Latest Odisha News

BREAKING NEWS

ବ୍ଲକ୍‌ବଷ୍ଟର ସିନେମାରେ ନାରୀ ଚରିତ୍ର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ନିକଟ ଅତୀତରେ ରିଲିଜ୍ ହୋଇ ସାରା ଦେଶରେ ଚହଳ ପକେଇଥିବା ତିନୋଟି ବ୍ଲକ୍‌ବଷ୍ଟର ସିନେମାର ତାଲିକା ଯଦି କରାଯିବ, ତେବେ ସେଥିରେ ଉପରେ ନିଶ୍ଚିତ ଭାବେ ରହିବ ଆଲୁ ଅର୍ଜୁନ୍ ଅଭିନୀତ ‘ପୁଷ୍ପା’, ବାହୁବଳୀ ଫେମ୍ ରାଜମୌଲିଙ୍କ ଦ୍ୱାରା ନିର୍ମିତ ଆର୍‌.ଆର୍‌.ଆର୍‌. ଓ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କେ.ଜି.ଏଫ୍‌.-୨ । ଯଦିଓ ସିନେମା ତିନୋଟି ମୂଳତଃ ଦକ୍ଷିଣ ଭାରତୀୟ କିନ୍ତୁ ଏହା ସାରା ଭାରତର ଦର୍ଶକଙ୍କୁ ଆଖିରେ ରଖି ତିଆରି କରାଯାଇଥିଲା ଓ ଏକା ସାଙ୍ଗରେ ସମଗ୍ର ଦେଶରେ ଭିନ୍ନ ଭିନ୍ନ ଭାଷାରେ ରିଲିଜ୍ ମଧ୍ୟ ହୋଇଥିଲା ।

ସିନେମା ତିନୋଟି ସାରା ଦେଶରେ ଏମିତି ମାନିଆ ସୃଷ୍ଟି କରିଛି ଯେ, ଏବେ ବି ଯୁବକମାନେ ପୁଷ୍ଟା ଷ୍ଟାଇଲ୍‌ରେ ଓଠ ତଳେ ହାତ ବୁଲେଇ ଝୁକେଗା ନେହିଁ କହୁଛନ୍ତି । କେ.ଜି.ଏଫ୍‌.ର ନାୟକ ଭାଉଲେନ୍‌ସ ତଥା ହିଂସାକୁ ନେଇ କହିଥିବା ସଂଳାପରେ ତ ଏବେ ଫେସ୍‌ବୁକ୍‌ ରିଲ୍ ଭର୍ତ୍ତି ହୋଇଛି । ଯୁବକ ଓ ବୟସ୍କ ସବୁ ବର୍ଗ ଏଥିରେ ଅଛନ୍ତି । ସେହି ତୁଳନାରେ ରାଜମୌଲିଙ୍କ ଆର୍‌.ଆର୍‌.ଆର୍‌. ଟିକେ ପଛରେ ପଡ଼ିଥିଲେ ବି ବ୍ୟବସାୟ ଦୃଷ୍ଟିରୁ ତାହା ବି ୫୦୦ କୋଟି ଟପିସାରିଲାଣି । ଏହି ତିନୋଟି ଯାକ ସୁପରହିଟ୍ ସିନେମାର କେନ୍ଦ୍ର ବିନ୍ଦୁ ହିଂସା । ପ୍ରଚୁର ହିଂସା । ଏହି, ସିନେମା ତିନୋଟିରେ ଏତେ ପରିମାଣରେ ହିଂସା ଦୃଶ୍ୟାୟିତ ହୋଇଛି ଯେ, ବିଶ୍ୱାସ କରିହେଉନି ଆମେ ଭାରତୀୟ ମାନେ କ’ଣ ସତରେ ଶାନ୍ତିପ୍ରିୟ! ତାହେଲେ ଏହି ସିନେମା ତିନୋଟି ବ୍ଲକ୍‌ବଷ୍ଟର ହୋଇପାରିଲା କିପରି? ସିନେମା ତିନୋଟି ଯେପରି ଭାବେ ଶହ ଶହ କୋଟି ଟଙ୍କା ବ୍ୟବସାୟ କରିଛି ଓ ପ୍ରଚୁର ଦର୍ଶକୀୟତା ଲାଭ କରିଛି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଆମେ ମନୋରଞ୍ଜନ ପାଇଁ ଭଲ କାହାଣୀ ଅପେକ୍ଷା ଅଧିକରୁ ଅଧିକ ହିଂସା ପସନ୍ଦ କରୁଛେ । ବକ୍ସ ଅଫିସ୍‌ର ରେକର୍ଡ଼ ଅନୁସାରେ ପୁଷ୍ପା ସିନେମା ଦୁଇ ସପ୍ତାହରେ ୪୦୦ କୋଟିରୁ ଅଧିକ ରୋଜଗାର କରିଥିବା ବେଳେ କେ.ଜି.ଏଫ୍‌-୨ ହଜାରେ କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି । ଭାରତୀୟ ଦର୍ଶକମାନଙ୍କର ବଦଳୁଥିବା ରୁଚିକୁ ଏହା ଦର୍ଶାଉଛି ।

