Latest Odisha News

BREAKING NEWS

ଡିୟୁଡିଏରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି, ବିଜେପି କହିଲା ‘ଭୋଟ୍ ଭୟ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗର ପିଡି ଡିୟୁଡିଏ (PD DUDA) ନିଯୁକ୍ତି ବିଜ୍ଞାପନକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଘେରିଛି । ଏପ୍ରିଲ୍ ୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟର ମନିଟରିଂ ଲାଗି ପିଡି ଡିୟୁଡିଏ ନିଯୁକ୍ତି ପାଇବେ ।

ଏଥିଲାଗି ଅବସରପ୍ରାପ୍ତ ଓଏଏସ୍, ଓଏଫ୍ଏସ୍, ଓପିଏସ୍, ଓଆରଏସ୍, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ଆବେଦନ କରି ପାରିବେ । ଏହି ନିୟୋଜନ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (SUDA) ଅଧିନରେ ଖାଲି ପଡ଼ିଥିବା ସ୍ଥାନରେ ଦିଆଯିବ । ଏକ ବର୍ଷ ପାଇଁ ନିଯୁକ୍ତି ଦିଆଯିବାକୁ ଥିବା ବେଳେ ମାସିକ ୭୫ ହଜାର ଟଙ୍କା ଦରମା ପାଇବେ । ଯାହାକି ଏସୟୁଡିଏ ପାଣ୍ଠିରୁ ଦିଆଯିବ ।

ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗର ପିଡି ଡିୟୁଡିଏ ନିଯୁକ୍ତି ବିଜ୍ଞାପନକୁ ବିଜେପି ସମାଲୋଚନା କରିଛି । ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ସରକାର ନିର୍ବାଚନ ପାଇଁ ଛାନିଆ ହୋଇ ପଡ଼ିଲେଣି । ଆଗରୁ ରାଜ୍ୟ ସ୍ତରରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ଦେଉଥିଲେ । ଆମେ ବାରମ୍ବାର ପ୍ରଶ୍ନ କରିଥିଲୁ ।

ଏବେ ଜିଲ୍ଲା ସ୍ତରରେ ସେମାନଙ୍କ ବିଶ୍ୱସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ବାହାର କରିଛନ୍ତି । ଆଗକୁ ସରକାର ବ୍ଲକ ଓ ପଞ୍ଚାୟତ ସ୍ତରରେ ଭୋଟ୍ ହାତେଇବା ଲାଗି ଏଭଳି ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ଭୃଗୁ ବକ୍ସିପାତ୍ର । ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳୁ ନାହିଁ । ସରକାର ରୋଜଗାର ଦେବା ଲାଗି ବ୍ୟବସ୍ଥା କରୁ ନାହାଁନ୍ତି ।

ସରକାରଙ୍କୁ କଣ ୩୦ଟି ଜିଲ୍ଲାରେ ୩୦ ଜଣ ଅଫିସର୍ ମିଳିଲେ ନାହିଁ ବୋଲି ପ୍ରଶ୍ନ କରି କହିଛନ୍ତି, ସରକାର ଅବସରପ୍ରାପ୍ତ ଅଧିକାରୀଙ୍କୁ ହାତବାରିସୀ କରି ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରୁଛନ୍ତି । ଏହା ଠାରୁ ଦୁଃଖଦାୟକ ଆଉ କିଛି ନାହିଁ । ତେବେ ବିଜେପିର ଅଭିଯୋଗ ଉପରେ ଶାସକ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.