Latest Odisha News

BREAKING NEWS

ଭୋଟ ପାଇଁ ଓଡ଼ିଆ ପ୍ରୀତି !

ଭୁବନେଶ୍ୱର: ଓଡ଼ିଆ ଓ ଓଡିଶାକୁ ନେଇ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ତୀବ୍ର ହୋଇଛି। କୋଟିଆ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ରକୁ ଗୋ ବ୍ୟାକ ନାରାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।ଏହାଦ୍ୱାରା ବିଜେପି ଓ ଧର୍ମେନ୍ଦ୍ରଙ୍କ ଓଡିଶା ପ୍ରୀତିର କଥାକୁ ନେଇ ଆଲୋଚନା ହେଉଥିବାବେଳେ ବିଜେଡି ଓ କଂଗ୍ରେସ ଏହାକୁ ସମାଲୋଚନା କରିଛନ୍ତି।

ଏହି ଘଟଣା ପରେ ଏବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୋୖଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ରାଜନୀତି ଜୋର ଧରିଛି। ଠିକ ଏହି ସମୟରେ ପୁଣିଥରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଚର୍ଚ୍ଚାରେ ରହିଛି। ପୂର୍ବପୁରୁଷ ମାନଙ୍କୁ ସମ୍ମାନ ନ ଦିଅନ୍ତୁ ପଛେ ଅସମ୍ମାନିତ କରନ୍ତୁ ନାହିଁ ବୋଲି ଧର୍ମେନ୍ଦ୍ର ଟ୍ୱିଟ କରିଛନ୍ତି।

ଏ ଦୁଇଟି ପ୍ରସଙ୍ଗ ଓଡିଶା ଓ ଓଡ଼ିଆ ଭାବାବେଗ ସହିତ ଜଡିତ ଥିବାରୁ ଶାସକ ବିଜେଡି ସମାନ ଢଙ୍ଗରେ ଏହାକୁ କାଉଣ୍ଟର କରିବା ଆରମ୍ଭ କରିଛି। ଭାରତର ୬ ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡିଆକୁ କେନ୍ଦ୍ର ଅଣଦେଖା କରୁଥିବା ଅଭିଯୋଗ କରିଛି ଶାସକ ଦଳ।କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ ପକ୍ଷରୁ ରାଜ୍ୟସଭାରେ ଉଠାଯାଇଥିବା ଏହି ପ୍ରସଙ୍ଗକୁ ନେଇ ବିଜେଡି ପ୍ରତିକ୍ରିୟାଶୀଳ ହୋଇଛି।

ଜୟରାମଙ୍କ ଭିଡ଼ିଓକୁ ଟ୍ୟାଗ କରି ଟ୍ବିଟ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପିନାକୀ ମିଶ୍ର।ରାଜ୍ୟବାସୀ କେନ୍ଦ୍ରର ଅନ୍ୟାୟକୁ ବରଦାସ୍ତ କରିବେ ତ ? ଏଭଳି ଅପମାନ ଗ୍ରହଣଯୋଗ୍ୟ ତ ? ସତରେ କଣ ଓଡିଆ ଓ ଓଡିଶା ପ୍ରତି କେନ୍ଦ୍ରର ପ୍ରୀତି ରହିଛି ବୋଲି ଟ୍ବିଟ କରିଛନ୍ତି ବିଜେଡି ସାଂସଦ।

ଜୟରାମ ରମେଶଙ୍କ କହିବା ଅନୁଯାୟୀ ଗତ ତିନି ବର୍ଷ ମଧ୍ୟରେ ମୋଦି ସରକାର ସଂସ୍କୃତ ଭାଷା ପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ତାମିଲ ପାଇଁ ୨୪ କୋଟି, ତେଲୁଗୁ ପାଇଁ ୩ କୋଟି ଓ କନ୍ନଡ ପାଇଁ ୩ କୋଟି ଖର୍ଚ୍ଚ କରିଛନ୍ତି। କିନ୍ତୁ ମାଲାୟାଲମ ଓ ଓଡିଆ ପାଇଁ ଗୋଟିଏ ଟଙ୍କା ମଧ୍ୟ ବ୍ୟୟବରାଦ କରି ନାହାନ୍ତି।

