କରୋନା ପରବର୍ତ୍ତୀ ସମୟରେ ବେକାରୀ ସମସ୍ୟା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

କରୋନାର ଆତଙ୍କରେ ସାରା ବିଶ୍ୱ ଏବେ ଆତଙ୍କିତ । କରୋନା ଭୂତାଣୁକୁ ନେଇ କେବଳ ମଣିଷର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇନି, ସାରା ଜନଜୀବନ ଠପ୍ ହୋଇଯାଇଛି । ସାରା ବିଶ୍ୱର ଅର୍ଥନୈତିକ ପରିସ୍ଥିତି ଉପରେ କରୋନା ମାଡ଼ ଖୁବ୍ ଜୋର୍‌ରେ ପଡ଼ିଛି । ସାଂପ୍ରତିକ ପରିସ୍ଥିତିରେ କୌଣସି ବୈଜ୍ଞାନିକ, ଡାକ୍ତର କିମ୍ବା ବିଶେଷଜ୍ଞ କେହି ବି କରୋନା ସମସ୍ୟାର ସମାଧାନ ଉପରେ ନିଶ୍ଚିତ ଭାବେ କିଛି କହିପାରୁନାହାନ୍ତି । ଏହି ମହାମାରୀର ଆରମ୍ଭ ତ ସମସ୍ତେ ଜାଣିଛନ୍ତି, କିନ୍ତୁ ଏହାର ଅନ୍ତ ବାବଦରେ ସମସ୍ତେ ସନ୍ଦିହାନ ।

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ସଂପ୍ରତି ଲକ୍ ଡାଉନ୍ ରାସ୍ତାକୁ ଆପେଣେଇଛି । ଉତ୍ପାଦନ, ଶିଳ୍ପ, ପର୍ଯ୍ୟଟନ, ବ୍ୟବସାୟ, କଳା, ଫ୍ୟାଶନ୍‌, ସିନେମାଠୁ ଆରମ୍ଭ କରି ଶ୍ରମିକ ମାନଙ୍କର ଶ୍ରମ ପର୍ଯ୍ୟନ୍ତ ସବୁକିଛି ପ୍ରାୟ ବନ୍ଦ ପଡ଼ିଛି । ବିଭିନ୍ନ ପ୍ରକାର ଅନ୍ତରାଷ୍ଟ୍ରୀୟ ସଂସ୍ଥା ମାନଙ୍କର ପୂର୍ବାନୁମାନ ଅନୁସାରେ କରୋନା ପରବର୍ତୀ ବିଶ୍ୱରେ ରୋଜଗାର ଓ ଅର୍ଥନୈତିକ ପରିସ୍ଥିତି ଭୟଙ୍କର ଭାବେ ନକରାତ୍ମକ ଦିଗରେ ପ୍ରଭାବିତ ହେବାକୁ ଯାଉଛି । ବିଶ୍ୱ ବାଣିଜ୍ୟ ସଂଗଠନର ମତ ଅନୁସାରେ ଚଳିତ ବର୍ଷ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ୧୩ରୁ ୩୨ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଯାରେ ଏବଂ ବୈଶ୍ୱିକ ଜି.ଡି.ପି. ମଧ୍ୟ ୨.୧ରୁ ୩.୯ ପ୍ରତିଶତ ପର୍ଯ୍ୟନ୍ତ କମିଯିବ ।

ଅନ୍ତର୍ଜାତୀୟ ମୁଦ୍ରା ପାଂଠି ବି ଏହି ସମାନ ପ୍ରକାର ଆକଳନ କରିଛି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲକ୍ ଡାଉନ୍ ଏପର୍ଯ୍ୟନ୍ତ ଏକ ଫଳପ୍ରଦ ରଣକୌଶଳ ସାବ୍ୟସ୍ତ ହୋଇଥିବା ବେଳେ, ଗୋଟିଏ ମାସର ଲକ୍ ଡାଉନ୍‌ରେ ଜି.ଡି.ପି. ବୃଦ୍ଧି ହାର ଦୁଇ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରେ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।

