Latest Odisha News

BREAKING NEWS

ଆସନ୍ତାକାଲି ପାଳନ ହେବ ମେଣ୍ଡାପୋଡ଼ି ଉତ୍ସବ, ଦୋଳପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଦୋଳ ପୂର୍ଣ୍ଣିମା ପୂର୍ବରୁ ଆସନ୍ତା କାଲି ପୁରୀରେ ପବିତ୍ର ମେଣ୍ଡାପୋଡି ଉତ୍ସବ ପାଳନ କରାଯିବ। ଏହା ପରଦିନ ଅର୍ଥାନ ୨୫ ତାରିଖରେ ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ପାଳନ ହେବ। ଏହି ଦିନ ରତ୍ନବେଦୀରେ ମହାପ୍ରଭୁ ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ଦୋଳବେଦୀକୁ ବିଜେ କରିବେ ଦୋଳଗୋବିନ୍ଦ , ଶ୍ରୀଦେବୀ ଓ ଭୂଦେବୀ। ଏଣୁ ଦୋଳବେଦୀର ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ଆଜି ସଂସ୍କାର କରାଯାଇଛି। ପୂଜାପଣ୍ଡା ସେବାୟତ ମାନେ ସ୍ୱତନ୍ତ୍ର ହୋମଯଜ୍ଞାଦୀ କର୍ମ ସହ ଦୋଳବେଦୀକୁ ସଂସ୍କାର କରିଛନ୍ତି।

ପରିକ୍ରମା ମାର୍ଗ ପରେ ଏବେ ନୂଆରୂପରେ ଦୋଳବେଦୀ। ଦୋଳପୂର୍ଣ୍ଣିମାରେ ଦୋଳବେଦୀରେ ଭକ୍ତ ଦର୍ଶନ କରିବେ ଦୋଳବେଦୀର ଅନେକ ପୁରାତନ କୀର୍ତ୍ତିରାଜି। ଦୋଳବେଦୀକୁ ଖଣ୍ଡେଲାଇଟ ପଥରର ଆବରଣ ଦିଆଯାଇଛି। ରଙ୍ଗ ଓ ଚୁନ ପଲସ୍ତରାରେ ଲୁଚି ରହିଥିବା ପୁରାତନ କୀର୍ତ୍ତିରାଜି ଗୁଡିକୁ ସ୍ୱତନ୍ତ୍ର କେମିକାଲ ଓ ଖୋଦେଇ କରି ପ୍ରକୃତ ରୂପକୁ ପରିପ୍ରକାଶ କରିଛନ୍ତି ପଥର କାରିଗର। ତେବେ ଏଥର ଦୋଳବେଦୀରେ ଦୋଳଠାକୁରଙ୍କ ଦୋଳ ଉତ୍ସବକୁ ନିଆରା ଢଙ୍ଗରେ ପାଳିବେ ଭକ୍ତ। ସେପଟେ ଦୋଳବେଦୀର ପୁନରୁଦ୍ଧାର କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ପରେ ଆଜି ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଶୋଧକାର୍ଯ୍ଯ ଯଥାବିଧି ପୂର୍ବକ ସମ୍ପର୍ଣ୍ଣ ହୋଇଛି।ଦୋଳବେଦୀ ସହ ଦୋଳବେଦୀର ବେଢା ପରିକ୍ରମା ପଥକୁ ସଂସ୍କାର କରାଯାଇଛି। ଆସନ୍ତା କାଲି ମେଣ୍ଡାପୋଡି ଉତ୍ସବ ଅନୁଷ୍ଠିତ ହେବ। ଆଉ ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦ ଶ୍ରୀଦେବୀ ଭୂଦେବୀ ଦୋଳବେଦୀକୁ ବିଜେ କରିବେ। ଦୋଳବେଦୀ ଝୁଲଣ ମଣ୍ଡପରେ ଦୋଳନୀତି ଅନୁଷ୍ଠିତ ହେବ। ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଝୁଲଣ ମଣ୍ଡପରେ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳାଖେଳା ଦର୍ଶନର ସୁଯୋଗ ନେବେ ବୋଲି କହିଛନ୍ତି ପୂଜାପଣ୍ଡା ସେବାୟତ।

ସେପଟେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ଯତମ ଯାତ୍ରା ହେଉଛି ଦୋଳପୂର୍ଣ୍ଣିମା। ଏଥିରେ ମହାପ୍ରଭୁ ସୂନା ବେଶ ଅର୍ଥାତ ରାଜାଧିରାଜ ବେଶରେ ଭକ୍ତ ଦେବେ। ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ଗହଳି ଲାଗିଥାଏ। ଯେହେତୁ ଆସନ୍ତା ୨୫ ତାରିଖରେ ଦୋଳ ପୂର୍ଣ୍ଣମୀ। ଏଣୁ ନିତି ସୃଙ୍ଖଳିତ କରିବା ପାଇଁ ନିତି ନିର୍ଘଣ୍ଟ କରାଯାଇଛି। ଶ୍ରୀମନ୍ଦିରରେ ଆସନ୍ତା କାଲି ଅର୍ଥାତ ୨୪ ତାରିଖରେ ମେଣ୍ଢାପୋଡ଼ି ଓ ୨୫ରେ ଦୋଳପୂର୍ଣ୍ଣମାରେ ରହିଛି ବିଶେଷ ନୀତିକାନ୍ତି। ବଡି ଭୋର ୩ ଟାରୁ ଏହି ଦୁଇ ଦିନ ଶ୍ରୀମନ୍ଦିର ଦ୍ଵାର ଫିଟା ଯାଇ ନୀତିକାନ୍ତି କରିବା ନେଇ ନିଷ୍ପତ୍ତି ହୋଇଛି।

ଭକ୍ତ ଓ ଶ୍ରଦ୍ଧାଳୁମାନେ କିଭଳି ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଦର୍ଶନ କରିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଆଗାମୀ ଗ୍ରୀଷ୍ମପ୍ରବାହ ଓ ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବ। ତେବେ ଦୋଳପୂର୍ଣ୍ଣମାରେ ଭକ୍ତମାନେ ଦୋଳବେଦୀକୁ ନୂଆ ରୂପରେ ଦର୍ଶନ କରିବେ। ଦୋଳବେଦୀ ଓ ତାର ପରିକ୍ରମାରେ ପୁରାତନ କାର୍ତ୍ତୀରାଜୀକୁ ଦର୍ଶନ କରି ବିମୋହିତ ହେବେ।ଏଥିସହିତ ଆକର୍ଷଣୀୟ ଆଲୋକମାଳାରେ ଦୋଳବେଦୀ ଝଲସିବ। ଦୋଳପୂର୍ଣ୍ଣିମା ପାଇଁ ଦୋଳବେଦୀକୁ ଆଜି ପୂଜାପଣ୍ଡାଙ୍କ ଦ୍ୱାରା ସଂସ୍କାର ବା ଶୋଧ କରାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିରକୁ ଉନ୍ନୟନ ପ୍ରଶାସକ।

Leave A Reply

Your email address will not be published.