ଦେଶରେ ପ୍ରାୟ ୧୫ ହଜାର ଲୋକେ ସଂସ୍କୃତ ଭାଷା ବ୍ୟବହାର କରୁଥିବା ବେଳେ ଅନ୍ୟାନ୍ୟ ଶାସ୍ତ୍ରୀୟ ଭାଷା ଗୁଡିକ ଅଧିକାଂଶ ରାଜ୍ୟର ଆଞ୍ଚଳିକ ଭାଷା ଭାବେ ବହୁଳ ଭାବେ ବ୍ୟବହୃତ। କିନ୍ତୁ କେନ୍ଦ୍ର ସରକାରଙ୍କ ଏଭଳି ପାତରଅନ୍ତର ନୀତିକୁ ନେଇ ପ୍ରଶ୍ନ କରିଛନ୍ତି ଜୟରାମ ରମେଶ।

କିନ୍ତୁ ଜୟରାମଙ୍କର ଏହି ମନ୍ତବ୍ୟ ଏବେର ନୁହେଁ। ପ୍ରାୟ ଦେଢ଼ ବର୍ଷରୁ ଅଧିକ ଦିନ ତଳର। ତେଣୁ ଏହାକୁ ବିଜେଡି ଏବେ ଟ୍ୟାଗ କରି କେନ୍ଦ୍ରକୁ ଟାର୍ଗେଟ କରିବାର ମାନେ କଣ ବୋଲି ଆଲୋଚନା ହେଉଛି।

ଓଡ଼ିଶାରେ ଓଡ଼ିଆ ଅବହେଳିତ ବୋଲି କେବେଠୁ ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଏପରିକି ଓଡ଼ିଶାର ବିଭିନ୍ନ ସୀମାଞ୍ଚଳ ଲୋକେ ରାଜ୍ୟର ସୁବିଧା ସୁଯୋଗ ଓ ଶିକ୍ଷା ସଠିକ ଭାବେ ପାଉ ନ ଥିବା ଅଭିଯୋଗ ହେଉଥିବା ବେଳେ ସେମାନେ ପଡୋଶୀ ରାଜ୍ୟଗୁଡିକ ପ୍ରତି ଆକର୍ଷିତ ହେଉଛନ୍ତି।

ତେଣୁ ପଡୋଶୀ ରାଜ୍ୟ ସେମାନଙ୍କୁ ପ୍ରଲୋଭିତ କରି ସୁବିଧା ସୁଯୋଗ ଦେଇ ନିଜ ଆଡକୁ ଟାଣି ନେଉଥିବା କୁହାଯାଉଛି। ଯାହା ଫଳରେ କୋଟିଆ ଭଳି ଅନ୍ୟ ସୀମାଞ୍ଚଳରେ ପଡୋଶୀ ରାଜ୍ୟଗୁଡିକ ଓଡ଼ିଶାରେ ନିର୍ମାଣଠୁ ଆରମ୍ଭ କରି କବଜା କରୁଛନ୍ତି।

ଏପରିକି ଓଡ଼ିଶାରେ ସରକାରୀ ସ୍ତରରେ ଓଡ଼ିଆର ବ୍ୟବହାରଠୁ ଆରମ୍ଭ କରି ସାଇନ ବୋର୍ଡ ଗୁଡିକରେ ଓଡ଼ିଆ ଭାଷାର ବ୍ୟବହାର ଆଦି ଏ ଯାଏ କେବଳ କାଗଜପତ୍ରରେ ସୀମିତ ରହିଥିବା ଅଭିଯୋଗ ହୋଇ ଆସୁଛି। ଏଭଳି ସ୍ଥିତିରେ ଓଡ଼ିଆ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡିକୁ ଟାର୍ଗେଟ କରି ଆସୁଛନ୍ତି।

ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଶାସକ ବିଜେଡିକୁ ଟାର୍ଗେଟ କରିବା ପରେ ବିଜେଡି ଏଭଳି ଢଙ୍ଗରେ କାଉଣ୍ଟର ଆଟାକ କରୁଛି ବୋଲି ଚର୍ଚ୍ଚା ହେଉଛି। ଆଗକୁ ନିର୍ବାଚନ ଥିବାରୁ ଓଡ଼ିଆଙ୍କ ଭାବାବେଗକୁ ନେଇ ଏଭଳି ରାଜନୀତି ତୀବ୍ର ହୋଇଥିବା କୁହାଯାଉଛି। କିନ୍ତୁ ଓଡ଼ିଶାବାସୀ ଏ ସବୁକୁ କିଭଳି ଗ୍ରହଣ କରିବେ ଓ ଓଡ଼ିଆପ୍ରୀତି କାହାର କେତେ କେମିତି ପରଖିବେ ତା ଉପରେ ନଜର।

Leave A Reply

Your email address will not be published.