ଲକ୍ ଡାଉନ୍ ପାଇଁ ସାରା ବିଶ୍ୱର ଶ୍ରମିକ ମାନେ ଏବେ ଘୋର ସଂକଟରେ । ଆମ ଦେଶର ପ୍ରାୟ ଚାଳିଶ କୋଟି ଅସଂଗଠିତ ଶ୍ରମିକ ଦୀର୍ଘ ଏକ ମାସ ହେବ ରୋଜଗାରହରା ହୋଇ ହାହାକାର ଅବସ୍ଥାରେ ଅଛନ୍ତି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁସାରେ ସାରା ବିଶ୍ୱର ପ୍ରାୟ ୨୭୦ କୋଟି ଶ୍ରମିକ କରୋନା ଜନିତ ଲକ୍ ଡାଉନ୍ ଯୋଗୁ ରୋଜଗାର ସଂକଟ ପରିସ୍ଥିତି ସହିତ ଯୁଝି ହେଉଛନ୍ତି । ପରିଣାମ ସ୍ୱରୁପ ଶିଳ୍ପ ସଂସ୍ଥା ଗୁଡ଼ିକ ବି ଅପର୍ଯ୍ୟାପ୍ତ କ୍ଷତି ଦିଗରେ ମୁହାଁଇଛନ୍ତି । ଶିଳ୍ପ ସଂସ୍ଥା ଗୁଡ଼ିକ ଯେପରି ଭାବେ କ୍ଷତିକୁ ସମ୍ମୁଖୀନ ହେବାକୁ ଯାଉଛନ୍ତି, ତାହାର ସିଧା ପ୍ରଭାବ ପୁଣି ଶ୍ରମିକ ମାନଙ୍କ ନିଯୁକ୍ତି ଉପରେ ପଡ଼ିବ । ଅର୍ଥାତ୍ ଆଗାମୀ ଭବିଷ୍ୟତରେ କୋଟି କୋଟି ଶ୍ରମିକ ନିଯୁକ୍ତି ହରେଇ ରୋଜଗାର ସଂକଟରେ ପଡ଼ିବେ । ବିଶେଷକରି ବିକାଶଶୀଳ ଦେଶ ଗୁଡ଼ିକରେ ଏହି ସମସ୍ୟା ଅଧିକ ତୀବ୍ର ହେବ ।

ଆମ ଦେଶ ଭାରତର ପରିସ୍ଥିତିକୁ ଦେଖିଲେ, ପ୍ରାୟ ୯୦ ପ୍ରତିଶତ ଶ୍ରମିକ ଅସଂଗଠିତ କ୍ଷେତ୍ରରେ ଅଛନ୍ତି । ଯେଉଁମାନଙ୍କ ସଂଖ୍ୟା ୪୦ କୋଟିରୁ ଉର୍ଦ୍ଧ୍ୱ ହେବ । ସେମାନେ ସମସ୍ତେ ଏବେ ରାସ୍ତାରେ । ସେମାନଙ୍କ ପାଖରେ ନାଁ ଅଛି ରୋଜଗାର ନାଁ ଅଛି ଅନ୍ୟ କୌଣସି ଜୀବିକାର ଉପାୟ । ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ଅନେକ ଲୋକ କରୋନା ଭୟରେ ଏବେ ଘର ମୁହାଁ । ଏହା ନିଶ୍ଚିତ ଯେ, ରୋଜଗାର ଆଶାରେ ସେମାନେ ଦିନେ ନିଜ ଘରଦ୍ୱାର ଛାଡ଼ି ବାହାର ରାଜ୍ୟର ଶିଳ୍ପ ସଂସ୍ଥା ମାନଙ୍କୁ ଯାଇଥିଲେ । ଏବେ ସେମାନେ ଘରକୁ ଫେରି ଆସିଲେ, ସେମାନଙ୍କ ହାତରେ କିଛି ଧନ୍ଦା ନଥିବ କିମ୍ବା ରୋଜଗାରର ଉପାୟ ନଥିବ । ସଂପ୍ରତି ପରିସ୍ଥିତି ଯେପରି ହୋଇଛି, ଏହି ପ୍ରବାସୀ ଶ୍ରମିକମାନେ ଜୁଲାଇ ମାସ ପର୍ଯ୍ୟନ୍ତ ନିଜ କର୍ମକ୍ଷେତ୍ରକୁ ଫେରିଯିବାର ଆଶା ଅତ୍ୟନ୍ତ କ୍ଷୀଣ । ଏତଦ୍‌ବ୍ୟତୀତ କରୋନାର ସଂକଟରେ ଲୋକମାନେ ଯେପରି ତ୍ରସ୍ତ ହୋଇଛନ୍ତି, ଅନେକ ଆଉ ସେମାନଙ୍କ କର୍ମକ୍ଷେତ୍ରକୁ ନଫେରିବାର ସମ୍ଭାବନା ବି ଅଧିକ । ପୂର୍ବରୁ ତ ଆମେ ଦେଖିଆସୁଛେ ଯେ, ଚାଷରୁ ଆଶାଜନକ ରୋଜଗାର ହୋଇପାରୁନାହିଁ । ତେଣୁ ସେମାନେ ଯଦିଓ ବି ଚାଷ କ୍ଷେତ୍ରରେ ପ୍ରବେଶ କରିବେ, କିନ୍ତୁ ସେଥିରୁ ସନ୍ତୋଷଜନକ ରୋଜଗାର ପାଇବେ ନାହିଁ ।