ପୁଷ୍ପା ଓ କେ.ଜି.ଏଫ୍‌.-୨ ସିନେମାରେ ପ୍ରଚୁର ହିଂସା ସହିତ ଅପରାଧ ଓ ଅପରାଧୀକୁ ଗୌରବାନ୍ୱିତ କରାଯାଇଛି । ସେହି ହିସାବରେ ଦେଖିଲେ ଯଦିଓ ଆର୍‌.ଆର୍‌.ଆର୍‌. ସିନେମାରେ ହିଂସା ଅଛି କିନ୍ତୁ ଏହାର ପୃଷ୍ଠଭୂମି ବ୍ରିଟିଶ୍ ବିରୋଧୀ ଲଢ଼େଇ । କିନ୍ତୁ ତୁଳନାତ୍ମକ ଭାବେ ଦେଖିଲେ ଦର୍ଶକଙ୍କ ପସନ୍ଦ ଅନୁସାରେ ଆର୍‌.ଆର୍‌.ଆର୍‌. ଉପରୋକ୍ତ ଦୁଇଟି ସିନେମା ଠାରୁ ପଛରେ ଅଛି ।

ଏହା ସହିତ ତିନୋଟି ଯାକ ସିନେମାରେ ନାରୀ ଚରିତ୍ର ଅତ୍ୟନ୍ତ ଗୌଣ । ଏପରିକି ନାୟିକାମାନଙ୍କ ଭୂମିକା ଅତିଥି ଭୂମିକା ପରି । ଆର୍‌.ଆର୍‌.ଆର୍‌,ରେ ଆଲିଆ ଭଟ୍ଟ ମାତ୍ର କେଇ ମିନିଟ୍ ପାଇଁ ପରଦାରେ ବାହାରିଥିବା ବେଳେ ପୁଷ୍ପା ଓ କେ.ଜି.ଏଫ୍‌.-୨ରେ ନାୟିକାଙ୍କ ଭୂମିକାର ଆଦୌ ବି ଗୁରୁତ୍ୱ ନାହିଁ । ନାୟିକାମାନେ ଯେପରି କେବଳ ନାୟକ ସହିତ ଗୋଟିଏ ଗୀତ ଦୃଶ୍ୟରେ ନାଚିବା ପାଇଁ ବାହାରିଛନ୍ତି ନହେଲେ ନାୟକକୁ ପ୍ରତିଶୋଧ ପରାୟଣ ଓ ହିଂସାପ୍ରବଣ କରିବା ପାଇଁ ଅଳ୍ପ ସମୟ ପାଇଁ ପରଦାରେ ଝଲ୍‌ସି ଉଠିଛନ୍ତି । ଗତ ଛଅ ମାସ ମଧ୍ୟରେ ରିଲିଜ୍ ହୋଇ ସୁପରହିଟ୍ ହୋଇଥିବା ଓ ପ୍ରଚୁର ଦର୍ଶକୀୟତା ଲାଭ କରିଥିବା ଏହି ତିନୋଟି ସିନେମାରେ ନାରୀ ଚରିତ୍ରର କୌଣସି ପ୍ରାଧାନ୍ୟ ହିଁ ନାହିଁ । ସିନେମା ତ୍ରୟର ପ୍ରମୋସନ୍ ମଧ୍ୟ ମୂଖ୍ୟତଃ ପୁରୁଷ ଚରିତ୍ରଙ୍କୁ ନେଇ ହୋଇଛି । ଏପରିକି ପୋଷ୍ଟରରେ ମଧ୍ୟ ନାୟକର ହିଂସ୍ର ଭାବକୁ ଦେଖେଇ ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣିବାକୁ ପ୍ରୟାସ କରାଯାଇଛି । ଭରତୀୟ ସମାଜ ପାଇଁ ଏହା ଏକ ବିଡ଼ମ୍ବନା ନୁହେଁ କି?

