Latest Odisha News

BREAKING NEWS

ବିଲେଇ ବଞ୍ଚେଇଲା ମାଲିକକୁ , ବିଷାକ୍ତ ନାଗସାପ ପଶିଲାନି ଘରକୁ

ମାଲକାନଗିରି/ଭୁବନେଶ୍ୱର : ଏଯୁଗରେ ମଣିଷ ମଣିଷକୁ ଧୋକା ଦେଇ ଚାଲିଛି । ପାଦେ ପାଦେ ପଦେ ପଦେ ବିଶ୍ୱାସଘାତକତାର ସନ୍ତକ ଆମକୁ ପ୍ରତିଦିନ ଦୃଷ୍ଟିଗୋଚର ହେବାରେ ଲାଗିଛି । ତେବେ ଜୀବଜନ୍ତୁ ମାନଙ୍କ ମଧ୍ୟରେ ବନ୍ଧୁତା ତଥା ବିଶ୍ୱସନୀୟତାର ଅନେକ ଜ୍ୱଳନ୍ତ ଉଦାହରଣ ଆମେ ଦେଖିଚାଲିଛନ୍ତି । ସେହିପରି ଗୋଟିଏ ପୋଷା ବିଲେଇ କିପରି ତା’ର ମାଲିକର ଜୀବନକୁ ବଞ୍ଚେଇଛି ତାହାର ଏକ ବଳିଷ୍ଠ ଉଦାହରଣ ମାଲକାନଗିରିରେ ଦେଖିବାକୁ ମିଳିଛି ।

ଘଟଣାଟି ଘଟିଛି ମାଲକାନଗିରି ସହର ନିକଟସ୍ଥ ନାକଟେଶ୍ୱରୀ ମନ୍ଦିର ନିକଟରେ ରହିଥିବା ଏକ ବ୍ୟକ୍ତିଙ୍କ ଘରେ । ମାଲକାନଗିରିର କାର୍ତ୍ତିକ ଗୁଣ୍ଠା ନାମକ ଜଣେ ବ୍ୟକ୍ତିଙ୍କ ପୋଷା ବିଲେଇ ତାଙ୍କର ଓ ପରିବାର ସଦସ୍ୟଙ୍କୁ ଏକ ବିଷାକ୍ତ ନାଗସାପ ଦାଉରୁ ଉଦ୍ଧାର କରିପାରିଛି ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି, କାର୍ତ୍ତିକ ଘରେ ଥିବାବେଳେ ଏକ ନାଗସାପ ଦୁଆର ଆଗରେ ରହି ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା । ପାଖରେ ବୁଲୁଥିବା ପୋଷା ବିଲେଇଟି ସାପକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଲା ନାହିଁ । ବିଲେଇଟି ଗର୍ଜନ କରି ତାର ଦୁଇ ଗୋଡ଼କୁ ଟେକି ସାପକୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା ।

ନାଗ ସାପଟି ଘର ଭିତରକୁ ବାରମ୍ବାର ପଶିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଲେଇଟି ସାପଟିକୁ ଘର ମଧ୍ୟକୁ ପଶିବାକୁ ବାଧା ସୃଷ୍ଟି କରିଥିଲା । ଦୁଇ ଜୀବଙ୍କର ଗର୍ଜନ ତର୍ଜନ ଶୁଣି କାର୍ତ୍ତିକ ଦୁଆର ନିକଟକୁ ଆସି ନାଗ ଓ ତାଙ୍କ ପୋଷା ବିଲେଇ ମଧ୍ୟରେ ଲଢେଇ ଦେଖିବାକୁ ପାଇଲେ ।

ବଡ଼ପାଟି କରି ଡ଼ାକିବାରୁ ପାଖ ପଡ଼ୋଶୀ ତାଙ୍କ ଘର ନିକଟକୁ ଧାଇଁ ଆସିଥିଲେ । ସ୍ଥାନୀୟ ସ୍ନେକ୍ ହେଲପଲାଇନକୁ ଫୋନ କରିବାରୁ ସାପ ଧରାଳି ଆସି ନାଗସାପଟିକୁ ଉଦ୍ଧାର କରିଥିଲେ ।

ବିଲେଇଟି ସାପର ଫଣାକୁ ଭ୍ରୃକ୍ଷେପ ନକରି ଭୟଭୀତ ନହୋଇ ନାଗର ମୁକାବିଲା କରିଥିବାରୁ ଏହି ଘଟଣା ସାଧାରଣରେ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସାହସୀ ତଥା ବିଶ୍ୱାସୀ ବିଲେଇଟିକୁ ଦେଖିବାକୁ କାର୍ତ୍ତିକଙ୍କ ଘରକୁ ଦେଖଣାହାରୀଙ୍କ ସୁଅ ଛୁଟିଛି ।

Leave A Reply

Your email address will not be published.