Latest Odisha News

BREAKING NEWS

ଫିଫା ବିଶ୍ୱକପ ପରେ ଚାହିଦାରେ ଏହି ଖେଳାଳିମାନେ, ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆସିଲାଣି ଅଫର

ଦୋହା: ଫିଫା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ଏବେ ମାଲାମାଲ ହେବାକୁ ଯାଉଛନ୍ତି । ବଡ ବଡ କ୍ଲବଗୁଡିକ ଏହି ଉଦୀୟମାନ ଷ୍ଟାର ଖେଳାଳିଙ୍କ ପିଛା ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦେଇ ସାରିଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କ ନେବା ପାଇଁ କ୍ଲବଗୁଡିକ ବ୍ୟଗ୍ର ହୋଇ ଉଠିଛନ୍ତି ।
ଅଜେଡିନ ଓନାହୀ: ମରକ୍କୋର ୨୨ ବର୍ଷୀୟ ମିଡଫିଲ୍ଡର ଅଜେଡିନ ଓନାହୀ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଲିଷ୍ଟର ସିଟି ଏହି ଖେଳାଳିଙ୍କୁ ନେବା ପାଇଁ ପୂରା ଜୋର ଲଗେଇ ଦେଇଛି । ୩୦୦ରୁ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତି ଚୁକ୍ତି କରିବାକୁ କ୍ଲବ ଆଗ୍ରହୀ ଅଛି ।
ଜୁଡ ବେଲିଂଘମ: ଇଂଲଣ୍ଡର ଜୁଡ ବେଲିଂଘାମଙ୍କୁ ନେବା ପାଇଁ ରିୟଲ ମାଡ୍ରିଡ ଓ ଲିଭରପୁଲ ଉଦ୍ୟମ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ୧୯ ବର୍ଷୀୟ ଏହି ଯୁବ ମିଡ ଫିଲ୍ଡର ପାଇଁ ଲିଭରପୁଲ ୮୭୯ କୋଟି ଟଙ୍କା ଦେବା ପାଇଁ ରାଜି ଅଛି ।

କୋଡି ଗାକପୋ: ନେଦରଲାଣ୍ଡର ଫରୱାର୍ଡ କୋଡି ଗାକପେ ମଧ୍ୟ ଏହି ଦୌଡରେ ପଛରେ ନାହାନ୍ତି । ରୋନାଲ୍ଡୋ କ୍ଲବ ଛାଡିବା ପରେ ମାଂଚେଷ୍ଟର ୟୁନାଇଟେଡ ଗାକପେଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି । ଏପରିକି ୪୩୯ କୋଟି ଦେବା ପାଇଁ କ୍ଲବ ରାଜି ଅଛି ।
ଏଞ୍ଜୋ ଫର୍ଣ୍ଣାଣ୍ଡିଜ: ବିଶ୍ୱକପରେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ପାଇଥିବା ଆର୍ଜେଂଟିନାର ଆଞ୍ଜେ ଫର୍ଣ୍ଣାଣ୍ଡିଜ ଏବେ ଫୁଲ ଡିମାଣ୍ଡରେ । ବେନାଫିକା କ୍ଲବ ପକ୍ଷରୁ ଏହି ମିଡଫିଲ୍ଡର ଖେଳୁଛନ୍ତି । ଲିଭରପୁଲ ତାଙ୍କୁ ନେବାକୁ ଚାହୁଁଛି । ବେନାଫିକା କ୍ଲବ ଲିଭରପୁଲକୁ ୧୦୫୫ କୋଟି ଟଙ୍କା ମାଗୁଛି । ଅପରପକ୍ଷରେ ଲିଭରପୁଲ ୭୯୧ କୋଟି ଦେବାକୁ ରାଜି ଅଛି ।
ଆଲେକ୍ସିସ ମ୍ୟାକ ଆଲିଷ୍ଟର: ଆର୍ଜେଂଟିନାର ଆଲେକ୍ସିସ ମ୍ୟାକ ଆଲିଷ୍ଟରଙ୍କୁ ନେବା ପାଇଁ ଟୋଟନହାମ, ଏଟଲେଟିକ ମାଡ୍ରିଡ, ୟୁଭେଂଟସ ଓ ଇଂଟରମିଲାନ ପରି ପ୍ରତିଷ୍ଠିତ କ୍ଲବ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି । ତେବେ ରିପୋର୍ଟ ମୁତାବକ ସେ ଏକ କ୍ଲବ ସହିତ ଚୁକ୍ତି କରିଛନ୍ତି ଅଥଚ ଘୋଷଣା କରି ନାହାନ୍ତି ।

Leave A Reply

Your email address will not be published.