିବ। ସକାଳେ ଚାଲିବା ଲୋକ ମଧ୍ୟ ବିପଦରେ ଥାଆନ୍ତି। ଯେଉଁମାନେ ସାଇକେଲ ଏବଂ ଦୁଇ ଚକିଆ ଯାନ ଚଲାନ୍ତି ସେମାନେ ଆହୁରି ବିପଦରେ ଥାଆନ୍ତି । ସାମ୍ପ୍ରତିକ ସମୟରେ ବୁଲା କୁକୁର ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ ପ୍ରାଣ ହରାଇଛନ୍ତି ଏବଂ ପଥଚାରୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କୋର୍ଟ ଆବେଦନକାରୀ ଏବଂ ସାଧାରଣ ଲୋକଙ୍କ ଚିନ୍ତାକୁ ଗମ୍ଭୀରତାର ସହିତ ନେବା ଏବଂ ବୁଲା କୁକୁର ଏବଂ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କୋର୍ଟ ଏହି ଆବେଦନକୁ ଅନ୍ୟ ଏକ ସମାନ ମାମଲା ସହିତ ଯୋଡ଼ି ଶୁଣାଣି ସ୍ଥଗିତ ରଖିଥିଲେ।
ତେବେ ପୂର୍ବରୁ ୨୦୨୫ ମାର୍ଚ୍ଚରେ ଆହ୍ଲାବାଦ ହାଇକୋର୍ଟ ଆବେଦନକାରୀଙ୍କ ଆବେଦନର ଶୁଣାଣି କରିଥିଲେ। ଆବେଦନକାରୀ ଦାବି କରିଥିଲେ ଯେ ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ଏବଂ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନ ୧୯୬୦ ପାଳନ କରି ବୁଲା କୁକୁରମାନଙ୍କୁ ସୁରକ୍ଷା ଦିଆଯିବା ଉଚିତ। ହାଇକୋର୍ଟ କହିଥିଲେ ଯେ ବୁଲା କୁକୁରମାନଙ୍କର ସୁରକ୍ଷା ଆବଶ୍ୟକ, କିନ୍ତୁ ସାଧାରଣ ଲୋକଙ୍କ ସୁରକ୍ଷାର ମଧ୍ୟ ଯତ୍ନ ନେବାକୁ ପଡିବ, ଯାହା ଦ୍ୱାରା ରାସ୍ତାରେ କୁକୁର ଆକ୍ରମଣ ଦ୍ୱାରା ସେମାନଙ୍କର ଗତିବିଧି ପ୍ରଭାବିତ ନହୁଏ।
Comments are closed.