ଏପରି ପରିସ୍ଥିତିରେ ଏହା ଜଳଜଳ ହୋଇ ଦେଖାଯାଉଛି ଯେ, ଗ୍ରାମାଂଚଳରେ ବେକାରୀ ସମସ୍ୟା ଆଗାମୀ ସମୟରେ ଅତ୍ୟନ୍ତ ତୀବ୍ର ହେବ । ଏତଦ୍‌ବ୍ୟତୀତ ଛୋଟ ଛୋଟ ବ୍ୟବସାୟ କରି ପେଟ ପୋଷୁଥିବା ଲୋକମାନଙ୍କର ଧନ୍ଦା ବି ଏବେ ପୁରା ବନ୍ଦ । ସେମାନେ ବି ସମସ୍ତେ ଏବେ ବେକାରୀ । ଯେବେ ବି ଲକ୍ ଡଉନ୍ ଖୋଲିବ, ଲୋକଙ୍କ ପାଖରେ ରୋଜଗାର ନଥିବାରୁ ସେମାନଙ୍କ ବେପାର ପୂର୍ବପରି ଚାଲିବାର ଆଶା କ୍ଷୀଣ ।

ଅଧିକ ପଢନ୍ତୁ – ଲକ୍ ଡାଉନ୍ ଅନୁଚିନ୍ତା: ଆସ ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା…

ତେଣୁ ସେମାନେ ବି ସମସ୍ତେ ବେକାରୀ ତାଲିକାରେ ନାଁ ଲେଖେଇବେ । ଆଗାମୀ ସମୟରେ ଏହି ବେକାରୀ ସମସ୍ୟା ଭୟଙ୍କର ଭାବେ ଖାଦ୍ୟାଭାବ ସମସ୍ୟାକୁ ଡାକି ଆଣିବ । ଏପରି ଉଗ୍ର ବେକାରୀ ସମସ୍ୟା ସମଗ୍ର ଦେଶର ଅର୍ଥନୀତିକୁ ମାନ୍ଦା ଅବସ୍ଥା ଭିତରକୁ ଠେଲି ଦେବ, ଏହା ନିସନ୍ଦେହ ।
ଆମ ଦେଶରେ ସୂକ୍ଷ୍ମ, ଛୋଟ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ଏବେ ସବୁଠାରୁ ବେଶୀ ବିପଦରେ । ସେମାନଙ୍କ ପାଖରେ ବଡ଼ ପୁଞ୍ଜି ନାହିଁ ଯେ, ସେମାନେ ଏତେ ଲମ୍ବା ସମୟ କୌଣସି ଉତ୍ପାଦନ ବା ବ୍ୟବସାୟ ନକରି ତିଷ୍ଠି ରହିପାରିବେ । ଲକ୍ ଡାଉନ୍ ଯୋଗୁ ଏହି ସବୁ ଉଦ୍ୟୋଗ ଓ ସେଠାରେ କାମ କରୁଥିବା ଶ୍ରମିକମାନେ ଏବେ ଅତ୍ୟନ୍ତ ଦୁଃସ୍ଥ ସ୍ଥିତିରେ ଅଛନ୍ତି । ଏକ ଆକଳନରୁ ଜଣାଯାଇଛି ଏହିପରି କ୍ଷେତ୍ରରେ ଦୈନିକ ପ୍ରାୟ ତିରିଶ ହଜାର କୋଟି ଟଙ୍କା କ୍ଷତି ହେଉଛି । ଏହି କ୍ଷେତ୍ରରେ ପ୍ରାୟ ୧୧ କୋଟି ଶ୍ରମିକ କାର୍ଯ୍ୟରତ ଅଛନ୍ତି, ଯେଉଁମାନଙ୍କ ଚାକିରୀ ଏବେ ସଂକଟରେ ।