ବର୍ତ୍ତମାନ  ସମୟରେ ତିଆରି କରାଯାଉଥିବ ଏପରି ସିନେମା ଓ ସେଥିରୁ ଧିରେ ଧିରେ ନାରୀ ଚରିତ୍ରର ପ୍ରାଧାନ୍ୟତା କମିଯାଉଥିବାର ଧାରା ଆମ ପରିବର୍ତ୍ତିତ  ମାନସିକତାକୁ ସୂଚାଉଛି ।
ଏହି ଧାରା ଆଗକୁ ବଢ଼ିବା ନିଶ୍ଚିତ ଭାବେ ବିପଦଜନକ । ଏପରି ଭାବେ ସିନେମାରୁ ପ୍ରମୂଖ ନାରୀ ଚରିତ୍ର ଅପସରି ଯିବା ଓ ସେସବୁ ସିନେମା ସୁପରହିଟ୍ ହେବା ଆମ ସମାଜର ନାରୀ

ବିରୋଧୀ ମାନସିକତାକୁ ସୂଚାଉଛି । ଦର୍ଶକ ଭାବେ ଏହା ପଛରେ ଆମ ସମସ୍ତଙ୍କର ମଧ୍ୟ ଭୂମିକା ଅଛି । ନାରୀମାନେ ସମାଜରେ ଗୋଟିଏ ମୂଖ୍ୟ ଅଂଶ । ନାରୀଙ୍କୁ ବାଦ୍ ଦେଇ ଗୋଟିଏ ସୁସ୍ଥ ସମାଜ ପରିକଳ୍ପନା ଅସମ୍ଭବ । ଏହା ସତ ଯେ, ଆମେ ଏକ ପୁରୁଷପ୍ରଧାନ ସମାଜରେ ବଞ୍ଚୁଛେ । ତାର ପ୍ରଭାବ ହିଁ ଏପରି ସିନେମା ତିଆରି ପାଇଁ ପ୍ରେରଣା ଯୋଗାଉଛି ଓ ସିନେମାକୁ ବହୁଳ ଦର୍ଶକୀୟତା ଯୋଗାଉଛି । କିନ୍ତୁ କଳା ଦ୍ୱାରା ସମାଜରେ ଥିବା ଭିନ୍ନ ଭିନ୍ନ ସିମୀତତାକୁ ଆମେ ଉଜାଗର କରି ତା ଉପରେ ଆଲୋଚନା ପାଇଁ ମଞ୍ଚ ପ୍ରସ୍ତୁତ କରିପାରିବା । କଳା
ଯୁଗେ ଯୁଗେ ପରିବର୍ତ୍ତନର ଏକ ବାହକ ହୋଇ ଆସିଛି । ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରିବାରେ ରାଜା ହରିଶ୍ଚନ୍ଦ୍ର ନାଟକର ପ୍ରଭାବ କଥା ଆମେ
ଜାଣିଛେ । ସେହି ହିସାବରେ ଆମ ସିନେମା ସମାଜର ବିସଙ୍ଗତିକୁ ଦର୍ଶେଇଲେ ସିନେମା କେବଳ ମନୋରଞ୍ଜନ ମାଧ୍ୟମ ନହୋଇ ପରିବର୍ତନର ବାହକ ବି ହୋଇପାରିବ । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସିନେମା ଧିରେ ଧିରେ ନାରୀ ଚରିତ୍ରକୁ ଗୌଣ କରିଚାଲିଛି ଓ ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ ଯେ, ସେପରି ସିନେମାକୁ ଆମେ ଦର୍ଶକମାନେ ସୁପରହିଟ୍ ସାବ୍ୟସ୍ତ କରୁଛେ । ଏହି ଧାରା ବଦଳିବା ଦରକାର ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-
୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.