Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ: ଅଭିନେତ୍ରୀ ତମନ୍ନାଙ୍କୁ ସୁଯୋଗ ମିଳିଛି ପରିବାର ସହ ସମୟ ବିତାଇବା ପାଇଁ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ସାରା ଦେଶ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛି । କିନ୍ତୁ ଅନେକଙ୍କ ମତରେ ଏହି ଲକ ଡାଉନ ତାଙ୍କୁ ଅନେକ ଜିନିଷ ଦେଇଛି । ଯେମିତି ନିଜ ସମ୍ପର୍କୀୟଙ୍କ ସହ ସାଙ୍ଗସାଥୀଙ୍କ ସହ ସମ୍ପର୍କ ବୃଦ୍ଧି କରିବାରେ । ତେବେ ଏହି ଲକ୍ ଡାଉନରେ କିଏ କେମିତି କଟାଉଛନ୍ତି ସମୟ ଜାଣିବା ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍ ଡାଉନ ଡାଏରୀରେ ।

ଜାଣିବା ଓଲିଉଡ୍ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କର କେମିତି କଟୁଛି ଲକ୍‌ଡାଉନ ସମୟ । ତାଙ୍କ ମତରେ ଏହି ସମୟ ତାଙ୍କୁ ସୁଯୋଗ ଦେଇଛି ପରିବାର ସହ ରହିବା ପାଇଁ ।

ସାଧାରଣତଃ ଫିଲ୍ମ ସୁଟିଂ ପାଇଁ ତମନ୍ନା ସବୁବେଳେ ଭୁବନେଶ୍ୱରରେ ରହିଥାନ୍ତି । କିନ୍ତୁ ଏବେ ଲକଡାଉନ ଚାଲିଥିବାରୁ ସେ ବ୍ରହ୍ମପୁରରେ ତାଙ୍କ ପରିବାର ସହ ଅଛନ୍ତି । ଏହି ସମୟରେ ସେ ନିଜ ବାପା, ମାଆ ଓ ଭଉଣୀ ସହ ବେଶ୍ ମଜ୍ଜାରେ ବିତାଉଥିବା କହିଛନ୍ତି ।

ଏଥି ସହ ତମନ୍ନା ମାଆଙ୍କୁ ଘର କାମରେ ମଧ୍ୟ ସାହାଯ୍ୟ କରୁଛନ୍ତି । ସେ କହନ୍ତି, ‘ମୋ ମାଆ ସବୁବେଳେ ଘର କାମ ଠିକ୍ ସମୟରେ ଶେଷ କରିବା ଉପରେ ଗୁରୁତ୍ୱ ଦିଅନ୍ତି । ଏଥି ସହ ଠିକ୍ ସମୟରେ ଖାଦ୍ୟ ଖାଇବା ଉପରେ ବି ଜୋର ଦିଅନ୍ତି । ତେଣୁ ସକାଳୁ ଉଠି ମାଆଙ୍କୁ ଘର କାମରେ ସାହାଯ୍ୟ କରିବା ସହ ସମସ୍ତଙ୍କ ସହ ମିଶି ଖାଦ୍ୟ ଖାଇଥାଉ ।’

ତମନ୍ନା ଓ ତାଙ୍କ ପରିବାର ସଦସ୍ୟମାନେ ବ୍ୟାୟାମ ଓ ଫିଟନେସ୍‌କୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ସକାଳେ ତମନ୍ନା, ତାଙ୍କ ବାପା ଓ ଭଉଣୀ ମିଶି ପ୍ରାଣାୟମ କରିଥାନ୍ତି । ଅପରାହ୍ନରେ ମଧ୍ୟ ଛାତ ଉପରେ କିଛି ସମୟ ବ୍ୟାୟାମ କରିଥାନ୍ତି ।

ଚାରି ବର୍ଷ ତଳେ ଏକ ଟିଭି ରିଅଲିଟି ସୋରେ ବିଜେତା ହେବା ପରେ ସେ ପାଦ ଥାପିଥିଲେ ଓଲିଉଡରେ । ବର୍ତ୍ତମାନ ଫିଲ୍ମ ସୁଟିଂ ସବୁ ବନ୍ଦ ଥିବାରୁ ସେ ନୂଆ ଭାଷା ଶିକ୍ଷା କରୁଛନ୍ତି । ୟୁଟ୍ୟୁବରୁ ତାମିଲ ଓ ତେଲୁଗୁ ଫିଲ୍ମ ଦେଖୁଛନ୍ତି । ଆଗକୁ ଅନ୍ୟ ଭାଷାର ଚଳଚ୍ଚିତ୍ର କଲେ ଏହା ତାଙ୍କୁ ସାହାଯ୍ୟ କରିବ ବୋଲି ତାଙ୍କର ଆଶା ରହିଛି ।

ସମୟ ମିଳିଛି ତେଣୁ ନିଜ ତ୍ୱଚା ପ୍ରତି ଏବେ ଯତ୍ନଶୀଳ ହୋଇଉଠିଛନ୍ତି ତମନ୍ନା । ସେ କହିଛନ୍ତି ପୂର୍ବରୁ ସମୟ ମିଳୁ ନ ଥିଲା ତେଣୁ ଏବେ ଏସବୁ ପ୍ରତି ଧ୍ୟାନ ଦେଉଛନ୍ତି ।

ସାରା ବିଶ୍ୱ ଏକ ଦୁଃସମୟ ଦେଇ ଗତି କରୁଥିବା ବେଳେ ସମସ୍ତେ ସକରାତ୍ମକ ମନୋଭାବ ପୋଷଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।
ତମନ୍ନା କହନ୍ତି ଯେ, ‘ଲୋକେ ସୃଜନାତ୍ମକ କାମରେ ମନୋନିବେଶ ପାଇଁ ସମୟ ପାଇଛନ୍ତି । ଏହାର ଉପ ଯୋଗ କରିବାର ଆବଶ୍ୟକତା ରହିଛି ।’

Leave A Reply

Your email address will not be published.