ଅଧିକ ପଢନ୍ତୁ: ଲକ୍ ଡାଉନ୍ ଅନୁଚିନ୍ତା: ଆସ ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା…

ଏହି କ୍ଷେତ୍ରକୁ ଉଦ୍ଧାର କରିବା ପାଇଁ ଓ ଏଥିରେ କାମ କରୁଥିବା ଶ୍ରମିକ ମାନଙ୍କ ନିଯୁକ୍ତିକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଦୁଇ ଲକ୍ଷ୍ୟ କୋଟି ଟଙ୍କାର ପ୍ୟାକେଜ୍ ଦେବା ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ଏହି ଦୁଇ ଲକ୍ଷ କୋଟି ଟଙ୍କାରୁ ଏକ ଲକ୍ଷ କୋଟି ଟଙ୍କା ‘ବେତନ ସୁରକ୍ଷା ପ୍ୟାକେଜ୍‌’ ଓ ବାକି ଏକ ଲକ୍ଷ କୋଟି ଟଙ୍କାକୁ ‘କ୍ରେଡିଟ୍ ଗ୍ୟାରେଂଟି ଫଣ୍ଡ୍‌’ ଆକାରରେ ଦେବା ପାଇଁ ଦଳ ତରଫରୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏପରି କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ମେହୁଲ୍ ଚୋକ୍‌ସିଙ୍କ ପରି ଋଣ ଖିଲାପୀ ମାନଙ୍କର ୬୮ ହଜାର କୋଟି ଟଙ୍କାର ଋଣ ଛାଡ଼ କରିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ଘୋଷଣା କରାଯାଇଛି । ଏହାକୁ ଦୁର୍ଭାଗ୍ୟ ବ୍ୟତୀତ ଆଉ କ’ଣ କୁହାଯାଇପାରେ!

କରୋନା ସମସ୍ୟା ଯୋଗୁ ଓ କରୋନା ପରବର୍ତୀ ସମୟରେ ଅର୍ଥନୈତିକ କ୍ଷେତ୍ର ଉପରେ ଯେଉଁ ବିପଦ ଘନେଇ ଆସୁଛି, ଏହା ଆମର ଅର୍ଥନୀତିକୁ ପୁନର୍ନିରୀକ୍ଷଣ କରିବାକୁ ଏକ ସୁଯୋଗ ଦେଇଛି । ଲୋକମାନଙ୍କୁ ସ୍ୱାବଲମ୍ବନଶୀଳ କରି ଆମେ ଆମ ଅର୍ଥନୀତିକୁ ମଜବୁତ୍ କରିବା ଆବଶ୍ୟକ କି ଜଗତୀକରଣ ମାୟାରେ ଭାସିଯାଇ ଲୋକମାନଙ୍କର ସ୍ୱାବଲମ୍ବନଶୀଳତା ଓ ସ୍ଥାନୀୟ ଅର୍ଥନୀତିକୁ ଦୁର୍ବଳ କରିବା, ଏହା ସଂପ୍ରତି ଚିନ୍ତାକରିବାର ବିଷୟ । ଏହା ନିଶ୍ଚିତ ଯେ, ସ୍ଥାନୀୟ ଅର୍ଥନୀତି ମଜବୁତ୍ ହେଲେ ଓ ପରନିର୍ଭରଶୀଳତା କମିଲେ, ଗ୍ରାମୀଣ ଲୋକମାନଙ୍କର ରୋଜଗାର ବଢ଼ିବ ଓ ଏହା ପ୍ରକାରାନ୍ତରେ ଦେଶର ଅର୍ଥନୈତିକ ପରିସ୍ଥିତିକୁ ମଜବୁତ୍ କରିବ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।