ଭୁବନେଶ୍ୱର: ରାଜ୍ୟରେ ମେଣ୍ଟକୁ ନେଇ ପୂର୍ଣ୍ଣଛେଦ ପଡ଼ିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେଡ଼ିର ପ୍ରଣବ ପ୍ରକାଶ ଦାସ ସେମାନଙ୍କ ସୋସିଆଲ ମିଡ଼ିଆରେ ଏନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ଫଳରେ ଏବେ ଟିକଟ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଛି। ସେପଟେ ମଧ୍ୟ ଭୁବନେଶ୍ୱର ଆସନରୁ ବିଜେଡ଼ି ଟିକଟ ପାଇଁ ଆଶାୟୀଙ୍କ ମଧ୍ୟରେ ଦବଦବା ଜାହିର କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ବିଧାୟକ ଅନନ୍ତ ନାରାୟଣ ଜେନା ରହିଥିବା ବେଳେ ଅନ୍ୟ ପଟେ ଅମରେଶ ଜେନା ନିଜର ସମର୍ଥକଙ୍କ ଜରିଆରେ ଟିକଟ ପାଇଁ ବଳ କଷିବାରେ ଲାଗିପଡ଼ିଛନ୍ତି। ତେବେ ଏହି ଦୁଇ ଆଶାୟୀଙ୍କ ଆଶା ଏବେ ବିଜେଡ଼ି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେପଟେ କିନ୍ତୁ ବିରୋଧୀ ବିଜେପି ପକ୍ଷରୁ ଜଗନ୍ନାଥ ପ୍ରଧାନ ଏକମାତ୍ର ପ୍ରାର୍ଥୀ ରହିଛନ୍ତି।
ଗତ ୨୦୧୯ ନିର୍ବାଚନରେ ଜଗନ୍ନାଥ ପରାଜୟ ହୋଇଥିଲେ ମଧ୍ୟ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲେ। କୁହାଯାଏ ବିଜେଡ଼ିର ଭୋଟ ହ୍ରାସ କରିବାରେ ସଫଳ ହୋଇଥିଲେ ଜଗନ୍ନାଥ। ଆଗାମୀ ନିର୍ବାଚନରେ ବିଜେଡ଼ିର ଏହି ଦୁଇନେତାଙ୍କ କଳି ମଧ୍ୟରେ ବାଜି ମାରିବାକୁ ଚାହିଁବସିଛନ୍ତି ଜଗନ୍ନାଥ ପ୍ରଧାନ। ଗତ ନିର୍ବାଚନରେ ବିଜେଡ଼ି ପକ୍ଷରୁ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଥିଲେ ମଧ୍ୟ ବିଜେଡ଼ି ୦.୩୦ ପ୍ରତିଶତ ଭୋଟ ହରାଇଥିଲା। ସେହିପରି ଜଗନ୍ନାଥଙ୍କୁ ପ୍ରାର୍ଥୀ କରି ୧୨ ପ୍ରତିଶତରୁ ଅଧିକ ଭୋଟ ପାଇବାରେ ସଫଳ ହୋଇଥିଲା ବିଜେପି। ଫଳରେ ଜଗନ୍ନାଥଙ୍କ ଖାତାରେ ୪୨୫୮୦ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଅନନ୍ତ ୫୪୦୨୨ ଖଣ୍ଡ ଭୋଟ ପାଇ ବିଧାୟକ ହୋଇଥିଲେ। ଫଳରେ ମାତ୍ର ୧୨ ହଜାର ଭୋଟ ପଛରେ ରହି ହାରିଯାଇଥିଲେ ଜଗନ୍ନାଥ। ଆଗାମୀ ନିର୍ବାଚନରେ ଏହି ଭୋଟକୁ ନିଜ ଖାତାକୁ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଜଗନ୍ନାଥ।
ଲୋକସମ୍ପର୍କ ବଢାଇବା ସହିତ ଲୋକଙ୍କ ସୁଖଦୁଃଖରେ ଛିଡା଼ ହୋଇଛନ୍ତି ଜଗନ୍ନାଥ। ଏହି ଆସନରେ କଂଗ୍ରେସର ସେଭଳି ଭୋଟ ହାର ନଥିବାରୁ ବିଜେଡ଼ି କନ୍ଦଳ ଏବେ ଜଗନ୍ନାଥଙ୍କୁ ଜିତାଇବାରେ ବେଶ ସୁହାଇବ ବୋଲି ନିର୍ବାଚନ ମଣ୍ଡଳୀରେ ଆଲୋଚନା ହେଉଛି। ସେପଟେ ବିଜେଡ଼ିର ଦୁଇ ଆଶାୟୀ ବିଭିନ୍ନ କାର୍ଯ୍ୟକ୍ରମ ଆଳରେ ଲୋକଙ୍କ ସହିତ ମିଶୁଛନ୍ତି। ବନ୍ଧୁମିଳନ କାର୍ଯ୍ୟକ୍ରମ ଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏହି ଦୁଇ ଆଶାୟୀ ଟିକଟ ପାଇଁ କସରତ ଚଳାଇଛନ୍ତି। ଉଭୟ ଅମରେଶ ଓ ଅନନ୍ତଙ୍କୁ ଭିନ୍ନ ଭିନ୍ନ ସମୟରେ ନବୀନ ନିବାସ ଗସ୍ତ କରୁଛନ୍ତି। ଏହି ଦୁଇ ନେତା ପରସ୍ପରର ପତ୍ତା କାଟିବାକୁ ପ୍ରୟାସ କରୁଛନ୍ତି ବୋଲି ନିର୍ବାଚନ ମଣ୍ଡଳୀରେ ଆଲୋଚନା ହେଉଛି। ଏହି ଦୁଇ ଜଣଙ୍କ ବ୍ୟତୀତ ରୁଦ୍ର ସାମନ୍ତରାୟ ମଧ୍ୟ ବିଜେଡ଼ି ଟିକେଟ ପାଇଁ ଆଶାୟୀ ରହିଛନ୍ତି। କୁହାଯାଉଛି ତାଙ୍କର ମଧ୍ୟ ତୃଣମୂଳସ୍ତରରେ ସଂଗଠନ ମଜବୁତ ରହିଛି।
ସେପଟେ ବିଜେଡ଼ି ସବୁବେଳେ ସରପ୍ରାଇଜ କାର୍ଡ ଖେଳି ସମସ୍ତଙ୍କୁ ଚକମା ଦେଇଥାଏ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ମଧ୍ୟ ଭୁବନେଶ୍ୱରରେ ଟିକେଟ ଟଣାଓଟରା ବ୍ୟବସ୍ଥା ମ୍ୟାନେଜ ନ ହେଲେ ତାହା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ। ଫଳରେ ଶେଷ ମୂହୁର୍ତ୍ତରେ ଦଳ ମାଷ୍ଟରକାର୍ଡ ଖେଳି ସମସ୍ତଙ୍କୁ ଚକମା ଦେଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
Comments are closed.